• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ACF ସୌମ୍ୟ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ଗିରଫ ପାଇଁ ତଳକୋର୍ଟରେ ଜାରି NBW ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । NBW କାର୍ଯ୍ୟକାରୀ ନକରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୭ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ପୂର୍ବରୁ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିଲେ । ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୋଲିସ ଯାଇଥିଲେ ବି ବିଦ୍ୟାଭାରତୀଙ୍କୁ ପୋଲିସ ପାଇନଥିଲା । ବିଦ୍ୟାଭାରତୀଙ୍କ ନାଁରେ NBW ଜାରି ପରେ ତାଙ୍କୁ କୋର୍ଟରେ ହାଜର କରାଇବା ପାଇଁ ପୋଲିସ ତାଙ୍କ ଗାଁକୁ ଯାଇଥିଲା ।

କୋର୍ଟ DFO ସଂଗ୍ରାମ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ବି NBW ଜାରି କରିଥିଲେ । ସୂଚନା ଥାଉ କି, ୨୦୨୧ ଜୁଲାଇ ୧୨ ତାରିଖରେ ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଥିଲେ ACF ସୌମ୍ୟ । ଅତି ରହସ୍ୟଜନକ ଭାବେ ନିଆଁରେ ଜଳିଯାଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଘଟଣାକୁ ନେଇ ଖୋଳତାଡ଼ କରିଥିଲା ପୋଲିସ ।

ହେଲେ ଅନେକ ପଚରାଉଚରା କରିବା ପରେ ମଧ୍ୟ ସେମିତି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ଅନେକ ପ୍ରଶ୍ନ କରିଥିଲା ପୋଲିସ । ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏପରିକି ଘଟଣାଦିନ ଉପସ୍ଥିତ ତତ୍କାଳୀନ DFO ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥଙ୍କ ବୟାନକୁ ନେଇ ନାନା ଚର୍ଚ୍ଚା ଲାଗିରହିଥିଲା ।

ଏହାପରେ ୩ ମାସ ଧରି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ । ଶେଷରେ ତତ୍କାଳୀନ DFO ଓ ରୋଷେୟାଙ୍କୁ ଦେଇଥିଲା କ୍ଲିନଚିଟ୍ । ତାସହ ଏହା ଏକ ଦୁର୍ଘଟଣା ଓ ଏଥିପାଇଁ ବିଦ୍ୟାଭାରତୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଚାର୍ଜସିଟ ଦାଖଲ କରିଥିଲା ତଦନ୍ତକାରି ସଂସ୍ଥା । ଯାହାର ତଦନ୍ତ ଆଜି ଯାଏଁ ଜାରି ରହିଛି । ପୁଣି ଥରେ ଅଡ଼ୁଆ ସୂତା ଖିଅ ମଧ୍ୟରେ ଫସିଛନ୍ତି ବିଦ୍ୟାଭାରତୀ । ହେଲେ ତଳକୋର୍ଟରେ ଜାରି NBW ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ ।