• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାନ୍ଦି କାନ୍ଦି ନିଜ ମାଆ ଓ ଭଉଣୀର ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ସାମ୍ନାରେ କହୁଛନ୍ତି ଜଣେ ମହିଳା । ତାଙ୍କ କଥା ଶୁଣିବା ପରେ ମନରେ ପ୍ରଶ୍ନ ନିଶ୍ଚୟ ଆସୁଥିବ ସିଏ କିଏ ? କାହିଁକି ଏମିତି କାନ୍ଦୁଛନ୍ତି ? ନିଜ ଆଖି ସାମ୍ନାରେ ନିଜ ମାଆ ଓ ଭଉଣୀର ହତ୍ୟା ଦେଖିବା ପରେ ବାରମ୍ବାର ନ୍ୟାୟ ଲାଗି ଥାନାକୁ ଦଉଡ଼ୁଥିଲେ ହେଲେ ନ୍ୟାୟ ପାଇଲେନି । ସେଇଥି ପାଇଁ ନ୍ୟୟ ପାଇବା ଆଶାରେ ଭଦ୍ରକ ଏସପି ଅଫିସ ସାମ୍ନାରେ ପହଞ୍ଚି କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରୁଛନ୍ତି ମହିଳା ଜଣକ।

ଅଧିକ ପଢ଼ନ୍ତୁ: ଫେଲ୍‌ ମାରିଛି କି ମୋ ସରକାର? ଥାନାକୁ ଲୋକେ ଆସୁଛନ୍ତି, ହେଲେ ନ୍ୟାୟ ପାଉନାହାନ୍ତି...

ମସିହା ୨୦୧୮, ସ୍ଥାନ- ଭଦ୍ରକର ଛେଡାକ ଗାଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ତିନିଜଣ ଯୁବକ ଦେବେନ୍ଦ୍ର ଦାସଙ୍କ ସାନ ଝିଅକୁ ପେଟ୍ରୋଲ ଢ଼ାଳି ମାରି ଦେଇଥିଲେ । ଆଖି ସାମ୍ନାରେ ଝିଅର ମୃତ୍ୟୁକୁ ବିରୋଧ କରିବା ସହିତ ଥାନାରେ ଏନେଇ କେସ୍‌ କରିଥିଲେ ମାଆ ଟୁନି ଦାସ୍‌ । ତେବେ ଥାନାରେ ମାମଲା ଦାୟର କରିବାରୁ ଗତ ୨୩ /୦୨/୨୩ ତାରିଖରେ ଟୁନିଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ଖାଲି ଉଠାଇ ଥିଲେ ତାହା ନୁହେଁ ବରଂ ତାଙ୍କୁ ଦୁଷ୍କର୍ମ କରିବା ସହିତ ପୋଡ଼ି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ବଡ଼ ଝିଅ ସସ୍ମିତା ଓ ବାପା ଦେବେନ୍ଦ୍ର ।

ଘଟଣା ଘଟିବା ପରେ ବାଂଶଡ଼ା ପୋଲିସ ମୃତ ଦେହକୁ ଟ୍ରେନ ଲାଇନରୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ହେଲେ ଘଟଣା କେମିତି ଘଟିଲା? ମୃତ୍ୟୁ ପଛରେ କେଉଁମାନେ ଦାୟୀ ସେନେଇ କୌଣସି ତଥ୍ୟ ମିଳିନଥିବା ବେଳେ ଯେଉଁମାନେ ଝିଅକୁ ମାରିଛନ୍ତି ସେମାନେ ହିଁ ମାଆକୁ ମାରିଥିବା ଅଭିଯୋଗ କରିଛନ୍ତି ସସ୍ମିତା । ପୂର୍ବରୁ ଭଉଣୀଙ୍କୁ ନ୍ୟାୟ ମିଳିନଥିବା ବେଳେ ଏବେ ମାଆ ଓ ଭଉଣୀଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ବଡ଼ ଭଉଣୀ । ଏବେ ଏସପିଙ୍କୁ ଭେଟି ନ୍ୟାୟ ମାଗିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଆଇଆଇସି କହୁଛନ୍ତି ପୂରା ଘଟଣାର ତଦନ୍ତ ଚାଲିଛି । ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।

(ଭଦ୍ରକରୁ ପାର୍ଥସାରଥୀ ନାୟକ)