ଲୋକଙ୍କ ଜୀବନ ସହ ଖେଳ । ପଇସା ରୋଜଗାର କରିବା ଲକ୍ଷ୍ୟରେ ନକଲି ମେଡିକାଲ ସାର୍ଟିଫିକେଟ ଦେଉଥିଲେ । ଗୋଟିଏ ସାର୍ଟିଫିକେଟ୍ ପାଇଁ ନେଉଥିଲେ ୭୦ ହଜାର ଟଙ୍କା । ନକଲି ମେଡିକାଲ ସାର୍ଟିଫିକେଟ ଦେଉଥିବା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଡାକ୍ତର ରମେଶ ଗୁଜରାଟିକୁ ଗିରଫ କରିଛି ପୋଲିସ୍ । ଟଙ୍କା ଦେଇ ନକଲି ମେଡିକାଲ୍ ସାର୍ଟିଫିକେଟ୍ କିଣିଥିବା ୧୪ ଜଣ ନକଲି ଡାକ୍ତରଙ୍କୁ ବାନ୍ଧିଛି ପୋଲିସ୍ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଜଣେ ଛାତ୍ରକୁ ଏହି ନକଲି ଡାକ୍ତରୀ ସାର୍ଟିଫିକେଟ୍ ମିଳିଥିବା ତଦନ୍ତରେ ଜଣାପଡିଛି ।
ମୋଟାମୋଟି ଭାବେ କହିବାକୁ ଗଲେ ୭୦ ହଜାର ଟଙ୍କା ଦେଲେ ମିଳୁଥିଲା ସାର୍ଟିଫିକେଟ୍ । ଗୁଜରାଟର ସୁରଟରୁ ଅପରେଟ କରୁଥିଲା ଏହି ଗ୍ୟାଙ୍ଗ୍ । ପ୍ରାୟ ୧୨୦୦ ନକଲି ସାର୍ଟିଫିକେଟ୍ ଇସ୍ୟୁ ହୋଇଥିବା ଏକ ଡାଟାବେସ୍ ପୋଲିସ୍ ହାତରେ ଲାଗିଛି ।
Also Read
ଅଭିଯୁକ୍ତମାନେ ‘ବୋର୍ଡ ଅଫ୍ ଇଲେକ୍ଟ୍ରୋ ହୋମିଓପ୍ୟାଥି ମେଡିସିନ୍ (BEHM) ଗୁଜରାଟ’ ନାମରେ ଏହି ନକଲି ଡିଗ୍ରୀ ଇସ୍ୟୁ କରୁଥିଲେ । ଅଭିଯୁକ୍ତମାନଙ୍କ ନିକଟରୁ ଶତାଧିକ ଦରଖାସ୍ତ, ସାର୍ଟିଫିକେଟ ଓ ଷ୍ଟାମ୍ପ ଜବତ ହୋଇଛି ।
ଅଧିକ ପଢନ୍ତୁ: ସ୍ୱର୍ଣ୍ଣ ମନ୍ଦିରରେ ଫୁଟିଲା ଗୁଳି; ଅଳ୍ପକେ ବର୍ତ୍ତିଲେ SAD ମୁଖ୍ୟ ସୁଖବୀର ସିଂ ବାଦଲ
ତିନି ଜଣ ନକଲି ଡାକ୍ତର ଏଲୋପାଥି ପ୍ରାକ୍ଟିସ୍ କରୁଥିବାର ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଓ ରାଜସ୍ୱ ବିଭାଗ ଅଧିକାରୀ ମିଳିତ ଭାବେ ସେମାନଙ୍କ କ୍ଲିନିକରେ ରେଡ୍ କରିଥିଲେ । ପଚରାଉଚରା ବେଳେ ସେମାନେ ‘ବୋର୍ଡ ଅଫ୍ ଇଲେକ୍ଟ୍ରୋ ହୋମିଓପ୍ୟାଥି ମେଡିସିନ୍ (BEHM) ଗୁଜରାଟ’ ସାର୍ଟିଫିକେଟ୍ ପାଇଥିବାର କହିଥିଲେ । ତେବେ ଗୁଜରାଟ ସରକାରଙ୍କ ପକ୍ଷରୁ ଏଭଳି କୌଣସି ସାର୍ଟିଫିକେଟ୍ ଦିଆଯାଉନଥିବାରୁ ଏହା ନକଲି ବୋଲି ଜଣାପଡିଥିଲା । ଅଭିଯୁକ୍ତମାନେ ଏକ ନକଲି ୱେବସାଇଟରେ ଡିଗ୍ରୀ ରେଜିଷ୍ଟର କରୁଥିଲେ ।
ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଲେକ୍ଟ୍ରୋ ହୋମିଓପ୍ୟାଥି ପାଇଁ ଭାରତରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ତେଣୁ ମୁଖ୍ୟ ଅଭିଯୁକ୍ତ ଇଲେକ୍ଟ୍ରୋ ହୋମିଓପ୍ୟାଥି ଉପରେ ଏକ ବୋର୍ଡ ଗଠନ କରିବାକୁ ଯୋଜନା କରିଥିଲା । ସେ ୫ ଜଣଙ୍କୁ ନିଯୁକ୍ତି ଦେଇ ଇଲେକ୍ଟ୍ରୋ ହୋମିଓପ୍ୟାଥି ଟ୍ରେନିଂ ଦେଉଥିଲା । ତିନି ବର୍ଷ ଭିତରେ ଏହି କୋର୍ସ ସାରୁଥିଲେ । ହୋମିଓପ୍ୟାଥି ମେଡିସିନ୍ କେମିତି ପ୍ରେସ୍କ୍ରାଇବ କରିବେ, ତାହା ହିଁ ଦିଆଯାଉଥିଲା ଟ୍ରେନିଂ । ଏହି ନକଲି ଡାକ୍ତରମାନେ ଯେତେବେଳେ ଜାଣିଲେ ଯେ, ଇଲେକ୍ଟ୍ରୋ ହୋମିଓପ୍ୟାଥି ଭଲ ଚାଲୁନି ସେତେବେଳେ ସେମାନେ ଯୋଜନା ବଦଳେଇଲେ । ଗୁଜରାଟର ଆୟୁଷ ମନ୍ତ୍ରାଳୟ ଅଧିନରେ ଡିଗ୍ରୀ ଦେବା ଆରମ୍ଭ କଲେ । ବୋର୍ଡ ଅଫ୍ ଇଲେକ୍ଟ୍ରୋ ହୋମିଓପ୍ୟାଥି ମେଡିସିନ୍ (BEHM) ବୋର୍ଡ ଗୁଜରାଟ ଆୟୁଷ ମନ୍ତ୍ରାଳୟ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛି । ତେଣୁ ଏହି ସାର୍ଟିଫିକେଟରେ ଏଲୋପ୍ୟାଥି, ହୋମିଓପ୍ୟାଥି ଓ ଆରୋଗ୍ୟରେ ଚିକିତ୍ସା କରିପାରିବେ ବୋଲି ମୁଖ୍ୟ ଅଭିଯୁକ୍ତ କହିଥିଲା । ଏଥିରେ କିଛି ସମସ୍ୟା ନଥିବା ଡିଗ୍ରୀଧାରୀମାନଙ୍କୁ କୁହାଯାଇଥିଲା । ୭୦ ହଜାର ଟଙ୍କା ଦେବାର ୧୫ ଦିନ ଭିତରେ ଦେଉଥିଲେ ସାର୍ଟିଫିକେଟ୍ । ତେବେ ଏହି ସାର୍ଟିଫିକେଟର ବୈଧତା ମାତ୍ର ବର୍ଷକ ପାଇଁ ରହୁଥିଲା । ପୁଣି ୫ ହଜାରରୁ ୧୫ ହଜାର ଟଙ୍କା ଦେଇ ପ୍ରତିବର୍ଷ ନବୀକରଣ କରୁଥିଲେ ନକଲି ଡାକ୍ତର । ଯେଉଁମାନେ ନବୀକରଣ କରୁନଥିଲେ ସେମାନଙ୍କୁ ଏହି ଗ୍ୟାଙ୍ଗ ପକ୍ଷରୁ ଧମକଚମକ ମଧ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି ।