• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତକାଲି ସିଏଏ ବିଜ୍ଞପ୍ତି ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା । ସେଥିମଧ୍ୟରେ ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ୱ ।

୩ ପଡ଼ୋଶୀ ଦେଶର ଅଣମୁସଲିମ ଶରଣାର୍ଥୀ ଉପକୃତ ହେବେ । ୩ ପଡ଼ୋଶୀ ଦେଶ ହେଲେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ । ୨୦୧୪ ପୂର୍ବରୁ ଶରଣ ନେଇଥିବା ଲୋକଙ୍କୁ ମିଳିବ ସୁବିଧା । ପ୍ରାୟ ୩୦ ହଜାର ଶରଣାର୍ଥୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । ସିଏଏ ଅର୍ଥ ହେଉଛି ସିଟିଜେନ୍ ସିପ୍ ଆମେଣ୍ଡମେଣ୍ଟ ଆକ୍ଟ ।

ତେବେ CAA ବିଜ୍ଞପ୍ତି ଜାରି ହେବାର ଗୋଟିଏ ଦିନ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଏକ ୱେବ୍ ପୋର୍ଟାଲ ଲଞ୍ଚ କରିଛି । ଏହାମାଧ୍ୟମରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଅଣ-ମୁସଲମାନ ପ୍ରବାସୀ, ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ । CAA ଅଧୀନରେ ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଆବେଦନକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଇମେଲ ID ଏବଂ ମୋବାଇଲ୍ ନମ୍ବର ବ୍ୟବହାର କରି ପୋର୍ଟାଲରେ ଲଗ୍ ଇନ୍ କରିବା ଆବଶ୍ୟକ । ଏହା ପରେ ସେମାନଙ୍କୁ ଅନଲାଇନ୍ ଫର୍ମ ପୂରଣ କରିବା ସହ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବା ପରେ ଏକ ଦେୟ ମଧ୍ୟ ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ: CAA ପାଇଁ କିପରି କରିବାକୁ ହେବ ଆବେଦନ, କ’ଣ ରହିଛି ପ୍ରଣାଳୀ; ଜାଣନ୍ତୁ..

କେଉଁମାନଙ୍କୁ ମିଳିବ ସିଏଏ ?

ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନଙ୍କୁ ମିଳିବ ନାଗରିକତା । ଏହା ସହ ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିମାନେ ଡିସେମ୍ବର ୩୧, ୨୦୧୪ ପୂର୍ବରୁ କିମ୍ବା ପୂର୍ବରୁ ଭାରତରେ ପ୍ରବେଶ କରିଥିଲେ CAA ଅଧୀନରେ ନାଗରିକତ୍ୱ ପାଇପାରିବେ ।

କିପରି ଆବେଦନ କରିବେ ?

ଭାରତୀୟ ନାଗରିକତା ପାଇଁ https://indiancitizenshiponline.nic.in ରେ ଯାଇ ଅନଲାଇନ ଦ୍ୱାରା ଆବେଦନ କରି ପାରିବେ । ଏହା ସହ ଏକ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ରହିଛି । ବିଭିନ୍ନ ପ୍ରକାର ବର୍ଗରେ ଲୋକେ ଆବେଦନ କରିପାରିବେ । ଯେପରି, ପିତାମାତା ସ୍ୱାଧୀନ ଭାରତର ନାଗରିକ ହୋଇଥିଲେ, କୌଣସି ଭାରତୀୟ ନାଗରିକତା ଥିବା ବ୍ୟକ୍ତିଙ୍କୁ ବିବାହ କରିଥିଲେ, ବ୍ୟକ୍ତିଜଣକ ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ କାର୍ଡହୋଲ୍ଡର ଥିଲେ ଏହିପରି କାରଣଗୁଡ଼ିକ ଥିଲେ ବ୍ୟକ୍ତି ଜଣକ ଆବେଦନ କରିପାରିବେ ।

କି କି ଡକ୍ୟୁମେଣ୍ଟ୍ ଆବଶ୍ୟକ ?

CAA ଅଧୀନରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିବା ପାଇଁ ଆବେଦନକାରୀ ନିମ୍ନଲିଖିତ ଯେକୌଣସି ଦଲିଲ ଦାଖଲ କରିପାରିବେ: (i) ଆଫଗାନିସ୍ତାନ, ବାଂଲାଦେଶ କିମ୍ବା ପାକିସ୍ତାନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପାସପୋର୍ଟର ନକଲ (ii) ଏହି ଦେଶଗୁଡିକରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜନ୍ମ ପ୍ରମାଣପତ୍ର (iii) ଆଫଗାନିସ୍ତାନ, ବାଂଲାଦେଶ କିମ୍ବା ପାକିସ୍ତାନର ଯେକୌଣସି ବିଦ୍ୟାଳୟ / କଲେଜ / ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ପ୍ରମାଣପତ୍ର (iv) ଏହି ଦେଶରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଯେକୌଣସି ପରିଚୟ ପତ୍ର (v) ଏହି ତିନୋଟି ଦେଶରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଲାଇସେନ୍ସ (vii) ଏହି ଦେଶଗୁଡିକରେ ଜମି ରେକର୍ଡ (viii) ଆବେଦନକାରୀଙ୍କ ପିତାମାତା, ଜେଜେ, କିମ୍ବା ଅଣଜେଜେ ଯଦି ଭାରତର ନାଗରିକ ଥିବେ, ତତ୍ ସଂକ୍ରାନ୍ତ ପ୍ରମାଣ, ଏହା ସହ ଆବେଦନକାରୀଙ୍କୁ ଏହା ମଧ୍ୟ ପ୍ରମାଣ କରିବାକୁ ପଡିବ ଯେ ସେ ଡିସେମ୍ବର ୩୧, ୨୦୧୪ ପୂର୍ବରୁ ଭାରତରେ ପ୍ରବେଶ କରିଛନ୍ତି ।

ନାଗରିକତା ପ୍ରମାଣପତ୍ର କିପରି ଦିଆଯିବ?

ଆବେଦନକାରୀଙ୍କୁ ଏକ ଡିଜିଟାଲ ସାର୍ଟିଫିକେଟ୍ ଦିଆଯିବ । ଏହି ସାର୍ଟିଫିକେଟ୍ ସଂପୃକ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ଜନଗଣନା କାର୍ଯ୍ୟାଳୟରୁ ସଂଗ୍ରହ କରିବାକୁ ପଡିବ । ଭାରତରେ ପ୍ରବେଶ କରିବା ଦିନଠାରୁ ଆବେଦନକାରୀ ଭାରତୀୟ ନାଗରିକ ଭାବରେ ବିବେଚିତ ହେବେ ।

କେତେ ଟଙ୍କା ଦେବାକୁ ପଡ଼ିବ?

ଆବେଦନ ପାଇଁ ₹୫୦ ର ଦେୟ ଅନଲାଇନରେ ଦେବାକୁ ପଡ଼ିବ । ଏହା ଛଡ଼ା ଅନ୍ୟ କୌଣସି ମଧ୍ୟ ଦେୟ ଦେବାକୁ ପଡ଼ିବନାହିଁ ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଯଦି CAA ରେ କିଛି ଭଲ ଓ ଲୋକଙ୍କ ହିତରେ ଥିବ ତେବେ ସେ ଏହାକୁ ସମର୍ଥନ କରିବାକୁ ପ୍ରସ୍ତୁତ । କିନ୍ତୁ ଯଦି ଏହା ଦ୍ୱାରା ଲୋକଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ ହେବାକୁ ପଡ଼େ, ତେବେ ଏହା ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି । ତେବେ ଏପରି ସମୟରେ CAA ଲାଗୁ କରିବା କେବଳ ନିର୍ବାଚନ ପ୍ରଚାର ବୋଲି କହିଛନ୍ତି ମମତା ବାନାର୍ଜୀ ।