• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ କବଳରୁ କଳେ ବଳେ ଖସି ଆସିଛନ୍ତି ଦଳୀୟ ବିଧାୟକ ନିତିନ ଦେଶମୁଖ । ଆଉ ଆସିବା ପରେ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି ତାଙ୍କୁ ସୁରଟରେ ଜୋର ଜବରଦସ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ହାର୍ଟ ଆଟାକ୍‌ ଆସିଛି କହି ମୋତେ ଇନ୍‌ଜେକ୍ସନ ମଧ୍ୟ ଦିଆଯାଇଥିଲା । କିନ୍ତୁ ବାସ୍ତବରେ ତାଙ୍କୁ କୌଣସି ପ୍ରକାର ହାର୍ଟ ଆଟାକ୍ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ନଥିଲା ବୋଲି ଦେଶମୁଖ କହିଛନ୍ତି ।

ଏକନାଥ ସିନ୍ଦେଙ୍କ ସହ ସୁରଟ ଯାଇଥିବା ବିଧାୟକଙ୍କ ମଧ୍ୟରୁ ନିତିନ ଦେଶମୁଖ ହେଉଛନ୍ତି ଅନ୍ୟତମ । ସେଠାରୁ ସେ ବହୁ କଷ୍ଟରେ ଖସି ଆସି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଛନ୍ତି । ନାଗପୁର ଏୟାରପୋର୍ଟରେ ପହଞ୍ଚିବା ପରେ ଗଣମାଧ୍ୟମ ଆଗରେ ସେ ଏଭଳି କାହାଣୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଉଦ୍ଧବ ସରକାର ପ୍ରତି ତାଙ୍କର ଯଥେଷ୍ଟ ଭରସା ରହିଛି । ସେ ଉଦ୍ଧବ ସରକାର ସହ ନିଷ୍ଠାର ସହ ରହିଛନ୍ତି ।

ଦେଶମୁଖଙ୍କ ପତ୍ନୀ ଗୋଟିଏ ଦିନ ପୂର୍ବରୁ ସ୍ୱାମୀ ନିଖୋଜ ଥିବା ନେଇ ଅକୋଲା ପୋଲିସ ଷ୍ଟେସନ୍‌ରେ ଏତଲା ଦେଇଥିଲେ । ଦେଶମୁଖ ଅକୋଲା ଜିଲ୍ଲାର ବାଲାପୁର ନିର୍ବାଚନମଣ୍ଡଳୀର ବିଧାୟକ ରହିଛନ୍ତି ।

ସେ ଦାବି କରିଛନ୍ତି ଯେ, ମୁଁ ଉଦ୍ଧବ ଠାକରେ ଓ ବାଲା ସାହେବ ଠାକ୍‌ରେଙ୍କ ଶିବ ସୈନିକ୍ । ମୋର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ମଙ୍ଗଳବାର, ପ୍ରାୟ ୨୦ରୁ ୨୫ ଜଣ ଲୋକ ଏବଂ ପୋଲିସ କର୍ମଚାରୀ ମୋତେ ସୁରଟର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନେ ଜବରଦସ୍ତି କହୁଥିଲେ ଯେ, ମୋତେ ହାର୍ଟଆଟାକ୍‌ ଆସିଛି । କିନ୍ତୁ ବାସ୍ତବରେ ମୋତେ ହାର୍ଟଆଟାକ୍‌ ଆସିନି । ଏମିତିକି ବ୍ଲଡ୍ ପ୍ରେସର ମଧ୍ୟ ବଢ଼ିନଥିଲା । ତାଙ୍କର ଉଦ୍ଦେଶ୍ୟ ଖରାପ ଥିଲା । ଜାଣିଶୁଣି ମୋତେ ବିନା କାରଣରେ ଇନ୍‌ଜେକ୍ସନ ଦେଇଥିଲେ ।’

ଗୋଟିଏ ଦିନ ପୂର୍ବରୁ ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ ଯେ, ସିନ୍ଦେଙ୍କ ସହ ସୁରଟକୁ ଯାଇଥିବା କିଛି ବିଧାୟକଙ୍କୁ ବିଭ୍ରାନ୍ତ କରାଯାଇ ଅପହରଣ କରି ସେଠାକୁ ନିଆଯାଇଛି । ସେ ଆହୁରି କହିଥିଲେ ଯେ, ଯେତେବେଳେ ନିତିନ ଦେଶମୁଖ ଖସିଯିବାକୁ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କୁ ସୁରଟରେ 'ଅପରେସନ୍ କମଲ' ଅଧୀନରେ ପୋଲିସ ଓ ଗୁଣ୍ଡାମାନେ ମାଡ଼ ମାରିଥିଲେ ଫଳରେ ତାଙ୍କୁ ହୃଦ୍‌ଘାତ ଆସିଥିଲା ।