• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନକଲି..ନକଲି..ସବୁଠି ନକଲି । ଯୁଆଡ଼େ ହାତ ମାରିଲେ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି ହାତେଇଥିବା ଓ ପଦୋନ୍ନତିର ପୁଳା ପୁଳା ଅଭିଯୋଗ । ବଲାଙ୍ଗିର ଜିଲ୍ଲା ରେ କ୍ରାଇମବ୍ରାଞ୍ଚ ଘାଣ୍ଟୁଥିବାବେଳେ ନୀଳଗିରିରୁ ବି ଆସିଛି ସାଂଘାତିକ ତଥ୍ୟ ।

ସଇଁନ୍ତଲା ଥାନା ପାଇକସମରା ଗାଁର ଜିତେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଗାୟତ୍ରୀ ମଲ୍ଲିକ । ଶିକ୍ଷକ ପଦୋନ୍ନତି ପାଇଁ ଜାଲ୍ ସାର୍ଟିଫିକେଟ୍ ଦେଇ ସରକାରଙ୍କୁ ଭଣ୍ଡାଇଥିବା ନେଇ ଏମାନଙ୍କ ବିରୋଧରେ ସଂଗୀନ ଅଭିଯୋଗ । ୨୦୧୧ ମସିହାରେ ଜିତେନ୍ଦ୍ର ତାମିଲନାଡୁର କାମରାଜ ୟୁନିଭରସିଟିରୁ ବିଏ ପାସ କରିଥିବା ବେଳେ, ୨୦୧୨ରେ ଉତ୍ତରପ୍ରଦେଶ ମିରଟ୍ ଚୌଧୁରୀ ଚରଣ ସିଂ ବିଦ୍ୟାଳୟରେ ବି.ଇ.ଡି ପାସ କରିଛନ୍ତି ।

ଏଠି ପ୍ରଶ୍ନ ମାତ୍ର ଦୁଇ ବର୍ଷ ଭିତରେ ଏକା ସାଙ୍ଗେ ତାମିଲନାଡୁ ଓ ୟୁପିରୁ କେମିତି ବିଏ- ବିଇଡି ପାସ କଲେ ଜୀତେନ୍ଦ୍ର । ସେମିତି ପତ୍ନୀ ଗାୟତ୍ରୀ ମଲ୍ଳିକ ତାମିଲନାଡୁର ଆନାମଲାଇ ୟୁନିଭରସିଟିରୁ ବିଇଡି ସାର୍ଟିଫିକେଟ ହାତେଇ ଏବେ ପ୍ରଧାନ ଶିକ୍ଷୟତ୍ରୀ । ଦୁଇଜଣଙ୍କ ସାର୍ଟିଫିକେଟର ବୈଧତା ଉପରେ ଘୋର ଆପତ୍ତି ଉଠାଇଛନ୍ତି ଆରଟିଆଇ କର୍ମୀ।

ଓଟିଭିକୁ ମିଳିଥିବା ସୂଚନା ଅନୁଯାୟୀ, ଜାଲ୍ ସାର୍ଟିଫିକେଟର ଗନ୍ତାଘର ପାଲଟିଥିବା ବଲାଙ୍ଗିର ଜିଲ୍ଳା ଶିକ୍ଷା ବିଭାଗରେ ଏବେ କୁଆଡ଼େ ଅଛନ୍ତି ଏମିତି ପୁଳା ପୁଳା ନକଲି ଶିକ୍ଷକ । ତଥ୍ୟ କହୁଛି ଗତ ତିନିରୁ ୪ବର୍ଷ ଭିତରେ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ କାଟେଗୋରିରେ ନିଯୁକ୍ତି ପାଇଥିବା ୩୭୮ ଜଣ ଶିକ୍ଷକ ଦେଇଛନ୍ତି ବାହାର ରାଜ୍ୟର ଯୋଗ୍ୟତା ସାର୍ଟିଫିକେଟ୍ ଯାହାର ବୈଧତାକୁ ନେଇ ଉଠିଛି ପ୍ରଶ୍ନ । ଆଉ ତନାଘନା ପରେ ଏବେ କୁଆଡ଼େ ଏମାନଙ୍କ ତାଲିକା କରୁଛି ଜିଲ୍ଳା ଶିକ୍ଷା ବିଭାଗ ।

ଅଧିକ ପଢ଼ନ୍ତୁ: ଖୋଲିବ ତ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ଗୁମର?

ସେପଟେ ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ ଆଜି ପ୍ରଥମେ ଟାଉନଥାନାରେ ଦଲିଲ ଦସ୍ତାବିଜ ଖାନତଲାସୀ କରିବା ପରେ ଦୁଇ ଭାଗ ହୋଇଥିଲା । ଗୋଟିଏ ଟିମ କୋର୍ଟକୁ ଯାଇ, ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ରିମାଣ୍ଡ ଆବେଦନ କରିଥିଲେ । ତ ଅନ୍ୟ ଟିମ ମନୋଜ ମିଶ୍ରଙ୍କ ହାତୀଶାଳପଡା ଘର ଓ ସିଭିଲ କୋର୍ଟ ପଛପଟେ ଥିବା ଲୋକ ଉଦଗାତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚୁରା କରି ଉଭୟଙ୍କ ପତ୍ନୀଙ୍କୁ ଟାଉନଥାନା ଆସିବାକୁ ନୋଟିସ୍ ଦେଇଛି ।

ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ବି ଆସିଛି ଜାଲ୍ ସାର୍ଟିଫିକେଟ୍‌ର କେଳେଙ୍କାରୀ । ଅଁଳାପାଳ ୟୁପି ସ୍କୁଲର ଶିକ୍ଷୟିତ୍ରୀ ଦେବକୀ ବେହେରା ୨୦୧୫ ମସିହାରେ ସେ ଦାଖଲ କରିଥିବା ଯୁକ୍ତ ଦୁଇ ପାସ୍ ପ୍ରମାଣପତ୍ର ଦେଖିଲେ ହୋସ୍ ଉଡ଼ିଯିବ । ୨୦୧୩ରେ ସେ ବେତନଟୀରେ ଓପେନ ୟୁନିଭରସିଟିରେ ପରୀକ୍ଷା ଦେଇ ଫେଲ୍ ହୋଇଥିଲେ । ହେଲେ ସେହି ବର୍ଷ ପୁଣି ସେ ରାଜ୍ୟ ହାରର ସୋନରପୁରରୁ ପାସ୍ କରିଥିବା ଏକ ସାର୍ଟିଫିକେଟ୍ ଦେଇଛନ୍ତି । ତାପରେ ତାଙ୍କ ବର୍ଦ୍ଧିତ ଦରମା ଲାଗୁ ହୋଇଥିଲା । ଏହା କେମିତି ସମ୍ଭବ ହେଲା, ତାହା ପଚାରିବାରେ ଦେବକୀ ଚିହିଁକି ଉଠିଥିଲେ ।

ସେହିପରି ଗେନ୍ଦ୍ରାସାହିର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସା ବି ୨୦୧୩ରେ ସୋନରପୁରରୁ ଯୁକ୍ତ ଦୁଇ ପାସ୍ ସାର୍ଟିଫିକେଟ୍ ସହ ପରେ ୨୦୧୮ରେ ଆଉ ଏକ ପାସ୍ ସାର୍ଟିଫିକେଟ୍ ଦେଇଛନ୍ତି, ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବିଇଓ କହିଛନ୍ତି- ଆମେ ତଦନ୍ତ କରି ବିଭାଗକୁ ରିପୋର୍ଟ ଦେଇ ସାରିଛୁ ।

(ରିପୋର୍ଟ- ନୀଳଗିରିରୁ ବିଶ୍ୱମ୍ଭର ଦାସ)