ବିଶ୍ବାସରେ ବିଷ । ନିଜକୁ ଆଧ୍ୟାତ୍ମିକ ପୁରୁଷ ତଥା 'ବାବା' ବୋଲି ପରିଚୟ ଦେଇ ଲୁଟ । ରାଜଧାନୀ ଦିଲ୍ଲୀରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଠାରୁ ଲୁଟ ଘଟଣାରେ ୪ ଜଣଙ୍କୁ ବାନ୍ଧିଛି ପୋଲିସ । ଫଳରେ ଏକ ବଡ଼ ଧରଣର ଲୁଟେରା ଗ୍ୟାଙ୍ଗର ହୋଇଛି ପର୍ଦ୍ଦାଫାସ ।
ଅଗଷ୍ଟ 1 ତାରିଖ, ଶୁକ୍ରବାର…. ଦିଲ୍ଲୀ ମୋତି ନଗରରୁ ଏକ ଘରୋଇ ଟ୍ୟାକ୍ସିରେ ଯାତ୍ରା କରୁଥିବା ଜଣେ ମହିଳାଙ୍କଠାରୁ ବାବା ବେଶରେ ଆସି ସୁନା ଓ ହୀରା ମୁଦି ଲୁଟିନେଇଥିଲେ ଲୁଟେରା । ପୋଲିସର କହିବାନୁସାରେ, ମହିଳାଙ୍କ ଟାକ୍ସି ଶାଦିପୁର ଫ୍ଲାଏଓଭର ନିକଟରେ ଅଟକିଥିବା ସମୟରେ ପ୍ରାୟ ୨୦ରୁ ୨୫ ବର୍ଷ ବୟସ୍କ ୩ ଜଣ ଯୁବକ ସେହି ଟ୍ୟାକ୍ସି ପାଖକୁ ଆସିଥିଲେ । ବାବା ତଥା ପୂଜାରୀମାନଙ୍କ ପରି ପୋଷାକ ପିନ୍ଧି ସେମାନେ ପ୍ରଥମେ ଭିକ୍ଷା ମାଗିଥିଲେ । ମହିଳା ସେମାନଙ୍କୁ ୨୦୦ ଟଙ୍କା ଦେଇଥିଲେ, କିନ୍ତୁ କିଛି ସମୟ ପରେ, ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମଝି ଆଙ୍ଗୁଠିରୁ ସୁନା ଏବଂ ହୀରା ମୁଦି ଛିଣ୍ଡାଇ ନେଇ ଛୁ ମାରିଥିଲା ।
ଏନେଇ ମହିଳା ଜଣକ ମୋତି ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିବା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ପରେ ଘଟଣାସ୍ଥଳ ନିକଟରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇ ସନ୍ଦିଗ୍ଧମାନେ ଏକ ଅଟୋ-ରିକ୍ସାରେ ଚମ୍ପଟ ମାରିଥିବା ଦେଖାଯାଇଥିଲା । ପୋଲିସ ଅଧିକ ଛାନଭିନ୍ କରି ଅଟୋ ରିକ୍ସାର ମାଲିକ ମାଧ୍ୟମରେ ଲୁଟେରାଙ୍କ ନିକଟରେ ପହଞ୍ଚିଥିଲା । ପରେ ଅଶୋକା ପାର୍କ ମେଟ୍ରୋ ଷ୍ଟେସନ୍ ନିକଟରେ ମୁଖ୍ୟ ଅଭିଯୁକ୍ତ ଲୁଟେରା ବିନୋଦ କାମତକୁ ଗିରଫ କରାଯାଇଥିଲା ।
Also Read
ପଚରାଉଚରା ସମୟରେ, ସେ ତାର ସମ୍ପୃକ୍ତି ସ୍ୱୀକାର କରିବା ସହ ଅନ୍ୟ ଅଭିଯୁକ୍ତଙ୍କ ଠିକଣା କହିଥିଲା । ଏହାପରେ ପୋଲିସ ପଞ୍ଜାବୀ ବାଗରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଲୁଟେରାମାନେ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ଚୋରି ମୁଦିଟିକୁ ଜଣେ ସ୍ଥାନୀୟ ସୁନାକାରୀଗରଙ୍କୁ ୨୬୦୦୦ ଟଙ୍କାରେ ବିକ୍ରି କରିଦେଇଥିବା କହିଥିଲେ ।
ପୋଲିସ ସମ୍ପୃକ୍ତ ସୁନାକାରୀଗରଙ୍କ ଦୋକାନରେ ଚଢାଉ କରି ମାଲିକଙ୍କୁ ମଧ୍ୟ ଗିରଫ କରିଥିଲା । ପୋଲିସ ତରଳିଯାଇଥିଲା ସୁନା ଏବଂ ୬୧ଟି ଛୋଟ ହୀରା ଖଣ୍ଡ ଜବତ କରିଥିବା ଜଣାପଡ଼ିଛି । ସେପଟେ ସମସ୍ତ ଅଭିଯୁକ୍ତ ପରସ୍ପର ମଧ୍ୟରେ ବନ୍ଧୁ କିମ୍ବା ସମ୍ପର୍କିୟ ବୋଲି ଜାଣିବାକୁ ପାଇଛି ପୋଲିସ । ସେମାନେ ସନ୍ଦେହରୁ ବର୍ତ୍ତିବା ପାଇଁ ଧାର୍ମିକ ପୋଷାକ ବ୍ୟବହାର କରି ଲୁଟ୍ ତଥା ଅପରାଧ ଘଟାଇଥିବା କହିଛି ପୋଲିସ ।