Cyber Crime: ସତ ପୋଲିସ ପାଖରେ ଲାଗିଲା ମିଛ ପୋଲିସର ଭିଡିଓ କଲ୍‌ ! ତା’ପରେ... Video

ପୋଲିସ ଅଫିସର ଜଣଙ୍କ ପୂର୍ବରୁ ଆଭାସ୍‌ ପାଇସାରିଥିଲେ ଯେ, ଆଜିକାଲି କିଛି ଠକମାନେ ଏମିତି ଫର୍ମୁଲା ପକାଇ ଲୋକଙ୍କୁ ଲୁଟ୍‌ କରୁଛନ୍ତି ।

ସତ ପୋଲିସକୁ ମିଛ ପୋଲିସର ଭିଡିଓ କଲ

ମିଛ ପୋଲିସର ଭିଡିଓ କଲ ଲାଗିଗଲା ସତ ପୋଲିସ ପାଖରେ । ଆଜ୍ଞା ହଁ, ଟେକ୍ନୋଲୋଜି ଯେତିକି ଆଗଉଛି, ଟେକ୍ନିକାଲ ଅପରାଧ ବି ସେତିକି ବଢ଼ୁଛି । ଇଣ୍ଟରନେଟ୍‌ର ବ୍ୟବହାର ଯେତେ ଅଧିକ ହେଉଛି, ସେତେ ଅଧିକ ଲୋକ ସାଇବର ଠକେଇର ଶିକାର ହେଉଛନ୍ତି । ଆମେ ବିଭିନ୍ନ ସମୟରେ ଶୁଣି ଆସିଛନ୍ତି ଯେ, ସାଇବର ଠକମାନେ ମୋବାଇଲକୁ ମେସେଜ୍‌ କରି ବିଭିନ୍ନ ଲିଙ୍କ୍‌ ମାଧ୍ୟମରେ ଆକାଉଣ୍ଟ ଗୋଲ କରନ୍ତି । ଏମିତିକି କିଛି ସାଇବର ଠକ ମହିଳା ବେଶରେ ଭିଡିଓ କଲ କରି, ଲୋକଙ୍କୁ ଫସାନ୍ତି । ଆଉ ତାଙ୍କଠାରୁ ଟଙ୍କା ଲୁଟ୍‌ କରନ୍ତି ।

ଠିକ୍‌ ଏମିତି ଜଣେ ଠକ ଏବେ ପୋଲିସ ହାତରେ ଧରାପଡ଼ିଛି । ସାଇବର ଠକଙ୍କ ଦୌରାତ୍ମ୍ୟ ବା ଆତଙ୍କ ଏତେ ମାତ୍ରାରେ ବଢ଼ିଲାଣି ଯେ, ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ‘ମନ କି ବାତ୍‌’ରେ ଏନେଇ ଲୋକଙ୍କୁ ସଚେତନ କଲେଣି । ତଥାପି ଡିଜିଟାଲ୍‌ ଅପରାଧ ବଢ଼ିବାରେ ଲାଗିଛି ।

ଏହା ସହ ପଢ଼ନ୍ତୁ: Viral Video: ମଦ୍ୟପଙ୍କ ରିଲ୍ସ ନିଶା; ଭଡ଼ାରେ ଆଣି ରେଲୱେ ଟ୍ରାକ୍‌ରେ ଚଲାଇଲେ Thar

ତେବେ ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ... ଠକର ବେଳା ଖରାପ ଥିଲ..! ଜଣେ ସାଇବର ଠକ ନିଜକୁ ପୋଲିସ ବେଶରେ ସଜାଇ ଶିକାର ଖୋଜୁଥିଲା । ଆଉ ଶିକାର ଖୋଜୁ ଖୋଜୁ ତାର ଭିଡିଓ କଲ ପହଞ୍ଚିଥିଲା ଜଣେ ସତ ପୋଲିସ ଅଫିସରଙ୍କ ପାଖରେ । ଖାଲି ସେତିକି ନୁହେଁ, ଉକ୍ତ ପୋଲିସ ଅଫିସର ଜଣଙ୍କ ସାଇବର ସେଲ୍‌ର ଜଣେ ଅଧିକାରୀ ଥିଲେ । ଆପଣ ଏଥିରୁ ଅନୁମାନ କରନ୍ତୁ ସେ ଠକର ଅବସ୍ଥା କ’ଣ ହୋଇଥିବା ।

ଭିଡିଓ କଲ କରି ଠକ ଜଣକ ପ୍ରଥମେ ନିଜକୁ ମୁମ୍ବାଇ ପୋଲିସ ବୋଲି ପରିଚୟ ଦେଇଥିଲା । ହେଲେ ଏପଟେ ଭିଡିଓ କଲ ରିସିଭ୍‌ କରିଥିବା ପୋଲିସ ଅଫିସର ଜଣଙ୍କ ନିଜର ପରିଚୟ ଦେଇନଥିଲେ । ଏମିତିକି ଭିଡିଓ କଲ୍‌ର ଭିଡିଓ ମଧ୍ୟ ଅଫ୍‌ ରଖିଥିଲେ । ଆଉ ଠକକୁ ବାରମ୍ବାର କହୁଥିଲେ ଭିଡିଓ କଲ୍‌ରେ ବୋଧ ହୁଏ କିଛି ଅସୁବିଧା ରହିଛି, ତେଣୁ ଭିଡିଓ ଦେଖାଯାଉନି । ଅନ୍ୟପଟରୁ ଠକ ଜଣକ ନିଜକୁ ମୁମ୍ବାଇ ପୋଲିସ ବୋଲି ପରିଚୟ ଦେଇ ବିଭିନ୍ନ କଥା କହି ଚାଲିଛି । ଆଉ ଠକିବା ପାଇଁ ସବୁ ପ୍ରକାର ପ୍ଲାନ୍‌ ଫର୍ମୁଲା ପକାଇ ଚାଲିଛି । ହେଲେ ଅଫିସର ଜଣଙ୍କ ସବୁ ଜାଣି କିଛି ନଜାଣିଲା ଭଳି ଅଭିନୟ କରିଥିଲେ।

କାରଣ ପୋଲିସ ଅଫିସର ଜଣଙ୍କ ପୂର୍ବରୁ ଆଭାସ୍‌ ପାଇସାରିଥିଲେ ଯେ, ଆଜିକାଲି କିଛି ଠକମାନେ ଏମିତି ଫର୍ମୁଲା ପକାଇ ଲୋକଙ୍କୁ ଲୁଟ୍‌ କରୁଛନ୍ତି । ତେଣୁ ସେ ଭିଡିଓ କଲ ରିସିଭ କରିଥିଲେ ବି ଭିଡିଓ ଅଫ୍‌ ରଖିଥିଲେ । ଠକର ଅନେକ ଚାଲାଖି ଶୁଣି ସାରିବା ପରେ, ଶେଷରେ ପୋଲିସ ଅଫିସର ଜଣଙ୍କ କହିଥିଲେ, ବାସ୍‌ ସେତିକି ଥାଉ । ଆଉ କିଛି କହନି... ତମେ ଏବେ ପୋଲିସ କବ୍‌ଜାରେ । ଆମେ ତମକୁ ଟ୍ରାକ୍‌ କରିସାରିଛୁ । ଏହାପରେ ଭିଡିଓ ଅନ୍‌ କରିଥିଲେ । ଠକ ଜଣକ ଭିଡିଓ କଲ୍‌ରେ ସତ ପୋଲିସ ଅଫିସରକୁ ଦେଖି ଛାନିଆ ହୋଇଗଲା । ଆଉ ତୁରନ୍ତ ଭିଡିଓ କଲକୁ ଅଫ୍‌ କରିଦେଲା ।

ଏହା ସହ ପଢ଼ନ୍ତୁ:  ଲକ୍ ହେଲା ସୁପାରି କିଲର ବନ୍ଧୁକ, ବାହାରିଲାନି ଗୁଳି ! ତା’ପରେ...

ଏମିତି ଏକ ଘଟଣା ସାମ୍ନାକୁ ଆଣିଛି କେରଳର ତ୍ରିସୁର ସିଟି ପୋଲିସ । ଠକକୁ ଟ୍ରାକ୍‌ କରି ପୋଲିସ ତାକୁ ଗିରଫ କରିଛି । ଅନ୍ୟପଟେ ଏହି ପୂରା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି ତ୍ରିସୁର ସିଟି ପୋଲିସ । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ।