ଅପରାଧୀଙ୍କୁ ସାବାଡ଼ କରିବାକୁ ଅନେକ ସମୟରେ ପୋଲିସ ଏନକାଉଣ୍ଟର ଭଳି ଚରମ ପଦକ୍ଷେପ ନେଇଥାଏ। ହୁଏତ ଏ ପ୍ରକାର ଅଲିଖିତ ନିର୍ଦ୍ଦେଶନାମା ଏକ ବଡ଼ ବିତର୍କର ଅପେକ୍ଷା ରଖେ। କିନ୍ତୁ ଅପରାଧୀଙ୍କୁ ସାବାଡ଼ କରିବାକୁ ପୁଲିସ ସେମାନଙ୍କୁ ମାଡ଼ି ବସି ସାଇକେଲ୍ ସ୍ପୋକରେ ଆଖି ଫୁଟାଇବା ଓ ସିରିଞ୍ଜରେ ଏସିଡ ଢାଳିବା ଭଳି କାଣ୍ଡ ଯେ ଭାରତରେ ଘଟିଛି, ଏକଥା ହୁଏତ କେହି ସହଜରେ ଗ୍ରହଣ କରିନପାରନ୍ତି। ସତୁରି ଦଶକରେ ବିହାରର ଭାଗଲପୁର ଜିଲ୍ଲାରେ ଏଭଳି କଳା ଇତିହାସ ଲେଖାଯାଇଥିଲା।
୧୯୭୫ ପରେ ବିହାରର ଭାଗଲପୁର ଆଖପାଖ ଅଞ୍ଚଳରେ ଅପରାଧ ବଢ଼ିଯାଇଥାଏ। ଡକାୟତି, ହତ୍ୟା, ଦୁଷ୍କର୍ମ, ଅପହରଣ ନିୟମିତ ଘଟଣା ଥିଲା। ସ୍ଥିତି ଏଭଳି ହେଲା ଯେ ୧୯୭୮ରେ କେବଳ ଭାଗଲପୁରରେ ୮୯ଟି ହତ୍ୟାକାଣ୍ଡ ଘଟିଥିଲା। ଅପହରଣ ମାମଲା ଆଦୌ ଥାନାରେ ରୁଜୁ ହେଉନଥିଲା। ଚାରିଆଡ଼େ ଭୟ ଓ ଆତଙ୍କର ଏକ ପରିବେଶ ସୃଷ୍ଟି ହୋଇଥିଲା। ଏକ ପ୍ରକାର ପୋଲିସ-ଅପରାଧୀଙ୍କ ଅସାଧୁ ମେଣ୍ଟ ଏଭଳି ପରିସ୍ଥିତିକୁ ବଳ ଯୋଗାଉଥିବା କୁହାଯାଏ। ହଠାତ୍ ଭାଗଲପୁରର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣା ପରେ ଭାଗଲପୁରର ଅପରାଧୀକ ଦୃଶ୍ୟପଟ୍ଟ ବଦଳିଗଲା। ରାଜ୍ୟ ସରକାରଙ୍କ ଚାପ ପୋଲିସ ଉପରେ ପଡ଼ିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଆସିଲା। ୧୯୭୯ ଆରମ୍ଭରୁ ଭାଗଲପୁରରେ ଅପରାଧୀଙ୍କୁ ସାବାଡ଼ କରିବାକୁ ଋଣନୀତି ପ୍ରସ୍ତୁତ ହୋଇଥିଲା। ଗିରଫ ପରେ ଯେହେତୁ ଅପରାଧୀମାନେ ସାକ୍ଷୀ ଅଭାବରୁ ଖସିଯାଉଛନ୍ତି, ସେଥିପାଇଁ ଏମାନଙ୍କୁ ସାବାଡ଼ କରିବାକୁ ସେ ସମୟରେ ପୁଲିସ ଯେଉଁ ନିଷ୍ପତ୍ତି ନେଇଥିଲା, ଏକଥା ଶୁଣିଲେ ଦେହ ଶୀତେଇଯିବ । ଏକ ଅଜଣା ଭୟରେ ଛାତି ଥରିଉଠିବ।
୧୯୭୯ ଅକ୍ଟୋବରରେ ଭାଗଲପୁର ଜିଲ୍ଲା ନବଗଚ୍ଛିଆ ଥାନା ଅଞ୍ଚଳରେ ପୋଲିସ ପ୍ରଥମ ଶିକାର ଆରମ୍ଭ କରିଥିଲା। ସେଠାକାର କୁଖ୍ୟାତ ଅପରାଧୀଙ୍କୁ ଦିନ ସମୟରେ ପୋଲିସ ଥାନାକୁ ଟେକିଆଣିଥିଲା। ରାତିର ଅନ୍ଧାରରେ ପୋଲିସ ସମ୍ପୃକ୍ତ ଅପରାଧୀଙ୍କ ହାତ ବାନ୍ଧି ଛୁଞ୍ଚିରେ ଆଖି ଫୁଟାଉଥିଲା। ସିରିଞ୍ଜରେ ଏସିଡ ପୂରାଇ ଆଖିରେ ଢାଳୁଥିଲେ। ପରେ ଏହି ଅପରାଧୀଙ୍କୁ ପୁଲିସ ଡାକ୍ତରଖାନା ନେଉଥିଲା। ନବଗଚ୍ଛିଆରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ ପରେ ସାବୋର, ନାଥନଗର, ବରାରି, ରାଜୋନ, କାହେଲନଗର ଭଳି ଥାନାରେ ଏହି ସିରିଜ୍ ଅପରେସନ୍ ପୋଲିସ ଜାରି ରଖିଲା। ସମାନ ଶୈଳୀରେ ପେସାଦାର ଅପରାଧୀଙ୍କୁ ଥାନାକୁ ଆଣିବା ପରେ ଆଖିଗୁଡ଼ିକ ନଷ୍ଟ କରିଦେଉଥିଲେ। ଏହି ତାଲିକାରେ ଲଖି ମେଥୋ, ଅର୍ଜୁନ ଗୋସ୍ବାମୀ, ଅନିଲ ଯାଦବ, ଭୋଲା ଚୌଧୁରୀ, କାଶୀ ମଣ୍ଡଳ, ଉମେଶ ଯାଦବ, ଲକ୍ଷଣପାଲ ମଣ୍ଡଳ, ଚମନଲାଲ ରାୟ, ବଲଜିଦ୍ ସିଂହ ଆଦି ଦୁର୍ଦ୍ଦାନ୍ତ ଅପରାଧୀ ଥିଲେ।
ଅଧିକ ପଢ଼ନ୍ତୁ : ପୂର୍ବତନ ବିଧାୟକଙ୍କ କୁମ୍ଭୀର ପ୍ରେମ ! ଘରେ ପାଳିଥିଲେ ୪କୁମ୍ଭୀର, IT ରେଡ୍ ବେଳେ ଉଦ୍ଧାର
ପୋଲିସର ଏ ପ୍ରକାର ଅପରେସନ୍ ଚାଲିଥିବା ବେଳେ ସେତେବେଳେ ଭାଗଲପୁର ଜିଲ୍ଲା ଏସପି ଥାଆନ୍ତି ୧୯୭୩ ବ୍ୟାଚର ଆଇପିଏସ୍ ଅଫିସର ବିଷ୍ଣୁ ଦଲାୟ ରାମ। ପୋଲିସର ଏହି ଅପରେସନ୍ ତାଙ୍କ ନେତୃତ୍ବରେ ହୋଇଥିଲା। ୯ ମାସ ସେ ଭାଗଲପୁରରେ ଏସପି ଥିଲେ। ୧୯୭୯ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ ୧୯୮୦ ଜୁଲାଇ ଯାଏ ପାଖାପାଖି ୧୧ ମାସ କାଳ ଜାରି ରହିଥିଲା। ପୋଲିସର ଏହି ଅଭିଯାନରେ ଅପରାଧୀଙ୍କ ଆଖି ଫୁଟାଇବା ପରେ ସେମାନଙ୍କୁ ଗିରଫ କରି ଜେଲ୍ ପଠାଯାଉଥିଲା। ଭାଗଲପୁର ଜେଲର୍ ସବୁ କଏଦୀଙ୍କ ଆଖି ଫୁଟିଥିବା ଲକ୍ଷ୍ୟ କରିଥିଲେ। ୩୩ ଜଣଙ୍କ ଆଖି ଫୁଟାଇ ଦିଆଯାଇଥିଲା। ଆଖିର ଡୋଳା ବି ନଷ୍ଟ କରି ଦିଆଯାଇଥିଲା। ୩୩ ଜଣଙ୍କ ମଧ୍ୟରୁ ଜଣେ ଥିଲେ ବଲଜିତ ସିଂହ। ତାଙ୍କ ପରିବାର ଲୋକେ ଜେଲରୁ ତାଙ୍କୁ ଆଣି ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଇଥିଲେ।
ପରବର୍ତ୍ତୀ ସମୟରେ ଆହୁରି ୧୧ ଜଣ ଆସିଥିଲେ। ଏମ୍ସ ଡାକ୍ତର ଏହି କଏଦୀଙ୍କ ଆଖି ନଷ୍ଟ ପରେ ଏସିଡ ଢଳାଯାଇଥିବା ରିପୋର୍ଟ ଦେଇଥିଲେ। ଏହି ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ହଟଚମଟ ସୃଷ୍ଟି କରିଥିଲା। ବିହାରରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲା। କଏଦୀଙ୍କ ନିକଟରୁ ଏହି ଆଖିଫୁଟାର କାହାଣୀ ଶୁଣିବା ପରେ ଜେଲର୍ ତତ୍କାଳୀନ ଜେଲ୍ ବିଭାଗ ଆଇଜିଙ୍କ ନିକଟକୁ ଚିଠି ଲେଖିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ସେତେବେଳେ ବିହାରର ମୁଖ୍ୟମନ୍ତ୍ରୀ ଥାଆନ୍ତି ଜଗନ୍ନାଥ ମିଶ୍ର । ରାଜ୍ୟରେ କଂଗ୍ରେସ ସରକାର ଚାଲିଥାଏ। କେନ୍ଦ୍ରରେ ବି କଂଗ୍ରେସ ସରକାର ଥାଏ ଏବଂ ପ୍ରଧାନମନ୍ତ୍ରୀ ଥାଆନ୍ତି ଇନ୍ଦିରା ଗାନ୍ଧୀ। ଏହି ପ୍ରସଂଗରେ ସବୁ ଗୋଷ୍ଠୀ ପୋଲିସ ସପକ୍ଷରେ ବାହାରିଥିଲେ। ହତ୍ୟାକାଣ୍ଡ ଓ ଡକାୟତି ଏକ ପ୍ରକାର କମିଯାଇଥିବାରୁ ଲୋକଙ୍କ ସମର୍ଥନ ପ୍ରଚୁର ମିଳିଥିଲା।
ଭାଗଲପୁରର ଜଣେ ଆଇନଜୀବୀ ଏହି ଘଟଣାକୁ ନେଇ ଅଦାଲତର କବାଟ ଠକ୍ ଠକ୍ କଲେ। ପାଟନା ହାଇକୋର୍ଟ ୩୧ ଜଣ କଏଦୀଙ୍କ ମାମଲାକୁ ବିଚାର କଲେ । ବିହାର ସରକାରଙ୍କ ଉପରେ ଚାପ ପଡ଼ିଲା। ବିହାର ପୋଲିସର ଏ ପ୍ରକାର କାର୍ଯ୍ୟକଳାପକୁ ନେଇ ସିବିଆଇକୁ ଘଟଣାର ତଦନ୍ତ ଦାୟିତ୍ବ ହସ୍ତାନ୍ତର କରାଗଲା। ତତ୍କାଳୀନ ଭାଗଲପୁର ଜିଲ୍ଲା ଏସପି ବିଷ୍ଣୁ ଦଲାୟ ରାମଙ୍କୁ ପଦରୁ ହଟାଇ ଦିଆଗଲା। ୧୦ ପୋଲିସ ଅଧିକାରୀଙ୍କୁ ସିବିଆଇ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇଲା। କିନ୍ତୁ ତତ୍କାଳୀନ ଏସପିଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ। ପ୍ରଥମେ କୋର୍ଟ ତିନି ଜଣ ପୋଲିସ ଅଫିସରଙ୍କୁ ଦୋଷୀ ସାବ୍ୟସ୍ତ କଲେ। ପରବର୍ତ୍ତୀ ସମୟରେ ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ଇନସ୍ପେକ୍ଟରଙ୍କୁ ଦୋଷ ମୁକ୍ତ କରାଯାଇଥିଲା।
ତତ୍କାଳୀନ ଏସପି ଭାଗଲପୁର ଜିଲ୍ଲାରୁ ଯେଉଁଆଡ଼େ ବି ଯାଉଥିଲେ ସେଠାରେ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ପଡ଼ୁଥିଲା। ସେମାନେ ସେ ଅଞ୍ଚଳ ଛାଡ଼ି ଚାଲିଯାଉଥିଲେ। ପରବର୍ତ୍ତୀ ସମୟରେ ବିହାର ଓ ଝାଡ଼ଖଣ୍ଡ ଅଲଗା ରାଜ୍ୟ ହୋଇଯାଇଥିଲେ। ଏହି ଏସପି ଝାଡ଼ଖଣ୍ଡ କ୍ୟାଡର ନେବା ପରେ ଝାଡ଼ଖଣ୍ଡ ଚାଲିଗଲେ। ଝାଡ଼ଖଣ୍ଡ ଡିଜିପି ହୋଇ ଅବସର ନେବା ପରେ ୨୦୧୩ରେ ରାଞ୍ଚିରେ ବିଜେପି ଦଳରେ ଯୋଗ ଦେଇଥିଲେ। ଝାଡ଼ଖଣ୍ଡ ପାଲାମୁ ଲୋକସଭା ଆସନରୁ ଟିକଟ୍ ପାଇ ବିଜୟ ହୋଇଥିଲେ।
ଏହି ଘଟଣାକୁ ଆଧାର କରି ସିନେ ନିର୍ଦ୍ଦେଶକ ପ୍ରକାଶ ଝା’ଙ୍କ ନିର୍ଦ୍ଦେଶନାରେ ଗଙ୍ଗାଜଳ ସିନେମା ୨୦୦୩ ଅଗଷ୍ଟ ୨୯ରେ ମୁକ୍ତିଲାଭ କଲା। ଏହି ସିନେମାରେ ଅଜୟ ଦେବଗନ ବିଷ୍ଣୁ ଦଲାୟ ରାମ ଚରିତ୍ରରେ ପରଦାକୁ ଆସିଥିଲେ। ତେବେ ଏହି ସିନେମାର କାହାଣୀ ବାସ୍ତବଧର୍ମୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏକ ବହୁଚର୍ଚ୍ଚିତ ଘଟଣା ଉପରେ ଆଧାରିତ ବୋଲି ହୁଏତ ଅନେକ ଜାଣିନଥିବେ।