• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଂଜାମର ବାଳକୃଷ୍ଣ ପ୍ରଧାନ ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡର ଲୋଭନୀୟ ସ୍କିମରେ ଫଶି ଜମା କରିଥିଲେ ୭ ଲକ୍ଷରୁ ଅଧିକ ଟଙ୍କା । ୨୦୧୪ରେ ମ୍ୟାଚୁରିଟି ହୋଇ ଟଙ୍କା ମିଳିଥାନ୍ତା । ବାଳକୃଷ୍ଣ ଆଶା ରଖିଥିଲେ, ସେହି ଟଙ୍କାରେ ପୁଅ-ଝିଅକୁ ଭଲ ପାଠ ପଢାଇବେ, ଘର ଖଣ୍ଡେ କିଣିବେ । ହେଲେ ଚିଟଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ଚଢାଉ କରି କମ୍ପାନୀ ସିଲ୍ କରିଦେବା ପରଠୁ ଆଶାରେ ରହିଯାଇଛି ବାଳକୃଷ୍ଣଙ୍କ ଆଶା ।

ସେହି ଜିଲ୍ଲାର ସଦାନନ୍ଦ ଦୋରାଙ୍କ ସ୍ଥିତି ବି ସମାନ । ବିଭିନ୍ନ ଚିଟଫଣ୍ଡ ସଂସ୍ଥାରେ ସେ ପାଖାପାଖି ୩ ଲକ୍ଷ ଟଙ୍କା ଜମା କରିଥିଲେ । ଆଜି ଯାଏଁ ଟଙ୍କା ଫେରି ପାଇବାର ନାଁ ଗନ୍ଧ ନାହିଁ ।

ଅଧିକ ପଢ଼ନ୍ତୁ: ହରଡ଼ଘଣାରେ ପଡ଼ିବେ ସରକାର ! ଚିଟ୍‌ଫଣ୍ଡ ଟଙ୍କା ଫେରାଇବାକୁ କି ପଦକ୍ଷେପ ନେଇଛନ୍ତି ପଚାରିଲେ ସୁପ୍ରିମ୍‌କୋର୍ଟ

ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ । ଗୋଟିଏ ପଟେ ମାମଲାର ଶୁଣାଣି ଚାଲିଛି, ଅନ୍ୟପଟେ ବେଧଡ଼କ ଚାଲିଛି ସଂସ୍ଥାର ଜମି ବିକ୍ରି । ସିବିଆଇ ଚଢାଉ ବେଳେ ଗୋଲଡେନ୍ ଲ୍ୟାଣ୍ଡର ୫୪ ଏକର ଜମି ସିଜ୍ କରାଯାଇଥିଲା । ହେଲେ ସାରା ରାଜ୍ୟ ରେ କମ୍ପାନୀର ୧୭ ଶହ ଏକରରୁ ଅଧିକ ଜମି ରହିଛି । ଜବତ ହୋଇନଥିବା ଜମିକୁ କମ୍ପାନୀ ନିର୍ଦ୍ଦେଶକ, ବିଲଡର୍ସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ମିଶି ଗୋଟିଏ ପରେ ଗୋଟିଏ ବିକ୍ରି କରି ଚାଲିଥିବା ଅଭିଯୋଗ ହୋଇଛି ।

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ ୨୦୧୩ ଜୁଲାଇ ୯ରେ ସରକାର ବସାଇଥିଲେ ଜଷ୍ଟିସ ଆର.କେ ପାତ୍ର କମିଶନ । କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଥିଲା । ପରେ ୨୦୧୫ ଫେବ୍ରୁଆରୀ ୫ରେ ଆସିଲେ ଜଷ୍ଟିସ ମଦନ ମୋହନ ଦାସ କମିଶନ । ୪ ଫେବ୍ରୁଆରୀ ୨୦୨୦ ପର୍ଯ୍ୟନ୍ତ କମିଶନଙ୍କ କାର୍ଯ୍ୟକାଳ ଥିଲା । ଏହା ମଧ୍ୟରେ ୮ ଲକ୍ଷ ୮୬ ହଜାର କ୍ଷୁଦ୍ର ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ । ସରକାର ବିଧାନସଭାରେ ଏହି ତଥ୍ୟ ରଖିଥିଲେ । କମିଶନଙ୍କ ୭ଟି ଅନ୍ତରୀଣ ରିପୋର୍ଟରେ ସତ୍ୟପାଠ ଦାଖଲ କରିଥିବା ଜମାକାରୀଙ୍କ ତଥ୍ୟ ମଧ୍ୟ ଦିଆଯାଇଥିଲା ।

୨୦୨୧ ଜାନୁଆରୀ ୩ ତାରିଖରେ ସରକାର opid.odisha.gov.in ନାଁରେ ଏକ ୱେବସାଇଟ୍ ଜାରି କରିଥିଲେ । ଏଥିରେ କ୍ଷତିଗ୍ରସ୍ତ ଜମାକାରୀ ସମସ୍ତ ଡକ୍ୟୁମେଂଟ୍ ଦାଖଲ କରି ଟଙ୍କା ଫେରସ୍ତ ପାଇପାରିବେ ବୋଲି କୁହାଯାଇଛି । ହେଲେ କେବେ ଟଙ୍କା ଫେରାଇବେ ? କେତେ ଜଣଙ୍କୁ ଫେରାଇବେ ? ତାହା ଏବେବି ଆଶଙ୍କାରେ । କାରଣ, ରାଜ୍ୟର ସବୁଠୁ ବଡ ଚିଟଫଣ୍ଡ ଠକେଇ କୁହାଯାଉଥିବା ରୋଜଭ୍ୟାଲିର ୩ ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ କମିଶନଙ୍କ ନିକଟରେ । ସେମାନଙ୍କ ମଧ୍ୟରୁ ମାତ୍ର ୪ ହଜାର କ୍ଷୁଦ୍ର ଜମାକାରୀଙ୍କୁ ୪ କୋଟି ଟଙ୍କା ଫେରସ୍ତ କରିଛନ୍ତି ସରକାର । ଅନ୍ୟପଟେ କେବଳ ରୋଜଭ୍ୟାଲିର ୧୮୦ କୋଟି ଟଙ୍କାର ବ୍ୟାଙ୍କ ଜମାରାଶି ସରକାରଙ୍କ ତହବିଲକୁ ଯାଇଛି ।

ଚିଟଫଣ୍ଡ ଜମାକାରୀଙ୍କୁ ରାଜ୍ୟ ସରକାରଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ନେଇ ଘେରିଛନ୍ତି ବିରୋଧୀ । ସେପଟେ ପୁରା ମାମଲା କୋର୍ଟରେ ବିଚାରାଧିନ ଥିବା କହି ପ୍ରସଙ୍ଗକୁ ଏଡାଇ ଦେଇଛି ବିଜେଡି । ଏହାରି ଭିତରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଏପର୍ଯ୍ୟନ୍ତ ସରକାର କି ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ ।