• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେବେ ନ୍ୟାୟ ପାଇବେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତକାରୀ ? ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ବହୁ ବଡ଼ ବଡ଼ କମ୍ପାନିଙ୍କ ସଂପତ୍ତି ବାଜ୍ୟାପ୍ତ ପରେ ବି କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ । କଣ କରୁଛନ୍ତି ରାଜ୍ୟ ସରକାର ଓ ତଦନ୍ତକାରୀ ସଂସ୍ଥା । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମ୍‌କୋର୍ଟଙ୍କ ସଦ୍ୟ ନୋଟିସ୍ ପରେ ପୁଣି ଚର୍ଚ୍ଚାରେ ଏହି ପ୍ରସଙ୍ଗ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଏପର୍ଯ୍ୟନ୍ତ କି ପଦକ୍ଷେପ ନେଇଛନ୍ତି ଜଣାଇବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଖକୁ କେବେ ଫେରିବ ସେମାନଙ୍କ କଷ୍ଟଲବ୍ଧ ଜମାଟଙ୍କା ? ପାଖାପାଖି ଦଶନ୍ଧି ତଳର ଏ ମହାଠକେଇ ମାମଲାରେ ନିବେଶକଙ୍କୁ ଟଙ୍କା ଫେରାଇବା ଦିଗରେ ଏପର୍ଯ୍ୟନ୍ତ କି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ? କି ପଦକ୍ଷେପ ନେଇଛି ତଦନ୍ତକାରୀ ସଂସ୍ଥା ସିବିଆଇ ? ଏସବୁ ମର୍ମରେ ନୋଟିସ୍ କରି ଉଭୟ ରାଜ୍ୟ ସରକାର ଓ ସିବିଆଇ ଠାରୁ ଉତ୍ତର ଚାହିଁଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ । ଏ ସଂକ୍ରାନ୍ତରେ ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍ ଏମ୍‌ଆର୍ ଶାହା ଏବଂ ଜଷ୍ଟିସ୍ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଏନେଇ ନୋଟିସ୍ ଜାରି କରିଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣଙ୍କ ସୂଚନା ଅନୁଯାୟୀ, ଓଡ଼ିଶାର ଚିଟ୍‌ଫଣ୍ଡରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଉଛି । ତେବେ ୨୦୧୪ରେ ରାଜ୍ୟରୁ ଠକିଥିବା ୪୪ଟି ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ତଦନ୍ତ ପାଇଁ ସିବିଆଇକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ଏକ ତଦନ୍ତ କମିଶନ୍ ଗଠନ କରିଥିଲେ । ବାରମ୍ବାର କାର୍ଯ୍ୟକାଳ ବଢ଼ାଯାଇ ଏବେ କମିଶନ୍ ବନ୍ଦ କରାଯାଇଛି । ଠକ ସଂସ୍ଥାଠାରୁ ବହୁ କୋଟି ଅର୍ଥ ମଧ୍ୟ ଆଦାୟ କରାଯାଇଛି । ତାସତ୍ତ୍ୱେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଏଯାବତ୍ ଟଙ୍କା ଫେରସ୍ତ ହୋଇନି । ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରି ନଥିବା ଆବେଦନକାରୀ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି । ତେଣୁ ଏହା ଉପରେ ଟଙ୍କା ଫେରାଇବାକୁ କି କି ପଦକ୍ଷେପ ନିଆଯାଇଛି କୋର୍ଟ ଜାଣିବାକୁ ଚାହିଁଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ ଭୂଷଣ ।

ଚିଟ୍‌ଫଣ୍ଡ ଠକେଇକୁ ନେଇ ସାରା ରାଜ୍ୟରେ ହୁଲସ୍ତୁଲ ପରେ ଚାପରେ ପଡି କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ୨୦୧୩ ଜୁଲାଇ ୧୦ରେ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ ସରକାର । ଠକ ସଂସ୍ଥାଙ୍କ ସଂପତ୍ତି ନିଲାମ କରି ବି ଟଙ୍କା ଫେରାଇବାକୁ ବି କହିଥିଲେ । ତେବେ ଏପର୍ଯ୍ୟନ୍ତ କେତେ ଜମାକାରୀ ଟଙ୍କା ଫେରସ୍ତ ପାଇଛନ୍ତି ସେ ହିସାବ କାହା ପାଖରେ ନାହିଁ । ଏପଟେ ଠକେଇର ଶିକାର ଜମାକାରୀ ବି ଆଶା ହରାଇଲେଣି ।

ଏଇ ଯେମିତି ବାଲେଶ୍ୱର ରେମୁଣାର ହରିଶଚନ୍ଦ୍ର ମାହାର୍ଣ୍ଣା ଫର୍ଣ୍ଣିଚର କାମ କରି ରଖିଥିବା ନିଜର ସଂଚିତ ସବୁ ସମ୍ବଳ ୨୦ ଲକ୍ଷ ଟଙ୍କାକୁ ସେ ଚିଟ୍‌ଫଣ୍ଡରେ ଲଗେଇ ଦେଇଥିଲେ । ସବୁ ବୁଡ଼ିଯିବା ପରେ ସେବେଠୁ ସେ ଖାଲି ସରକାରଙ୍କଠୁ ମଝିରେ ମଝିରେ ଖାଲି ପ୍ରତିଶ୍ରୁତି ଶୁଣୁଛନ୍ତି, କିନ୍ତୁ ଫଳ ଶୂନ୍ ।

ସେପଟେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ସଂକ୍ରାନ୍ତ ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ନଭେମ୍ବର ୧୪ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ତେଣୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍ ଉପରେ ରାଜ୍ୟ ସରକାର ଓ ସିବିଆଇ କି ଉତ୍ତର ରଖୁଛନ୍ତି ଏବେ ତା ଉପରେ ନଜର ।