ଭୁବନେଶ୍ବର ଏୟାରଫିଲ୍ଡ ଥାନା ଲବଣଗିରିରେ ଚେନ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଦେଖି ଅଭିଯୁକ୍ତକୁ ଗିରଫ କଲା ପୋଲିସ । ତେବେ ଗାଡ଼ି ଚଳାଉଥିବା ଲୁଟେରା ଡ୍ରାଇଭର ଏବେ ବି ଫେରାର୍ ରହିଛି । ଫେରାର ଅଭିଯୁକ୍ତକୁ ଗିରଫ କରିବାକୁ ତନାଘନା ଚଲାଇଛି ପୋଲିସ ।
ରାତି ତ ରାତି.. ଦିନରେ ବି ଲୁଟେରାଙ୍କ ରାଜୁତି । ଯାହା ବଢ଼ାଇ ଦେଇଛି ରାଜଧାନୀବାସୀଙ୍କ ବିପି । ଗତ ୧୩ ତାରିଖରେ ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ଦମ୍ପତି । ହଠାତ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ । ମୋଟା ଚେନ କାରଣରୁ ଚେନ ନେଇପାରିନଥିଲେ ଲୁଟେରା । ସ୍ବାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ.ବିଷ୍ଣୁ ପାତ୍ର ପଛରେ ବସିଥିଲେ। ଲୁଟ ନକରିପାରି ପୁନର୍ବାର ଲୁଟ ପାଇଁ ଗୋଡ଼ାଇ ଆକ୍ରମଣ କରିଥିଲେ ଲୁଟେରା । ଫଳରେ ସ୍ତ୍ରୀ ବିଷ୍ଣୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।
Also Read
ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ? ରାଜଧାନୀରେ ବୁଲୁଛି ମାଳ ମାଳ ଯୁବତୀଙ୍କ ଫଟୋ
ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ସ୍ପେଶାଲ ସ୍କ୍ୱାର୍ଡ ସହାୟତାରେ ଏବଂ ସିସିଟିଭିକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଥିଲେ । କିନ୍ତୁ ସୁନା ଚେନ୍ ପାଇଁ କେତେବେଳେ କାହାକୁ ଯେ ମରଣମୁହଁକୁ ଲୁଟେରା ଠେଲିନଦେବେ, ତାର କୌଣସି ଗ୍ୟାରେଣ୍ଟି ନାହିଁ । କାରଣ ବେକରେ ପିନ୍ଧିଥିବା ଚେନ୍ ଟାଣିଦେଲେ ପ୍ରଥମେ ଧମନୀ ଏବଂ ଶୀରାରେ ରକ୍ତପ୍ରବାହ ବନ୍ଦ ହୋଇଯିବ ।
ଫଳରେ ମସ୍ତିଷ୍କକୁ ଅମ୍ଲଜାନ ପ୍ରବାହ ନହେବା ଅବସ୍ଥାରେ ଲୁଟର ଶିକାର ବ୍ୟକ୍ତି ଭାରସାମ୍ୟ ହରାଇ ଛିଟିକି ପଡ଼ିବା ସୁନିଶ୍ଚିତ । ଏଭଳି ଅବସ୍ଥାରେ ମୁଣ୍ଡରେ ମାଡ଼ ହେବାର ଆଶଙ୍କା ଅଧିକ । ହୁଏତ ରକ୍ତସ୍ରାବ ହୋଇ ବ୍ୟକ୍ତିଙ୍କ ଜୀବନ ଯାଇପାରେ ନଚେତ୍, ଗୁରୁତର କିମ୍ବା ଆଜୀବନ ପଙ୍ଗୁ ହେବାର ଆଶଙ୍କା ରହିଛି । ତେବେ ଭୁବନେଶ୍ୱରରେ ଏଭଳି ଘଟଣା ନୂଆ ନୁହେଁ । ଗଲା ସେପଟେମ୍ବରରେ ବଡ଼ଗଡ଼ କେନାଲ ରୋଡରେ ମନ୍ଦିରକୁ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାଂପିନେଇଥିଲେ ଅପରାଧି ।
ସେହିପରି ଅକ୍ଟୋବରରେ କଳିଙ୍କନଗରରେ ଅନ୍ୟ ଜଣେ ମହିଳାଙ୍କୁ ଘର ସାମ୍ନାରୁ ସୁନା ଚେନ୍ ଝାଂପିନେବାକୁ ଚେଷ୍ଟା କରିଥିଲେ । କିନ୍ତୁ, ବାରମ୍ବାର ଏଭଳି ସାଂଘାତିକ ଅଘଟଣ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଅପରପକ୍ଷେ କମିଶନରେଟ୍ ପୋଲିସ ସମସ୍ତଙ୍କୁ ସତର୍କ କରାଇ କହିଛି, ବାହାରକୁ ଯିବାବେଳେ ସୁନା ଚେନ୍ ନପିନ୍ଧିଲେ ଭଲ । ଯଦି ବି ପିନ୍ଧୁଛନ୍ତି, ତେବେ ଲୁଟେରାଙ୍କ ନଜରରୁ ବର୍ତ୍ତିବା ପାଇଁ ତାକୁ ଘୋଡ଼ାଇ ରଖନ୍ତୁ ।