Jayanarayan Mishra
କିଟ୍ ଉପରେ ଅଧିକ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। ମହିଳା ଷ୍ଟାଫ୍ ଯେଉଁମାନେ କିଟ୍ ଓ ନେପାଳ ବଜେଟ୍ କଥା କହୁଥିଲେ ସେମାନଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। ଏହା କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି, କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ ଜମି ଗୁଡିକ ଜବରଦସ୍ତ ରଖିଛନ୍ତି ଓ ବଦମାସୀ କାମ କରିଛନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନେପାଳୀ ଝିଅ ଉପରେ ହୋଇଥିବା ଅତ୍ୟାଚାର ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ମତ ରଖିଛନ୍ତି ।
କିଟ୍ରେ ଘଟିଥିବା ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଭଳି ଘଟଣା ସମାଜ ପାଇଁ ଶୁଭଙ୍କର ନୁହେଁ । ଆତ୍ମହତ୍ୟା ଆଡ଼କୁ ଯାଉଛନ୍ତି ଯୁବ ପିଢ଼ି । ଆତ୍ମହତ୍ୟା ଆଡ଼କୁ କାହିଁକି ଯୁବ ପିଢ଼ି ମୁହାଁଉଛନ୍ତି ତାହା ଚିନ୍ତାର ବିଷୟ । କିଟ ଘଟଣାକୁ ନେଇ ରାଜ୍ୟ ସରକାର ଅଧ୍ୟୟନ କରୁଥିବା ସେ କହିଛନ୍ତି ।
ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଯେ କୌଣସି ବ୍ୟକ୍ତିର ମୃତ୍ୟୁ ଆମକୁ ଛୋଟ କରିଦିଏ । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: କିଟ୍ରେ ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ଏପରି କହିଲେ NHRC
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ନେପାଳ ଛାତ୍ରୀ ପ୍ରୀଶା ଶାହାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଆଜି ମୃତ ଛାତ୍ରୀ ପ୍ରୀସାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସରେ ମୃତଦେହର ବ୍ୟବଚ୍ଛେଦ ହେବ ।
ପ୍ରାୟ ଅଢ଼େଇ ମାସ ତଳେ କିଟ୍ କ୍ୟାମ୍ପସରେ ଆଉ ଜଣେ ଛାତ୍ରୀଙ୍କ ମୃତ୍ୟୁ ହଇଚଇ ସୃଷ୍ଟି କରିଥିଲା । ଫେବ୍ରୁଆରୀ ୧୬ରେ ଆତ୍ମହତ୍ୟା କରିଥିଲେ ନେପାଳୀ ଛାତ୍ରୀ 'ପ୍ରକୃତି' । ପ୍ରାୟ ଅଢ଼େଇ ମାସ ପରେ ଏବେ ପୁଣି ଜଣେ ଛାତ୍ରୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।
ଅଢ଼େଇ ମାସର ବ୍ୟବଧାନରେ କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ନିଜ ଘରଦ୍ୱାର, ଦେଶ ଛାଡି କିଟ୍କୁ ପାଠ ପଢିବାକୁ ଆସୁଥିବା ଜଣକ ପରେ ଜଣେ ଛାତ୍ରୀଙ୍କ ଜୀବନ କାହିଁକି ଅକାଳରେ ଚାଲିଯାଉଛି ତାହାର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ''କିଟ୍ରେ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୋଲିସ ଯାହା କରିବା କଥା କରୁଛି । ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି । ମାମଲାର ପ୍ରାଥମିକ ତଦନ୍ତ ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ସରକାର ବିଚାର କରିବେ ।''
ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । କେବଳ ଖବର ପହଞ୍ଚାଇବା ପାଇଁ ଆମେ ଏହାକୁ ପ୍ରକାଶ କରୁଛୁ। ଏହି ଘଟଣାରେ କିଟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746187174.jpg)