• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ପୁଣି ଜଣେ ମହିଳାଙ୍କୁ ହତ୍ୟା ସନ୍ଦେହ । ପ୍ରଥମେ କୁନି ପୁଅ ଦେଖିଲା ମାଆର ମୃତଦେହ । ପଡ଼ୋଶୀ କହିଲେ ମାଆ ତାର ଶୋଇଥିଲା । ଆଈ ମାଆ ଫୋନ୍‌ରେ ନାତିକୁ କହିଲେ ମାଆ ଶୋଇଥିବ ଛୁଟି ଭିଡ଼ି ଉଠେଇଦେ । ହେଲେ ମାଆ କିନ୍ତୁ ଉଠିଲାନି । ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଯାଇଥିଲା ମାଆ ।

ଏମିତି କିଛି ଘଟଣା ଘଟିଛି ଭୁବନେଶ୍ୱର ଖାରବେଳନଗର ଥାନା ଶାସ୍ତ୍ରୀ ନଗର ଅଞ୍ଚଳରେ । ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ଯାହାକୁ ନେଇ ପୂରା ରାଜଧାନୀରେ ଚାଞ୍ଚଲ୍ୟ ଖେଳିଗଲାଣି । ତେବେ କେମିତି ହେଲା ମହିଳାଙ୍କ ମୃତ୍ୟୁ ? ଏହା ପଛରେ କିଏ ଦାୟୀ ? ମହିଳାଙ୍କ ବେକରେ ରହିଛି ଦାଗ । ତେଣୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ସ୍ୱାମୀ ବି କହିଛନ୍ତି ବେକରେ ରହିଛି ତଣ୍ଟି ଚିପା ଚିହ୍ନ । ତେବେ କିଏ ଓ କାହିଁକି ହତ୍ୟା କଲା ? ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଏବଂ ଘନିଭୂତ ହେଉଛି ସନ୍ଦେହ ।

ତେବେ ଯିଏ ବି ହତ୍ୟା କରିଛି, ସେ ପୂର୍ବରୁ ମହିଳାଙ୍କୁ ଜଣିଛି । ଏହି ସନ୍ଦେହ ଏଇଥିପାଇଁ ଉପୁଜୁଛି, କାରଣ ମହିଳା ଜଣଙ୍କ ନିଜ କୁନି ପୁଅ (୩ ବର୍ଷ)କୁ ପଡ଼ୋଶୀ ଘରେ ଟ୍ୟୁସନ୍‌ ପାଠ ପଢ଼ିବା ପାଇଁ ଛାଡ଼ିବା ପରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି । ପୁଅକୁ ଟ୍ୟୁସନ୍‌ ଛାଡ଼ିଥିଲେ ସତ ହେଲେ ଟ୍ୟୁସନ୍ ସରିବା ସମୟ ଗଡ଼ିବା ପରେ ମଧ୍ୟ ପୁଅକୁ ଯାଇ ଆଣିନଥିଲେ । ସମୟ ଗଡ଼ିଯିବାରୁ ଶେଷରେ ପଡ଼ୋଶୀ ଘର ଲୋକ କୁନି ପୁଅକୁ ଆଣି ଘରେ ଛାଡ଼ିଥିଲେ । ସେମାନଙ୍କ କହିବା କଥା, ପୁଅକୁ ଘରେ ଛାଡ଼ିବା ବେଳେ ତାଙ୍କ ମାଆ ଶୋଇଥିଲେ । ଆଉ ଘରର କବାଟ ବି ଖୋଲା ଥିଲା ।

ତେବେ କୁନି ପୁଅ ଘରେ ପହଞ୍ଚିବା ପରେ ମାଆଙ୍କୁ ଡାକିଥିଲା । ହେଲେ ମାଆ ଉଠି ନଥିଲା । ଶେଷରେ ବାପାଙ୍କୁ ଭିଡିଓ କଲ କରି କହିଥିଲା ମାଆ ଉଠୁ ନାହାନ୍ତି । ଆଉ ଆଈ ମାଆ କହିଥିଲେ ମାଆର ଛୁଟି ଟିକେ ଭିଡ଼ିଦେ, ତାର ନିଦ ଭାଙ୍ଗିଯିବ । ହେଲେ ଯିଏ ଚିର ନିଦ୍ରାରେ ଶୋଇଯାଇଥିଲା, ସେ କେମିତି ବା ଉଠିବ ?

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କିଏ ଏହି ମୃତ୍ୟୁ ପାଇଁ ଦାୟୀ ? ମହିଳା ଜଣକ ଘରେ ଏକା ଥିବା ନେଇ କାହା ପାଖରେ ଥିଲା ଖବର ? ପୂର୍ବ ଶତ୍ରୁତା କାରଣରୁ କରାଯାଇଛି କି ହତ୍ୟା ?