/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752238406.jpg)
Paisa Double Offer
ଆଜିର ସମୟରେ ବଡ଼ ବଡ଼ ସହରରେ କିଟ୍ଟି ପାର୍ଟିର ଆୟୋଜନ ହେଉଛି । ମହିଳାମାନେ ଏଥିରେ ସାମିଲ ହେଉଛନ୍ତି । ଖାଇବା ପିଇବା ସହ ବିଭିନ୍ନ ପ୍ରକାରର ଗେମ୍ ବି ଖେଳନ୍ତି । ଏବେ ଏହାକୁ ଏକ ଷ୍ଟାଟସ୍ ଭାବରେ ବି ଦେଖାଯାଉଛି । କିନ୍ତୁ ବେଙ୍ଗାଲୁରୁରେ କିଟ୍ଟି ପାର୍ଟିରୁ ହୋଇଛି କୋଟି କୋଟି ଟଙ୍କାର ଠକେଇ ।
ବେଙ୍ଗାଲୁରୁର ୪୯ ବର୍ଷୀୟା ସବିତା । ପ୍ରତ୍ୟେକ ଦିନ ମର୍ଣ୍ଣିଂ ୱାକ୍ରେ ଯାଆନ୍ତି। ଆଉ ଧନୀ ମହିଳାମାନଙ୍କ ସହ ବନ୍ଧୁତା ବଢାନ୍ତି । କିଛି ଦିନ ପରେ ସେମାନଙ୍କୁ କିଟ୍ଟୀ ପାର୍ଟିକୁ ଡାକନ୍ତି । ପାର୍ଟିରେ ବିଭିନ୍ନ ସ୍ମିମରେ ନିବେଶର ପ୍ରସ୍ତାବ ଦେଇ ଟଙ୍କା ଦୁଇ ଗୁଣା, ତିନି ଗୁଣା କରିବାକୁ ଲୋଭ ଦେଖାନ୍ତି।
ତାଙ୍କର ବସାଉଠା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଓ ନେତାଙ୍କ ସହିତ ଅଛି ବୋଲି ବି କୁହନ୍ତି । ଫଳରେ ସାମନା ଲୋକ ତାଙ୍କ ଜାଲରେ ପଡିଯାଆନ୍ତି । ଏମିତି ଭାବେ ୨୦ରୁ ଅଧିକ ମହିଳାଙ୍କୁ ଫସାଇ କୋଟି କୋଟି ଟଙ୍କା ଲୁଟିଛନ୍ତି ସବିତା।
ଅଧିକ ପଢନ୍ତୁ: କ୍ଷମା ନମାଗିଲେ ଭୟଙ୍କର ପରିଣାମ, ଏଭଳି ଧମକ ଦେଇଛି ଆତଙ୍କୀ ହରଜିତ୍ ସିଂ ଲ।ଡି
କୁସୁମ ନାମ୍ନୀ ଜଣେ ମହିଳାଙ୍କ ଏତଲା ଆଧାରରେ ସବିତା ଓ ତାଙ୍କର ୬ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଅବଶ୍ୟ ସମାନ ଢଙ୍ଗର ଏକ ମାମଲାରେ ସେ ପୂର୍ବରୁ ଗିରଫ ହୋଇଥିଲେ ଓ ପରେ ଜାମିନ୍ରେ ଆସିଥିଲେ।
କୁସୁମ ଜଣେ ବିଧବା ମହିଳା। ସେ ଶିକ୍ଷୟିତ୍ରୀ ଭାବେ ଅବସର ନେଇଛନ୍ତି। ସେ ବେଙ୍ଗାଲୁରୁରେ ତାଙ୍କ ବାପା ମା’ ଓ ପୁଅ ସହିତ ରହନ୍ତି। ସେ ସବିତାଙ୍କୁ ୩୦ ବର୍ଷ ହେଲା ଜାଣିଛନ୍ତି। ୨୦୨୦ରୁ ସେମାନଙ୍କ ମଧ୍ୟରେ ଟଙ୍କା ଦେବାନେବା ଚାଲିଛି ।
୨୦୨୩ରେ ଦିନେ କୁସୁମଙ୍କୁ ଫୋନ୍ କରିଥିଲେ ସବିତା ଓ ଦୁବାଇରେ କମ୍ ଦାମ୍ରେ ସୁନା ମିଳୁଥିବା କହିଥିଲେ। ଦୁବାଇରେ ତାଙ୍କ ସ୍ୱାମୀ ଚାକିରି କରନ୍ତି ବୋଲି ସେ ପୂର୍ବରୁ କୁସୁମଙ୍କୁ କହିଥିଲେ। ସୁନାରେ ୨ ବର୍ଷ ପାଇଁ ନିବେଶ କଲେ ତାଙ୍କ ଟଙ୍କା ୪ ଗୁଣା ହୋଇଯିବ ବୋଲି ଲୋଭ ଦେଖାଇଥିଲେ ସବିତା।
ସବିତାଙ୍କ କଥାରେ ଫସି କୁସୁମ ୨୪ ଲକ୍ଷ ଟଙ୍କା ଦେଇଥିଲେ। ସେହି ଟଙ୍କା ସେ ଓ ତାଙ୍କ ଦିବଂଗତ ସ୍ୱାମୀ ସଞ୍ଚୟ କରିଥିଲେ। ସେ ସବିତାଙ୍କୁ ଭାଗ ଭାଗ କରି ଏହି ଟଙ୍କା ଦେଇଥିଲେ। ୨.୨୫ ଲକ୍ଷ ଟଙ୍କା ସେ ସବିତାଙ୍କ ଭାଇଙ୍କ ଏକାଉଣ୍ଟକୁ ପଠାଇଥିଲେ।
ସେହିଭଳି ସବିତାଙ୍କ ମା’ଙ୍କୁ ନଗଦ ୧୯.୮୫ ଲକ୍ଷ ଟଙ୍କା ଦେଇଥିଲେ। ବାକି ୧.୯ ଲକ୍ଷ ଟଙ୍କା ସେ ଫୋନ୍ ପେ’ରେ ସବିତାଙ୍କ ଝିଅ ବାଲ୍ମିକାଙ୍କ ପାଖକୁ ପଠାଇଥିଲେ। ତା’ପରେ ଏକାଧିକ ବାର ନିବେଶ ଓ ଋଣ ନାଁରେ କୁସୁମଙ୍କ ଠାରୁ ଟଙ୍କା ନେଇଥିଲେ ସବିତା। କିନ୍ତୁ ଫେରାଇବାର ନାଁ ଧରି ନଥିଲେ।
କୁସୁମ କହିଛନ୍ତି, ଗତ ବର୍ଷ ଜାନୁଆରୀ ୬ ତାରିଖରେ ସବିତା ମୋତେ ଫୋନ୍ କରିଥିଲେ। ସେ ଉଦୟ ଟିଭିରେ ନିବେଶ କରିଥିଲେ ଓ ଏବେ ତାଙ୍କୁ ଡବଲ ପଇସା ମିଳିଥିବା କହିଥିଲେ। ଏହା ସହିତ ଉଦୟ ଟିଭିରେ ୧୦ ଲକ୍ଷ ଟଙ୍କା ନିବେଶ କରିବାକୁ ମୋତେ କହିଥିଲେ। ସେଥିରୁ ଭଲ ଲାଭ ମିଳିବ ବୋଲି ସେ ମୋତେ ଆଶ୍ୱାସନା ଦେଇଥିଲେ।
ମୁଁ ତାଙ୍କ ଉପରେ ବିଶ୍ୱାସ କରି ୧୦ ଲକ୍ଷ ଟଙ୍କା ଦେଇଥିଲି। ତା’ପରବର୍ତ୍ତୀ କିଛି ମାସରେ କେତେବେଳେ ନିବେଶ ତ କେତେବେଳେ ତାଙ୍କ ଝିଅ ବାହାଘର ଓ କାର ଲୋନ୍ ସୁଝିବା ବାହାନା କରି ମୋ’ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ସବିତା।
ଗତ ଜୁନ ମାସରେ ସବିତାଙ୍କ ନିକଟକୁ ଯାଇଥିଲେ କୁସୁମ ଓ ତାଙ୍କର ମୋଟ ୯୫ ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ସବିତା ତାଙ୍କୁ ସଫା ସଫା କହିଥିଲେ ଯେ କିଛି ଟଙ୍କା ମିଳିବନି। ତା’ସହିତ ଘରକୁ ଫେରିଯିବାକୁ ସେ କୁସୁମଙ୍କୁ କହିଥିଲେ।
କୁସୁମ ଅଭିଯୋଗ କରିଛନ୍ତି ଯେ ସବିତା ତାଙ୍କୁ କହିଥିଲେ ଯେ ସେ ଏମିତି ବହୁ ଲୋକଙ୍କଠାରୁ ଟଙ୍କା ନେଇଛନ୍ତି ଓ କେବେ ଫେରାଇ ନାହାନ୍ତି। ବହୁ ପ୍ରୟାସ ସତ୍ତ୍ୱେ ଟଙ୍କା ନ ମିଳିବାରୁ ଜୁଲାଇ ୮ ତାରିଖରେ କୁସୁମ ୭ ଜଣଙ୍କ ନାଁରେ ଏଫଆଇଆର ଦେଇଥିଲେ। ସବିତାଙ୍କ ସହିତ ପୁନିତ, ସତୀଶ, ବାଲ୍ମିକା, ଦର୍ଶନ, ଲୋକେଶ ଓ ଶ୍ରୀଧରଙ୍କ ନାଁରେ ଏତଲା ଦେଇଥିଲେ କୁସୁମ।
ଏତଲା ଆଧାରରେ ବାସବେଶ୍ୱରନଗର ଥାନା ପୁଲିସ ତଦନ୍ତ କରିଥିଲା। ଏହା ପରେ ୨୦ରୁ ଅଧିକ ମହିଳାଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଅଭିଯୋଗରେ ସବିତା ଓ ଅନ୍ୟ ୬ ଜଣଙ୍କୁ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)