• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀ ରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଚନ୍ଦ୍ରଶେଖରପୁର ରେଲୱେ କଲୋନୀରେ ଜଣେ ବିଟେକ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀଙ୍କ ନାଁ ଆର.ଏନ୍.ନିୟତି ନାୟକ । ବୟସ ୨୪ ବର୍ଷ ହେବ । ତେବେ ସେ କାହିଁକି ଆତ୍ମହତ୍ୟା କଲେ, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି ।

ନିୟତିଙ୍କ ବାପା ଜଣେ ସିଗନାଲ ସେକ୍ସନ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି ଏବଂ ତାଙ୍କ ମା ଜଣେ ଡାକ୍ତର । ତେବେ ସାନ ଭଉଣୀଙ୍କ ଦେହ ଅସୁସ୍ଥ ଥିବାରୁ ସପରିବାର ଡାକ୍ତରଖାନା ଯାଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ନିୟତି ସମ୍ବଲପୁର ବୁର୍ଲାରେ ବିଟେକ୍ ପାସ କରିଛନ୍ତି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଆଜି ତାଙ୍କର ବ୍ୟବଛେଦ ହେବ ବୋଲି ସୂଚନା ମିଳିଛି ।

କିଛି ଦିନ ପୂର୍ବରୁ ଭୁବନେଶ୍ୱରରେ ଘରୋଇ ନର୍ସିଂ କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ତେବେ ତାଙ୍କ ଆତ୍ମହତ୍ୟା ପଛରେ ଥିଲା ଅଜବ କାରଣ । ରାତିରେ ନିଦ ହେଉନଥିବାରୁ ଜୀବନ ଉପରେ ବିତସ୍ପୃହ ହୋଇ ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ୨୩ ବର୍ଷିୟା ଛାତ୍ରୀ କୁନି କହଁର । ଆତ୍ମହତ୍ୟା ପରେ ସେ ଛାଡ଼ି ଯାଇଥିବା ଏକ ହାତଲେଖା ଚିଠିରୁ ଏକଥା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ବିଗତ କିଛି ବର୍ଷ ଧରି ରାଜ୍ୟରେ ବଢିବାରେ ଲାଗିଛି ଆତ୍ମହତ୍ୟା ପ୍ରବଣତା । ଏନସିଆରବିର ତଥ୍ୟ କହୁଛି ରାଜ୍ୟରେ ପ୍ରତିଦିନ ହାରାହାରି ୧୫ରୁ ଅଧିକ ଆତ୍ମହତ୍ୟା କରୁଛନ୍ତି । ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ବର୍ଷକୁ ୧୨ ଜଣ ଆତ୍ମହତ୍ୟା କରୁଛନ୍ତି । ଏନସିଆରବିର ସଦ୍ୟତମ ଆକ୍ସିଡେଣ୍ଟାଲ୍ ଡେଥ୍ସ ଆଣ୍ଡ ସୁଇସାଇଡ୍ସ ଇନ୍ ଇଣ୍ଡିଆ-୨୦୨୧ ରିପୋର୍ଟରୁ ମିଳିଥିବା ତଥ୍ୟ କହୁଛି, ୨୦୨୧ରେ ରାଜ୍ୟରେ ଆତ୍ମହତ୍ୟା କରିଛନ୍ତି ୫ ହଜାର ୬୫୧ ଜଣ ।

ଏହା ୨୦୨୦ରେ ଆତ୍ମହତ୍ୟା କରିଥିବା ୫ ହଜାର ୫୪୬ ଜଣଙ୍କ ତୁଳନାରେ ୨ ପ୍ରତିଶତ ଅଧିକ । ରାଜ୍ୟରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ହଜାର ୪୧୨ ଜଣ ପୁରୁଷ ହୋଇଥିବା ବେଳେ ୧ ହଜାର ୨୩୯ ଜଣ ମହିଳା । ହେଲେ କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା ? ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ମାନସିକତା ବଢ଼ିବା ଉଦବେଗ ସୃଷ୍ଟି କରିଛି ।