• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଭୟ-ଅରଣ୍ୟ... ଅଭୟାରଣ୍ୟ । ଅସୁରକ୍ଷିତ ପାଲଟିଲାଣି କି ଅଭୟାରଣ୍ୟ ? ଶିମିଳିପାଳ ସାଜିଛି କି ଶିକାରୀଙ୍କ ଚରାଭୂଇଁ ? ଦନ୍ତା ପରେ ଏବେ ଚର୍ଚ୍ଚାରେ ମହାବଳ ଶିକାର ! କ୍ରାଇମ୍ ବ୍ରାଞ୍ଚ STF ଜବତ କରିଛି ମହାବଳ ବାଘଛାଲ । ମୁଣ୍ଡଠୁ ଲାଞ୍ଜ- ପ୍ରାୟ ୭ ଫୁଟ୍ ୨ ଇଞ୍ଚ । ପାଦଠୁ ନଖ ପଞ୍ଝା, ସବୁ ରହିଛି । ବାରିପଦା-ଉଦଳା ରାସ୍ତାରେ ବିଶିପୁର ଠାରେ ଏହି ବାଘଛାଲ ଜବତ କରିବା ସହିତ ଶ୍ରୀଦାମପୁରର ଜଣଙ୍କୁ ଗିରଫ କରିଛି STF ।

ତେବେ ବାଘ ଚମଡ଼ାର ଆକାର ପ୍ରକାର ଦେଖି ଅନୁମାନ କରାଯାଉଛି, ଏହି ମହାବଳକୁ ହୁଏତ ନିକଟସ୍ଥ ଶିମିଳିପାଳ ଅଭୟାରଣ୍ୟରୁ ପ୍ରାୟ ମାସେ ତଳେ ଗୁଳି କରି ଶିକାର କରାଯାଇଥାଇପାରେ ଏବଂ ଏହା କୌଣସି ମାହିର୍ ଶିକାରୀର କାମ । STF ଚଢ଼ାଉ ବେଳେ ଆଉ ୨ ଜଣ ଅଭିଯୁକ୍ତ ଫେରାର୍ ମାରିଛନ୍ତି । ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।

ତେଣେ ବହୁଚର୍ଚ୍ଚିତ ଶିମିଳିପାଳ ହାତୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଭର୍ତ୍ସନା ପରେ, ଗିରଫ ହୋଇଛନ୍ତି ୩ ନିଲମ୍ବିତ ବନ କର୍ମଚାରୀ । ଜେନାବିଲ ରେଞ୍ଜର୍ ଶିବ ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ । ଏମାନଙ୍କୁ ବନ ବିଭାଗ ଗିରଫ କରି ଉଦଳା ସବ୍‌ଡିଭିଜନାଲ୍ କୋର୍ଟରେ ହାଜର କରିଛି । ଶିମିଳିପାଳରେ ହାତୀକୁ ମାରି ଦାନ୍ତ କାଟିନେବା ପରେ, ପ୍ରମାଣ ଲୁଚାଇବାକୁ ଯାଇ ଏହି ୩ କର୍ମଚାରୀ ମୃତଦେହକୁ ପୋଡ଼ି, ଦଗ୍ଧାବଶେଷକୁ ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଥିଲା । ଚଳିତବର୍ଷ ଫେବୃଆରୀରୁ ଜୁନ୍ ଭିତରେ ଆଠଗଡ଼ ବନଖଣ୍ଡରେ ମାଟି ତଳୁ ପାଞ୍ଚ ପାଞ୍ଚଟି ହାତୀ କଙ୍କାଳ ଜବତ ଘଟଣା ଏବଂ ଏବେ ଶିମିଳିପାଳ କାଣ୍ଡକୁ ନେଇ ଭର୍ତ୍ସନା କରିଥିଲେ ହାଇକୋର୍ଟ ।

ଅଧିକ ପଢ଼ନ୍ତୁ: ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ ! ମୃତଦେହକୁ ପୋଡ଼ି ଅବଶେଷକୁ ପାଣିରେ ଭସାଇଥିଲେ ବନ କର୍ମଚାରୀ

ତେବେ କେବଳ ଏହି ୩ ଜଣ ନୁହଁନ୍ତି, ଆହୁରି ୨-୩ ଜଣ ବି ଶିମିଳିପାଳର ମହାକାୟ ପାପରେ ଅଂଶୀଦାର ବୋଲି ସନ୍ଦେହ କରାଯାଉଛି । ପିସିସିଏଫ୍ କହିଛନ୍ତି, ତଦନ୍ତ ପରେ ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

କେତେବେଳେ ହାତୀ, କେତେବେଳେ କଲରାପତରିଆ, ତ ଏବେ ମହାବଳ ବାଘ । ଶିକାରୀଙ୍କ ଦୌରାତ୍ମ୍ୟ ଓ ହୁଗୁଳା ସୁରକ୍ଷା ବ୍ୟବସ୍ଥା ପାଇଁ ବହୁବାର ଅପବାଦ ମୁଣ୍ଡେଇ ସାରିଲାଣି ଶିମିଳିପାଳ ଅଭୟାରଣ୍ୟ । ତଥ୍ୟ କହୁଛି, ଗତ ଦେଢ଼ ବର୍ଷ ଭିତରେ ଏଠୁ ଗିରଫ ହେଲେଣି ୨୦ରୁ ଅଧିକ ଶିକାରୀ । ହେଲେ ଖୋଦ୍ ବାଡ଼ ହିଁ ଯଦି ଫସଲ ଖାଏ, ତେବେ ବିଲ ଜଗିବ କିଏ ? ସ୍ଥିତି ଏଭଳି ଲାଗି ରହିଲେ ବ୍ୟାଘ୍ର ପ୍ରକଳ୍ପ ଭାବେ ସୁନାମ ଅର୍ଜିଥିବା ଏହି ଅଭୟାରଣ୍ୟ ଯେ, ଦିନେ ନିଜର ଖ୍ୟାତିକୁ କେବଳ ଇତିହାସ ପୃଷ୍ଠାରେ ସାଉଁଟିବ, ଏଥିରେ ତିଳେ ବି ସନ୍ଦେହ ନାହିଁ ।