• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୋଲୁଛି ଶିମିଳିପାଳ ହାତୀ ମୃତ୍ୟୁର ଗୁମର । ରକ୍ଷକ ହିଁ ସାଜିଛନ୍ତି ଭକ୍ଷକ । ଘଟଣା ଯେଭଳି ପଦାକୁ ନଆସିବ ମୃତଦେହକୁ ପୋଡି ପାଉଁଶ କରି ନଈରେ ଭସାଇ ଦେଇଥିବା ସ୍ୱୀକାର କରିଛନ୍ତି ନିଲମ୍ବିତ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜ ଅଫିସର ଶିବଶଙ୍କର, ଫରେଷ୍ଟର ଚନ୍ଦ୍ରଭାନୁ ଓ ଗାର୍ଡ ବିନୋଦ । ସେମାନଙ୍କ ସ୍ୱୀକାରୋକ୍ତି ଆଧାରରେ ଘଟଣାସ୍ଥଳରୁ କିଛି ହାଡ଼ ଖଣ୍ଡ ମିଳିଛି । ଏହି ହାଡ଼ ନମୁନାକୁ ଯାଞ୍ଚ ଲାଗି ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ ନିରାପତ୍ତା ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ସେହିଭଳି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ଭୁବନେଶ୍ୱରରୁ ଏକ ଜଏଣ୍ଟ ଟାସ୍କଫୋର୍ସ ଟିମ୍‌କୁ ଶିମିଳିପାଳ ପଠାଯାଇଛି । 

ହାତୀ ଶିକାର ଘଟଣାକୁ ନେଇ ପଦାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ । ଘଟଣା ବେଳେ ଉପସ୍ଥିତ ଥିବା ଅନ୍ୟ ଜଣେ ବନ କର୍ମଚାରୀ ତୁରାମ ପୂର୍ତ୍ତଙ୍କୁ ଅଭିଯୁକ୍ତମାନେ ମାଡ଼ ମାରିବା ସହ ଘଟଣା ସଂପର୍କରେ ମୁହଁ ନଖୋଲିବା ଲାଗି ଦାଗିଦ୍ କରିଥିଲେ । ସେହିପରି ହାତୀର ଫଟୋ କାହାକୁ ଦେଲେ ଜେଲ୍‌ରେ ଭର୍ତ୍ତି କରିଦେବାର ଧମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ତୁରାମ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଜଙ୍ଗଲୀ ଜନ୍ତୁଙ୍କ ନିରାପଦ ସ୍ୱର୍ଗ କୁହାଯାଉଥିବା ଶିମିଳିପାଳ ଅଭୟାରଣ୍ୟରେ ହାତୀ ଶିକାର ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏତେ ବଡ଼ ହାତୀକୁ ପୋଡ଼ି ନଈରେ ଭସାଇବା ପଛରେ ବହୁ ଲୋକଙ୍କ ହାତ ଥାଇପାରେ । ଅଭିଯୁକ୍ତଙ୍କ ବିରୋଧରେ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଅନ୍ୟପକ୍ଷରେ ହାତୀ ମୃତ୍ୟୁ ଘଟଣାରେ ସରକାରଙ୍କର ଜିରୋ ଟଲେରାନ୍ସ ନୀତି ରହିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । 

କିଛି ମାସ ତଳେ ଆଠଗଡ଼ ବନଖଣ୍ଡ ଅଞ୍ଚଳରୁ ୪ଟି ହାତୀ କଙ୍କାଳ ଉଦ୍ଧାର ଘଟଣାର ତଦନ୍ତ ଲାଗି ଏସ୍‌ଟିଏଫ୍ ଗଠନ କରାଯାଇଥିଲା । ମାସକ ଭିତରେ ତଦନ୍ତ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଥିଲେ ବି ଏସ୍‌ଟିଏଫ୍ ଏଯାଏଁ ରିପୋର୍ଟ ଦେଇନି । ତେବେ ଶିମିଳିପାଳ ଭଳି ଏସବୁ ଘଟଣାରେ ବନକର୍ମଚାରୀ ସଂପୃକ୍ତ ନୁହନ୍ତି ତ ତାକୁ ନେଇ ଉଠିଛି ପ୍ରଶ୍ନ ।