• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ ? କେମିତି ଓ କେଉଁ ମାନସିକ ଅବସ୍ଥାରେ ଥାଇ ପଏଣ୍ଟ ବ୍ଲାଙ୍କରେ ଗୁଳି କରି ହତ୍ୟା କଲା ? କେମିତି ରଚିଥିଲା ମର୍ଡରପ୍ଲଟ ? ୩ଟି ପର୍ଯ୍ୟାୟରେ ୧୪ ଦିନିଆ ରିମାଣ୍ଡ ଅବଧି ଭିତରେ ସବୁ ଉତ୍ତର ରଖିଛି ତ ଗୋପାଳ ଦାସ । କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟ ଗାନ୍ଧୀନଗରର DFSରେ ନାର୍କୋଟେଷ୍ଟ ବେଳେ ଅଭିଯୁକ୍ତ ଗୋପାଳ ସବୁ ମାନିଛି। କେମିତି ଓ କାହିଁକି ମାରିଛି ସବୁ ନାର୍କୋଟେଷ୍ଟରେ ଅବଚେତନ ଅବସ୍ଥାରେ ଥାଇ ସତ ଉଗାରିଛି ଗୋପାଳ ଦାସ । ଯାହାର ଅଡ଼ିଓ ଏବଂ ଭିଡ଼ିଓ ଏକ ସିଡିରେ ରେକର୍ଡ କରାଯାଇଛି । ଯେଉଁ ସିଡିକୁ ସିଲ୍ କଭର କରି ଏଇ ସପ୍ତାହରେ ଝାରସୁଗୁଡ଼ା କୋର୍ଟକୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ ଜଣକ ।

ଗତରାତିରେ ଗୋପାଳକୁ ଧରି ଗୁଜରାଟରୁ ଝାରସୁଗୁଡ଼ାକୁ ଫେରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଆଜି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ୧୬୪ ବୟାନ ରେକର୍ଡ କରିବା ସହ ଝାରସୁଗୁଡ଼ା ସବ୍-ଜେଲକୁ ପଠାଇ ଦିଆଯାଇଥିଲା । ହେଲେ ଜେଲ୍ ଭିତରେ ଗୋପାଳର ସୁରକ୍ଷାକୁ ନେଇ ଚିନ୍ତିତ ଜେଲ ବିଭାଗ । ତେଣୁ ଝାରସୁଗୁଡାରୁ ଚୌଦ୍ୱାର ଜେଲକୁ ପଠାଇବାକୁ ଝାରସୁଗୁଡା ଜେଲ ଅଧୀକ୍ଷକଙ୍କ ଜରିଆରେ କୋର୍ଟକୁ ଅବଗତ କରିଛି ଜେଲ୍ ବିଭାଗ । ପୂର୍ବରୁ ଝାରସୁଗୁଡା ଜେଲ ପକ୍ଷରୁ ଜେଲ ବିଭାଗକୁ ଚିଠି ବି ଲେଖାଯାଇଛି ।

ତେବେ ଡେମୋ ଦେଖାଇଲା ଗୋପାଳ । LVA ସହ ସାଇକୋଲଜିକାଲ ଟେଷ୍ଟ ବି ସରିଲା । ପଲିଗ୍ରାଫ୍ ଏବଂ ନାର୍କୋଟେଷ୍ଟ ସହ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନଠୁ ଆରମ୍ଭ କରି ଅଭିଯୁକ୍ତର ୧୬୪ ବୟାନ ବି ରେକର୍ଡ ହେଲା । ତେବେ ହତ୍ୟାପରଠୁ ୨ ସପ୍ତାହ ଧରି ଅପରାଧର ମୋଟିଭ୍ ଜାଣିବାକୁ ଝାଳ ବୁହାଇଥିବା ବୋଥ୍ରା ଆଣ୍ଡ କୋଙ୍କୁ ଏସବୁ ପ୍ରମାଣ ସଂଗ୍ରହ ପ୍ରକ୍ରିୟା କେତେ ସହାୟକ ହୋଇଛି ? ଯେଉଁସବୁ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ ଟିମ୍, ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବାରେ ଯଥେଷ୍ଟ ହେବ ତ ? ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟାର ମୋଟିଭ୍ ଯଦି ପ୍ରମାଣିତ ନହୋଇପାରିବ, ତାକୁ ଗଳାବାଟ ଭାବେ ଅସ୍ତ୍ର କରି ଖସିଯିବନି ତ ଗୋପାଳ ?

ତେଣେ ହତ୍ୟାକାଣ୍ଡର ମୋଟିଭ୍ ସଂପର୍କରେ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବାରୁ ନାନା ପ୍ରଶ୍ନ ଘେରରେ ଥିବା ନବ ଦାସ ହତ୍ୟା ମାମଲା ପହଞ୍ଚିଛି ସଂସଦରେ । ଲୋକସଭାରେ ପ୍ରସଙ୍ଗ ଉଠାଇ ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ମାମଲାର ୧୫ ଦିନ ବିତିଯାଇଥିଲେ ବି କ୍ରାଇମବ୍ରାଞ୍ଚ କିଛି ପତ୍ତା ପାଉନି । ତେଣୁ ସିବିଆଇ ଏହାର ତଦନ୍ତ କରୁ । ସେହିପରି ବଡ଼ ମନ୍ତବ୍ୟ ଦେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ନବ ଦାସଙ୍କୁ ବୋଧହୁଏ ଗୋପାଳ ଦାସ ମାରିନି । କ୍ରାଇମବ୍ରାଞ୍ଚ ଏହାର ସତ୍ୟତା ଉନ୍ମୋଚନ କରିବା ଦରକାର । ନଚେତ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ । ଏହି ଘଟଣା ପଛରେ କାହାର ହାତ ନଥିଲେ, ଜଣେ ASI କଣ ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ମାରିଦେଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।