31 Naxals Killed In Encounter Bijapur: ଦୋହଲିଲା ଲାଲଗଡ଼: ୩୬ ଘଣ୍ଟାର ନନଷ୍ଟପ୍ ଅପରେସନ୍; ୩୧ ନକ୍ସଲ ନିପାତ, କମ୍ବିଂ ଜାରି...

ମାଓବାଦୀଙ୍କୁ ଆଉ ମିଳିବନି ନିସ୍ତାର...ମାଓଗଡ଼ରୁ ମୁକ୍ତ ହେବ ମାଓ ସଂଗଠନ...ଯେ ପର୍ଯ୍ୟନ୍ତ ନକ୍ସଲ ମୁକ୍ତ ହୋଇନି ଲାଲଗଡ଼, ସେ ଯାଏଁ ଜାରି ରହିବ ନକ୍ସଲ ଶୂନ୍ୟ ଅପରେସନ୍। ଛତିଶଗଡ଼ ପୋଲିସ ଡିଜିଙ୍କ ଏହି ପଣ ଆଉ ଦମ୍ଭକୁ ପ୍ରମାଣିତ କରୁଛି ୩୧ ମାଓବାଦୀଙ୍କ ମୃତଦେହ।

31 Naxals Killed In Encounter Bijapur

ଲାଲବାହିନୀ କବଳରୁ ମୁକ୍ତ ହେବାକୁ ଯାଉଛି ଲାଲଗଡ଼। ସେ ଓଡ଼ିଶା ହେଉ ଅବା ସୀମାନ୍ତ ଛତିଶଗଡ଼, ଗୃହମନ୍ତ୍ରୀ ଅମିତ ଶାହଙ୍କ କହିବା ଅନୁଯାୟୀ, ଶେଷ ନିଃଶ୍ବାସ ନେଉଥିବା ନକ୍ସଲବାଦ ଏବେ ମୂଳପୋଛ ହେବାକୁ ଯାଉଛି। ଗତକାଲି ବସ୍ତର ଅଞ୍ଚଳରେ ୩୧ ମାଓବାଦୀ ସଫା ହେବା ପରେ ମାଓ ସଂଗଠନର ଶୀର୍ଷ ନେତୃତ୍ବଙ୍କୁ ଘାରିଛି ଚିନ୍ତା। ଏସବୁ ଭିତରେ ଛତିଶଗଡ଼ ଡିଜିପିଙ୍କ ଦୃଢ଼ ନିଷ୍ପତ୍ତି, ଯେ ପର୍ଯ୍ୟନ୍ତ ମାଓବାଦୀ ନିପାତ ହୋଇନାହାନ୍ତି, ସେ ଯାଏଁ ଜାରି ରହିବ ମାଓ ଦମନ ଅଭିଯାନ। 

ମାଓବାଦୀଙ୍କୁ ଆଉ ମିଳିବନି ନିସ୍ତାର...ମାଓଗଡ଼ରୁ ମୁକ୍ତ ହେବ ମାଓ ସଂଗଠନ...ଯେ ପର୍ଯ୍ୟନ୍ତ ନକ୍ସଲ ମୁକ୍ତ ହୋଇନି ଲାଲଗଡ଼, ସେ ଯାଏଁ ଜାରି ରହିବ ନକ୍ସଲ ଶୂନ୍ୟ ଅପରେସନ୍। ଛତିଶଗଡ଼ ପୋଲିସ ଡିଜିଙ୍କ ଏହି ପଣ ଆଉ ଦମ୍ଭକୁ ପ୍ରମାଣିତ କରୁଛି ୩୧ ମାଓବାଦୀଙ୍କ ମୃତଦେହ। ମାଲକାନଗିରି ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ନ୍ୟାସନାଲ ପାର୍କରେ ଗତକାଲି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ସଫା ହୋଇଥିବା ୩୧ ମାଓବାଦୀ । ଲାଲଗଡ଼ ଯେ ମାଓବାଦୀଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ, ଜବତ AK-47, ଇନସାସ୍, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ, BGL ଲଞ୍ଚର୍ ଏବଂ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ବି ବୟାନ କରୁଛି। କେବଳ ଏତିକି ନୁହେଁ, ନକ୍ସଲ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାକୁ ଯାଇ ପ୍ରାଣବଳି ଦେଇଥିବା ୨ ଯବାନଙ୍କ ସଂପର୍କୀୟଙ୍କ ଲୁହ ବି କହୁଛି ଦେଶରେ ଆଉ ରହିବେନି ନକ୍ସଲ। 

ଅଧିକ ପଢନ୍ତୁ: ମାଓ ମୁକ୍ତ ହେବ ଛତିଶଗଡ, ସର୍ଚ୍ଚ ଅପରେସନ ଜାରି

ସହିଦ ଡିଆରଜି ମେଜର୍ ନରେଶ ଧ୍ରୁବଙ୍କ ପତ୍ନୀ। ସେ ବି ଜଣେ ଡିଆରଜି ମେଜର। କିନ୍ତୁ ନକ୍ସଲ ଗୁଳିରେ ସ୍ବାମୀଙ୍କୁ ହରାଇବା ପରେ ବୁକୁ ଫଟାଇ କାନ୍ଦୁଛନ୍ତି। ବର୍ଦ୍ଦିରେ ଥାଇ ଶୋକ ଭିତରେ ମନେ ମନେ ନିଶ୍ଚୟ ସଂକଳ୍ପ କରୁଥିବେ ଧୂଳିସାତ ହେବ ନକ୍ସଲ ଗଡ଼। ସୁରକ୍ଷାକର୍ମୀ-ପୋଲିସ ଗୁଳିବିନିମୟ ଭିତରେ ଡିଆରଜି ମେଜର୍ ନରେଶ ଧ୍ରୁବ ଏବଂ STF ଯବାନ ବସିତ୍ ରାବଟେ ସହିଦ ହୋଇଥିବାବେଳେ ରାଷ୍ଟ୍ରୀୟ ମର୍ଯାଦା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଛତିଶଗଡ଼ DGP, CRPF DG ଜ୍ଞାନେନ୍ଦ୍ର ପ୍ରତାପ ସିଂ, ବସ୍ତର IG, ବସ୍ତର DIGଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ। ଅନ୍ୟ ୨ ଆହତ ଯବାନଙ୍କୁ ରାୟପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।   

ସେଦିନ ଥିଲା ଶୁକ୍ରବାର। ଗୁଇନ୍ଦା ସୂତ୍ରରୁ ଖବର ଆସିଥିଲା, ବିଜାପୁର ନ୍ୟାସନାଲ ପାର୍କ ଜଙ୍ଗଲରେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ଫରସେଗଡ଼ ଏରିଆ କମିଟି କରିଛି ବଡ଼ଧରଣର ମାଓ କ୍ୟାମ୍ପ। ଏତିକି ସୂଚନା ପରେ ବସ୍ତର ଆଇଜି ପି ସୁନ୍ଦରରାଜଙ୍କ ନେତୃତ୍ବରେ ଡିଆରଜି, ଏସଟିଏଫ୍ ଏବଂ ବସ୍ତର ଫାଇଟରର ୭ଶହ ଯବାନଙ୍କୁ ନେଇ ଗଠନ ହେଲା ଟିମ୍। ଆଉ ସମସ୍ତେ ବିଜାପୁରରୁ କିଛି ବାଟ ଗାଡ଼ିରେ ଯିବା ପରେ ୩୬ ଘଣ୍ଟା ଧରି ଇନ୍ଦ୍ରାବତୀ ଫରେଷ୍ଟପାର୍କ ଭିତରେ ଚାଲି ଚାଲି ଗଲେ। ଆଉ ରବିବାର ସକାଳ ଠିକ୍ ୭ଟାବେଳେ ମାଓ କ୍ୟାମ୍ପ ଉପରେ ହୋଇଥିଲା ଅନ୍ଧାଧୂନ ଫାଏରିଂ। ନକ୍ସଲଙ୍କ ପକ୍ଷରୁ ପାଲଟା ଗୁଳିମାଡ଼ ବି ହୋଇଥିଲା। କିନ୍ତୁ ଦୀର୍ଘ ସମୟର ଏନକାଉଣ୍ଟର ଭିତରେ ୩୧ ମାଓବାଦୀ ଟଳିପଡ଼ିଥିବାବେଳେ ପ୍ରାୟ ୭୦ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। 

ଏବେ ବି ଏହି ଜଙ୍ଗଲରେ ଜାରି ରହିଛି ସର୍ଚ୍ଚ ଅପରେସନ୍। ୨୦୨୪ରୁ ଛତିଶଗଡ଼ରେ ନକ୍ସଲ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛନ୍ତି ସୁରକ୍ଷାକର୍ମୀ। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ୮୬ ଏବଂ ୨୦୨୪ରେ ୨୧୭ ନକ୍ସଲଙ୍କ ପ୍ରାଣହାନୀ ହୋଇଛି। ଏପରିକି ଜୟରାମ ରେଡ୍ଡୀ ଭଳି ବହୁ ଟପ୍ କ୍ୟାଡର୍ ମାଓବାଦୀ ବି ସଫା ହୋଇଛନ୍ତି। ତେଣୁ ଛତିଶଗଡ଼ର ବହୁ ସ୍ଥାନରେ ଆଉ ସକ୍ରିୟ ନାହାଁନ୍ତି ମାଓ ସଂଗଠନ। ନାରାୟଣପୁର ଜିଲ୍ଲାର ୬ ନମ୍ବର ବାଟାଲିୟନ କେର୍ଲାପାଲି ଏରିଆ କମିଟି ତ ସମ୍ପୂର୍ଣ୍ଣ ବନ୍ଦ ହୋଇ ସାରିଛି। ବସ୍ତର ଜିଲ୍ଲାରେ ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ମାଓମୁକ୍ତ ହୋଇଥିବାବେଳେ ବିଜାପୁର, ସୁକମା, କାଙ୍କେର ଆଦି ଜିଲ୍ଲାରେ କେବଳ ୫୦ ପ୍ରତିଶତ ଅଞ୍ଚଳ ନକ୍ସଲଙ୍କ ଅଧିନରେ ରହିଛି। ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ ନେଇ ଗୃହମନ୍ତ୍ରୀ ଅମିତ ଶାହ ଯେଉଁ ସଂକଳ୍ପ କରିଛନ୍ତି, ସେ ଦିଗରେ ଏସବୁ ଅପରେସନ୍ ବେଶ୍ ସହାୟକ ହୋଇଛି।

ଅଧିକ ପଢନ୍ତୁ: ଅଧିକ ପଢ଼ନ୍ତୁ: ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ