କଳି ଛଡ଼ାଇବାକୁ ଯାଇ ଛୁରାମାଡ଼ ଖାଇଲେ ଦୁଇ କନଷ୍ଟେବଳ । ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡିର ୨ କନଷ୍ଟେବଳଙ୍କୁ ଛୁରୀ ଭୁସିଦେଲେ ଅଭିଯୁକ୍ତ । ଆହତ କନଷ୍ଟେବଳଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି । ତେବେ ପୂର୍ବରୁ ମଧ୍ୟ ଏହି ଫାଣ୍ଡି ଅଞ୍ଚଳରେ ପୋଲିସକୁ ତୀରମାଡ଼ ଘଟଣା ସାମ୍ନାକୁ ଆସିଥିବାରୁ ପ୍ରଶ୍ନ ଉଠୁଛି, ପୋଲିସ ପ୍ରତି ଜନତାଙ୍କ ଆକ୍ରୋଶ ବଢ଼ୁଛି ନା ଏହା ପଛରେ ରହିଛି ଆଉ କିଛି କାରଣ ?
Also Read
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ ହେଲା ଆଲୋଚନା
ଟେନ୍ସା ଅଞ୍ଚଳରେ ଟେନ୍ସନରେ ପୋଲିସ ! ବାରମ୍ବାର ଆକ୍ରମଣର ଶିକାର ପୋଲିସ କର୍ମଚାରୀ । କେତେବେଳେ ତୀରମାଡ଼, ତ ଆଉ କେବେ ଛୁରାମାଡ଼ । କଳି ଛଡ଼ାଇବାକୁ ଯାଇ ଛୁରା ଆକ୍ରମଣର ଶିକାର ହୋଇଛନ୍ତି ଲହୁଣିପଡ଼ା ଥାନା ଅନ୍ତର୍ଗତ ଟେନ୍ସା ଫାଣ୍ଡିର ୨ କନଷ୍ଟେବଳ । ପୃଥ୍ବୀରାଜ ପରିଡ଼ା ଓ ଜିତେନ୍ଦ୍ର ରାଉତରାୟ । ସୂଚନା ଅନୁସାରେ ଟେନ୍ସା ଫାଣ୍ଡି ଅନ୍ତର୍ଗତ ସି-ବ୍ଲକ୍ ଠାରେ, ସାମାନ୍ୟ ଘଟଣାକୁ ନେଇ ଗତରାତିରେ ମାଙ୍ଗରା ମୁଣ୍ଡା ଓ ଜୟନ୍ତୀ ପାତ୍ରଙ୍କ ପରିବାର ମଧ୍ୟରେ ଚାଲିଥିଲା କଳି ଝଗଡ଼ା । ଖବର ପାଇ ସ୍ଥିତି ଶାନ୍ତ କରିବାକୁ ପହଞ୍ଚିଥିଲେ ଫାଣ୍ଡିର ୨ କନଷ୍ଟେବଳ ପୃଥ୍ବୀରାଜ ଓ ଜିତେନ୍ଦ୍ର । ମାଙ୍ଗରା ମୁଣ୍ଡା ଏକ ଟାଙ୍ଗିଆ ଧରି ଗାଳିଗୁଲଜ କରୁଥିବା ବେଳେ, ସେମାନେ ତା ହାତରୁ ଟାଙ୍ଗିଆକୁ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଟାଙ୍ଗିଆକୁ ଆୟତ୍ତ କରିବା ଭିତରେ ମାଙ୍ଗରା ୨ କନଷ୍ଟେବଲକୁ ଛୁରୀ ଭୁସି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ।
ଛୁରା ଆକ୍ରମଣ ପରେ ଆହତ କନଷ୍ଟେବଳମାନଙ୍କୁ ପ୍ରଥମେ ଟେନ୍ସା ଇସ୍ପାତ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ପୃଥ୍ବୀରାଜ ପରିଡ଼ାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା RGHକୁ ସ୍ଥାନାନ୍ତର କରାଯାଇଛି ।
ଟେନ୍ସା ଫାଣ୍ଡି ଅଞ୍ଚଳରେ ପୋଲିସ ଉପରେ ଆକ୍ରମଣର ଇଏ ପ୍ରଥମ ଘଟଣା ନୁହେଁ । ୨୦୨୧ରେ ଘଟିଥିଲା ଆଉ ଏକ ସାଂଘାତିକ କାଣ୍ଡ । ତତ୍କାଳୀନ ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା ଦୁର୍ବୃତ୍ତଙ୍କ ତୀର ମାଡ଼ର ଶିକାର ହୋଇଥିଲେ, ଜିରୋ ପଏଣ୍ଟ ଅଞ୍ଚଳରେ ବେଆଇନ ମଦ ଜବତ କରିବାକୁ ଯାଇ । ତେବେ କାହିଁକି ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି ପୋଲିସ କର୍ମଚାରୀ ? ପୋଲିସ ପ୍ରତି ଜନତାଙ୍କ ଆକ୍ରୋଶ ବଢ଼ୁଛି, ନା ସଚେତନତା ଅଭାବରୁ ଏଭଳି କାଣ୍ଡ ଭିଆଉଛନ୍ତି ଜନତା ? ଲହୁଣିପଡ଼ା ଥାନାଧିକାରୀ ଏନେଇ ପ୍ରତିକ୍ରିୟା ରଖିଥିବା ବେଳେ, ଗତରାତିର ଛୁରାମାଡ଼ ଘଟଣାରେ ରାଉରକେଲା ଏସପି କହିଛନ୍ତି, ଫେରାର୍ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ।
ଅଧିକ ପଢ଼ନ୍ତୁ: ‘ଖାଲି ରାଜ୍ୟ ନୁହେଁ, ବିଜେଡି ପାଇଁ ବି ବହୁତ କାମ କରିଛନ୍ତି ପାଣ୍ଡିଆନ୍’: ନବୀନ ପଟ୍ଟନାୟକ
- Reported by:
- PAWAN TIWARI