Advertisment

ମୁଖିଆଙ୍କ କଥା ନ ମାନିବାରୁ ନିଆଁ ପାଣି ବନ୍ଦ: ପଡ଼ୋଶୀଙ୍କ ସହ କଥା ହେଲେ ଲାଗୁଛି ଜରିମାନା

ଆଇନର ପଞ୍ଝା ସଶକ୍ତ ହୋଇଥିବା ସତ୍ୱେ ସମାଜରୁ ଏବେ ବି ଲୋପ ପାଇନି ସାମାଜିକ ବାସନ୍ଦ ଭଳି କୁପ୍ରଥା।

author-image
Chandan Shishu
ଅଦ୍ୟତନ ହୋଇଛି
Kangaroo Courts Rise In Odisha

Kangaroo courts

ନିଜ ଗାଁରେ ନିଜ ପଡ଼ୋଶୀଙ୍କ ସହ ବି କଥା ହେବା ମନା। କଥା ହେଲେ ଗଣିବାକୁ ପଡ଼ୁଛି ତଣ୍ଡ। ଏବେ ବି ରାଜ୍ୟରେ ଚାଲିଛି ସାମାଜିକ ବାସନ୍ଦ ଭଳି କୁପ୍ରଥା। ଆଉ ଏ କୁପ୍ରଥାର ସାଥ୍ ଦେଉଛନ୍ତି ଗାଁ ଚଳାଉଥିବା କିଛି ମୁଷ୍ଟିମେୟ। ଏପଟେ ସାମାଜିକ ବାସନ୍ଦ ଭଳି ଘଟଣାରେ ଲିପ୍ତ ଥିବା କାହାକୁ ବି ଛଡ଼ାଯିବନି ବୋଲି କହିଛି ପୋଲିସ। ଗଂଜାମ ଓ ଜଗତସିଂହପୁରରୁ ଦେଖିବାକୁ ମିଳିଛି ଏ ଅଘଟଣ।

Advertisment

ଆଜି ବି ରହିଛି ସାମାଜିକ ବାସନ୍ଦ ପ୍ରଥା। ପ୍ରଜାକୋର୍ଟରେ ହେଉଛି ବିଚାର। ଗାଁ ମୁଖିଆ ଶୁଣାଉଛନ୍ତି ନ୍ୟାୟ। ମୁଖିଆଙ୍କ କଥା ନ ମାନିଲେ ନିଆଁ ପାଣି ମନା। ଖାଲି ସେତିକି ନୁହେଁ, ମୋଟା ଜରିମାନା ବି ଲଗାଯାଉଛି। ଗଞ୍ଜାମ  ଓ ଜଗତସିଂହପୁର ଜିଲ୍ଲାରୁ ସାମ୍ନାକୁ ଆସିଥିବା ଦୁଇଟି ଘଟଣା ବୟାନ କରୁଛି, ଆଜି ବି ସମାଜରେ ବଞ୍ଚି ରହିଛି ବାସନ୍ଦ ତଥା ଏକଘରକିଆ ଭଳି କୁତ୍ସିତ ପ୍ରଥା। ଏ ହେଉଛନ୍ତି ଜଗତସିଂହପୁର କୁଜଙ୍ଗ ଥାନା ପାଟପୁର ଗାଁର ଅଦ୍ବୈତ ସାହୁଙ୍କ ପରିବାର। ୬ ବର୍ଷ ହେଲା ନିଜ ଗାଁରେ କାଟୁଛନ୍ତି ବାସନ୍ଦ ଜୀବନ।

ଗ୍ରାମ ବୈଠକରେ ଯୋଗ ଦେଇପାରିନଥିବାରୁ ଏ ପରିବାରକୁ ମିଳିଛି ଏଭଳି ଦଣ୍ଡ। ଗାଁ ମୁରବୀଙ୍କ ନିର୍ଦ୍ଦେଶକ୍ରମେ ଖାଲି ସାହି ପଡ଼ିଶା ନୁହନ୍ତି, ଗାଁର କେହି ବି କଥା ହେଉନାହାନ୍ତି ତାଙ୍କ ପରିବାର ଲୋକଙ୍କ ସହ। କାରଣ ଏ ପରିବାର ସହ କଥା ହେଲେ ୫ ହଜାର ଟଙ୍କା ତଣ୍ଡ ଦେବାକୁ ଜାରି ହୋଇଛି ଫତୱା। ଘଟଣା ସମ୍ପର୍କରେ କୁଜଙ୍ଗ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅଦ୍ବୈତ। ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗାଁ ମୁରବୀ। 

Advertisment

ଗାଁରେ ଏକଘରକିଆ ଜୀବନ ବିତଉଥିବା ଆଉ ଏକ ପରିବାର ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା କନ୍ଦିଆ ଗାଁର। ନିଜ ଘର ସାମ୍ନାରେ ତିଆରି ଚାଲିଥିବା ଗାଁ କୋଠଘରକୁ ବିରୋଧ କରି ବାସନ୍ଦର ଶିକାର ହୋଇଛନ୍ତି ନରୋତ୍ତମ ସ୍ବାଇଁଙ୍କ ପରିବାର। ନରୋତ୍ତମଙ୍କ ରାସନ ଦୋକାନରୁ କୌଣସି ସାମଗ୍ରୀ କିଣିବା ଉପରେ ଗାଁ ଲୋକଙ୍କୁ ଲାଗିଛି କଟକଣା। ଏପରିକି ପରିବାର ଲୋକଙ୍କ ସହ କଥା ହେଲେ ୫୦୧ ଟଙ୍କା ଜରିମାନା ଗଣିବାକୁ ପଡ଼ିବ ବୋଲି ଡେଙ୍ଗୁରା ପିଟି ଘୋଷଣା କରିଛି ଗ୍ରାମ କମିଟି।

ଏମିତିକି ସେହି ସମାନ ଗାଁରେ ରହୁଥିବା ନରୋତ୍ତମଙ୍କ ଜ୍ୱାଇଁଙ୍କୁ ମଧ୍ୟ ନିଜ ଶ୍ବଶୁର ଘର ଲୋକଙ୍କ ସହ କଥା ହେବାକୁ ଲାଗିଛି କଟକଣା। ଏପଟେ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମ କମିଟି ସଦସ୍ୟ। ଅନ୍ୟପକ୍ଷରେ ଏ ଘଟଣାକୁ ଗୁରୁତର ସହ ନିଆଯାଇଛି ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଆଇଜି। ଆଇନର ପଞ୍ଝା ସଶକ୍ତ ହୋଇଥିବା ସତ୍ୱେ ସମାଜରୁ ଏବେ ବି ଲୋପ ପାଇନି ସାମାଜିକ ବାସନ୍ଦ ଭଳି କୁପ୍ରଥା।

Kangaroo Court
Advertisment
Advertisment