• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଚର୍ଚ୍ଚାରେ ସୁନ୍ଦରଗଡ଼ କୋଇଡ଼ା ବିଡିଓ । ଏଥର ଜନତା କି ନେତା ନୁହଁନ୍ତି, ଆକ୍ରମଣର ଶିକାର ହୋଇଛନ୍ତି ନିଜ ବାପା ଓ ଭାଇଙ୍କ ଦ୍ୱାରା । ଟଙ୍କା ନେଣଦେଣକୁ ନେଇ ସରକାରୀ ବାସଭବନରେ ପଶି ଠିକାଦାର ଭାଇ ଓ ବାପା ଆକ୍ରମଣ କରିଥିବା ବିଡିଓ ପଲ୍ଲବୀ ରାଣୀ ରାଜ୍ ଅଭିଯୋଗ କରିଛନ୍ତି । ଆକ୍ରମଣରେ ଜଣେ ସହକାରୀ ଯନ୍ତ୍ରୀ ବି ଆହତ ହୋଇଛନ୍ତି । ପୋଲିସ ପଲ୍ଲବୀଙ୍କ ବାପାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଭାଇଙ୍କ ପତ୍ତା ମିଳୁନି । ଏହି ଘଟଣାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଏବେ ଲାଗିରହିଛି ନାନା ଚର୍ଚ୍ଚା ।

ଯେଉଁ ବିଡିଓଙ୍କୁ ନେଇ ସାରା କୋଇଡ଼ାରେ କମ୍ପନ.... ଯାହାଙ୍କ ବିରୋଧରେ ଜନତାଙ୍କଠୁ ଜନପ୍ରତିନିଧିଙ୍କ ଯାଏଁ ଜଳିଛି ଆକ୍ରୋଶର ନିଆଁ... ସେହି ବିଡିଓଙ୍କୁ ଏବେ ଆକ୍ରମଣ ଅଭିଯୋଗ । ତା’ପୁଣି ଆକ୍ରମଣକାରୀ ଆଉ କେହି ନୁହଁନ୍ତି, ନିଜ ବାପା ଓ ଭାଇ ମାଡ଼ ମାରିଛନ୍ତି ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ । ବାପା ରମେଶ ଚନ୍ଦ୍ର ରାଜ୍ ଏବଂ ଭାଇ ସଂଗ୍ରାମ କୁମାର ରାଜ୍ ପଲ୍ଲବୀ ରାଣୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ କୋଇଡ଼ା ଥାନାରେ ଏତଲା ଦେଇଛନ୍ତି ବିଡ଼ିଓ ପଲ୍ଲବୀ ।

ଗତକାଲି ରାତି ପ୍ରାୟ ୧୦ଟା । ପଲ୍ଲବୀଙ୍କ କହିବା କଥା, ସରକାରୀ ବାସଭବନ ଭିତରକୁ ପଶି ଆସିଥିଲେ ବାପା ରମେଶ ଏବଂ ଭାଇ ସଂଗ୍ରାମ । ଭାଇ ସଂଗ୍ରାମ ଜଣେ ଠିକାଦାର । ଟଙ୍କା ନେଣଦେଣକୁ ନେଇ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ବାପା ଓ ଭାଇ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପଲ୍ଲବୀ । ଏହି ସମୟରେ ପାଖ କ୍ୱାର୍ଟର୍ସରେ ରହୁଥିବା ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ଏଭଳି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣା ପରେ ପଲ୍ଲବୀଙ୍କ ବାପାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଫେରାର୍ ଥିବା ସଂଗ୍ରାମଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି । ତେବେ ଘଟଣା ସଂପର୍କରେ କୌଣସି ମୁହଁ ଖୋଲିନାହାଁନ୍ତି ପଲ୍ଲବୀଙ୍କ ବାପା ।
ବିଡ଼ିଓ ପଲ୍ଲବୀ ରାଣୀ ରାଜ୍ । ଗତ ପ୍ରାୟ ୩ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରେ ପାଇଖାନା ଦୁର୍ନୀତି ଅଭିଯୋଗ ପରେ କୋଇଡ଼ାକୁ ବଦଳି କରାଯାଇଥିଲା ତାଙ୍କୁ । ସେହିଦିନଠୁ ଏଇଠି ବି ବିଡ଼ିଓଙ୍କ ବିରୋଧରେ ଲାଗିରହିଛି ଅଭିଯୋଗର ଲମ୍ବା ତାଲିକା । ଉନ୍ନୟନମୂଳକ କାମ ପାଇଁ ଆସୁଥିବା ଟଙ୍କାର ବିନିଯୋଗ ନହେବା, ଜନତା ଓ ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଏବଂ ମା’ ଓ ଭାଇ ନାଁରେ ଠିକା କାମ କରାଇବା ଆଦି ଏକାଧିକ ଅଭିଯୋଗକୁ ନେଇ ବିବାଦୀୟ ହୋଇଛନ୍ତି ସେ ।

ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ସପ୍ତାହେ ଧରି କୋଇଡା ବ୍ଲକରେ ଜାରି ରହିଥିଲା ଆନ୍ଦୋଳନ । କର୍ମଚାରୀ ବି ପଲ୍ଲବୀଙ୍କ ବଦଳି ଦାବିରେ କଲମଛାଡ଼ ଆନ୍ଦୋଳନ କରିଥିଲେ । ଏସବୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ବି ଦେଖିବାକୁ ମିଳିଥିଲା ତମ୍ବିତୋଫାନ । ଆଉ ଏବେ ନିଜ ବାପା ଏବଂ ଭାଇଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବାବେଳେ ଏହାକୁ ନେଇ ଲାଗିରହିଛି ନାନା ଚର୍ଚ୍ଚା ।

ତେବେ ଏ ସଂପର୍କରେ ବିଡିଓ ପଲ୍ଲବୀ ରାଣୀଙ୍କ ପ୍ରତିକ୍ରିୟା ମିଳିପାରିନି । ଆକ୍ରମଣର ଶିକାର ସହକାରୀ ଯନ୍ତ୍ରୀ ଅଭିଷେକ ମଧ୍ୟ ଘଟଣା ସଂପର୍କରେ ମୁହଁ ଖୋଲିନାହାଁନ୍ତ । ପୋଲିସ କିନ୍ତୁ ମାମଲାକୁ ଗୁରୁତ୍ୱର ସହ ନେଇ ଘଟଣାପଛର ଅସଲ କାରଣ ସଂପର୍କରେ ଖୋଳତାଡ଼ କରୁଛି । ସେପଟେ ପଲ୍ଲବୀଙ୍କ ବିରୋଧରେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିବା ସିପିଆଇଏମ୍ ଏକ ପ୍ରେସମିଟ୍ କରି ପୁଣି ବର୍ଷିଛି।

କୋଇଡାରୁ ସୁନୀଲ ପଣ୍ଡା ଏବଂ ରାଉରକେଲାରୁ ପବନ ତିୱାରୀଙ୍କ ରିପୋର୍ଟ, ଓଟିଭି