/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637372719.jpg)
America Booster Dose
ଆମେରିକାରେ ସମସ୍ତଙ୍କୁ ଦିଆଯିବ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ । ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଟିକାର ବୁଷ୍ଟର ଡୋଜ୍ ନେଇପାରିବେ । ଉଭୟ ମଡର୍ଣ୍ଣା ଏବଂ ଫାଇଜରକୁ ଏନେଇ ଅନୁମତି ଦେଇଛି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍ ।
ଆମେରିକାରେ ବର୍ତ୍ତମାନ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ସରକାରଙ୍କ ବୁଷ୍ଟର ଡୋଜ୍ ଦେବା ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମଡର୍ଣ୍ଣା ସିଇଓ ଷ୍ଟିଫେନ୍ ବାନସେଲ କହିଛନ୍ତି । ଆମେରିକାରେ ପୂର୍ବରୁ ୬୫ ବର୍ଷରୁ ଅଧିକ ବୟସ୍କ ଏବଂ ଦୁରାରୋଗରେ ପୀଡିତଙ୍କୁ ଟିକାର ବୁଷ୍ଟର ଡୋଜ୍ ନେବାକୁ ଅନୁମତି ଦିଆଯାଇଥିଲା ।
ଅନ୍ୟପଟେ କୋଭିଡ୍ ବିରୋଧରେ ଲଢ଼େଇ ପାଇଁ ମିଳିପାରେ ଆଉ ଏକ ନୂଆ ଅସ୍ତ୍ର । ଗେମ୍ ଚେଞ୍ଜର ହୋଇପାରେ ଦୁଇଟି ଆଣ୍ଟି ଭାଇରାଲ୍ ଡ୍ରଗ୍ ମଲନୁପିରାଭିର୍ ଓ ପାକ୍ସଲୋଭିଡ୍ । କୋଭିଡ୍ ବିପକ୍ଷରେ ଏହି ଦୁଇଟି ଔଷଧ ପ୍ରଭାବୀ ହେଉଥିବା ନିକଟରେ ହୋଇଥିବା କ୍ଲିନିକାଲ୍ ଟ୍ରାଏଲରୁ ଜଣାପଡ଼ିଛି । ତେବେ ଏନେଇ ସବିଶେଷ ରିପୋର୍ଟ ପ୍ରକାଶ ପାଇନାହିଁ । ଏହି ଔଷଧ ଆସିଲେ କୋଭିଡ୍ ବିପକ୍ଷରେ ଲଢ଼େଇ ପାଇଁ ବଳ ମିଳିପାରେ ।
ଆମେରିକାର ମର୍କ ଓ ରିଜେବ୍ୟାକ୍ ବାୟୋ-ଥେରାପିଉଟିକ୍ସ ମିଳିତ ଭାବେ ବିକଶିତ କରିଥିବା କରୋନା ଔଷଧ ମଲନୁପିରାଭିରକୁ ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍ ଅନୁମତି ଦେଇଥିଲା । ଏବେ ଭାରତରେ ବି ଏହାକୁ ମଞ୍ଜୁରୀ ମିଳିପାରେ । ଏହି ଔଷଧକୁ ସ୍ୱଳ୍ପରୁ ମଧ୍ୟମ ଲକ୍ଷଣ ଦେଖାଯାଉଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହୋଇପାରିବ ।
ଲକ୍ଷଣ ଦେଖାଦେବାର ୫ ଦିନ ଭିତରେ କୌଣସି ରୋଗୀ, ଏହି ବଟିକା ଖାଇଲେ, ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ୫୦ ପ୍ରତିଶତ କମିଯିବାର ସମ୍ଭାବନା ରହିଛି । ସେହିପରି ଫାଇଜର୍ କଂପାନୀ ପୂର୍ବରୁ କରୋନା ଟିକା ପ୍ରସ୍ତୁତ କରିଥିବା ବେଳେ, ଏବେ କୋଭିଡ୍ ବଟିକା ପାକ୍ସଲୋଭିଡ୍ ପ୍ରସ୍ତୁତ କରିଛି । ଏହାକୁ ଖାଇଲେ କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ୮୯ ପ୍ରତିଶତ ହ୍ରାସ ପାଉଥିବା କୁହାଯାଉଛି । ୨୮ ଦିନର ଚିକିତ୍ସା ପରେ, ପାକ୍ସଲୋଭିଡ୍ ଖାଇଥିବା କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)