/odishatv-khabar/media/post_attachments/uploadimage/library/16_9/16_9_0/covid_1748264841.jpg)
covid
ଭାରତରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ପୂର୍ବରୁ ଦକ୍ଷିଣ ଏସୀୟ ରାଷ୍ଟ୍ର ହଂକଂ, ସିଙ୍ଗାପୁର ଓ ଚାଇନାରେ ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ଗୋଟିଏ ପଟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ଭାରତୀୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଆହୁରି ଦୁଇଟି ନୂଆ ଭାରିଆଣ୍ଟ। ଏହି ଭାଇରସର ନୂଆ ସବ୍ ଭାରିଆଣ୍ଟ NB.1.8.1 ଓ LF.7 ଚିହ୍ନଟ ହୋଇଛି । ଏହି ଦୁଇ ଭାରିଆଣ୍ଟ ଓମିକ୍ରନର ନୂଆ ରୂପ ବୋଲି ଜିନମ ସିକ୍ବେସିଂରୁ ଜଣାପଡ଼ିଛି । ତାମିଲନାଡ଼ୁରେ ଚିହ୍ନଟ କୋଭିଡ ଆକ୍ରାନ୍ତଙ୍କ ନମୁନାରୁ NB.1.8.1 ସବଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରୁ ଚିହ୍ନଟ ୪ ଜଣଙ୍କ ନମୁନାରୁ LF.7 ସବଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଏହି ନୂତନ ସବ ଭାରିଆଣ୍ଟରେ jn-1 ଲିନିଏଜ ରହିଥିବା ବେଳେ ଏହା ପୂର୍ବାପେକ୍ଷା ସଂକ୍ରମଣ ଦେଢ ଗୁଣ ବୃଦ୍ଧି କରୁଛି। ତେବେ ସଂକ୍ରମଣ ହାର ଅଧିକ ରହୁଥିଲେ ମଧ୍ୟ ଏହି ନୂତନ ସବ ଭାରିଆଣ୍ଟ ଏତେଟା ବିପଜ୍ଜନକ ନୁହେଁ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ସେହିପରି କୋଲକାତାର ସିଏମଆରଆଇ ହସ୍ପିଟାଲର ପଲ୍ମୋନୋଲୋଜିଷ୍ଟ ଏହି ଭାଇରସରେ ଆକ୍ରାନ୍ତଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସଂଖ୍ୟା କମ ରହିଥିବା ସ୍ପଷ୍ଟ କରିଛନ୍ତି।
ମେ ୧୯ ତାରିଖ ସୁଦ୍ଧା ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ ରହିଥିବା ବେଳେ ବର୍ତ୍ତମାନ ଏହା ୧୦୦୦ ପାର କରିଛି। ବିଗତ ସପ୍ତାହ ମଧ୍ୟରେ ଦିଲ୍ଲୀରେ ୧୦୦, କେରଳରେ ୪୦୦ ସଂକ୍ରମିତ ଦେଖିବାକୁ ମିଳିଥିଲା। କେରଳ, ଦିଲ୍ଲୀ, ମହାରାଷ୍ଟ୍ର ଓ ତାମିଲ ନାଡୁ ସଂକ୍ରମଣର ହଟସ୍ପଟ ରହିଛି। ଦୀର୍ଘ ୩ ବର୍ଷ ପରେ ମୁଣ୍ଡ ଟେକିଥିବା କରୋନା ଭାଇରସ୍ ସକ୍ରିୟ ହୋଇଥିବା ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ ଛୁଇଁଛି ।
କେରଳରେ ସବୁଠୁ ବେଶୀ ୪୩୦ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ସେହିପରି ମହାରାଷ୍ଟ୍ରରେ ୨୦୯, ଦିଲ୍ଲୀରେ ୧୦୪, ଗୁଜରାଟରେ ୮୩, କର୍ଣ୍ଣାଟକରେ ୪୭, ଉତ୍ତରପ୍ରଦେଶରେ ୧୫ ଏବଂ ପଶ୍ଚିମବଙ୍ଗରେ ୧୨ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ କେରଳରେ ୩୩୫, ମହାରାଷ୍ଟ୍ରରେ ୧୫୩ ଜଣ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସଦ୍ୟ କରୋନା ସଂକ୍ରମଣରେ ମହାରାଷ୍ଟ୍ରରେ ୪ ଜଣ, କେରଳରେ ୨ ଜଣ ଏବଂ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ଘଟିଛି ।
ନିକଟରେ ଓଡ଼ିଶାରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୁବନେଶ୍ବରର ଜଣେ ୭୫ ବର୍ଷୀୟ ବୟସ୍କ। ବହୁବିଧ ରୋଗରେ ଆକ୍ରାନ୍ତ ଏହି ବ୍ୟକ୍ତି ଜଣଙ୍କ କିଛିଦିନ ତଳେ ହରିଦ୍ବାର ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନ ବୁଲିବା ପରେ ଦିଲ୍ଲୀ ହୋଇ ଭୁବନେଶ୍ବର ଫେରିଥିଲେ। କୋଭିଡ୍ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)