• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ପୁଣି ଫଁ ଦେଖାଇଲାଣି କରୋନା । ଲଗାତାର ଭାବେ କରୋନା ଟ୍ରେଣ୍ଡ ବଢ଼ିବା ପରେ ସବୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କୋଭିଡ୍ ପ୍ରସ୍ତୁତିର ସମୀକ୍ଷା ହେବ। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ଆଜି ଓ ଆସନ୍ତାକାଲି ସବୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ମୁକାବିଲା ଓ ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ଏହାପରେ ୧୦ ଓ ୧୧ ତାରିଖରେ ହସ୍ପିଟାଲ ଗୁଡ଼ିକର ଭିତ୍ତିଭୂମି ପ୍ରସ୍ତୁତି ନେଇ ମକ୍‌ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଏବେ ଦେଶରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ରାଜ୍ୟରେ ୧୦୩ ପଜିଟିଭ ବାହାରିଥିଲେ । କିନ୍ତୁ ଏସବୁ ଭିତରେ ଆଶ୍ୱସ୍ତିର କଥା ହେଉଛି, ଏବେ ସୁସ୍ଥତା ହାର ୯୯% ରହିଛି । ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଏବେ ଏହା ୧୦୦ ପାର ହୋଇଛି ।

ତିନି ଦିନ ପୂର୍ବରୁ ଦେଶରେ କରୋନା ଏକ ଲମ୍ବା ଡିଆଁ ମାରିଥିଲା । ଦିନକରେ ଦେଶରେ ଚିହ୍ନଟ ହୋଇଥିଲେ ୪ ହଜାର ନୂଆ କରୋନା ଆକ୍ରାନ୍ତ । ଯାହା ଗତ ୬ମାସରେ ସବୁଠୁ ଅଧିକ ରହିଥିଲା । ଏହି ସମୟରେ ଆକଟିଭ କେସ୍ ସଂଖ୍ୟା ଦେଶରେ ୨୩ ହଜାର ୯୧ରେ ରହିଥିଲା ।

ଏହି ରାଜ୍ୟରେ ଅଧିକାଂଶ ମାମଲା..

ଅନ୍ୟପଟେ ରିପୋର୍ଟ ଅନୁସାରେ ଅଧିକାଂଶ କୋଭିଡ୍‌ କେସ୍‌ କେରଳରୁ (୨୬%) ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ର (୨୨%), ଗୁଜରାଟ (୧୪%), କର୍ଣ୍ଣାଟକ (୯%) ଓ ତାମିଲନାଡୁ (୬%)ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ କିଛି ରାଜ୍ୟରେ କୋଭିଡ୍‌ ଟେଷ୍ଟିଂ ହାର ବୃଦ୍ଧି ପାଇଛି । ଏହାସହ ଆହୁରି ମଧ୍ୟ ଦେଖିବାକୁ ମିଳିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଦ୍ୱାରା ନିର୍ଦ୍ଧାରିତ ମାପଦଣ୍ଡ ତୁଳନାରେ ବର୍ତ୍ତମାନ ହେଉଥିବା ଟେଷ୍ଟିଂ ସ୍ତର ପର୍ଯ୍ୟାପ୍ତ ନୁହେଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ  ICMR ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ଟେଷ୍ଟିଂ ବୃଦ୍ଧି ଲାଗି କୁହାଯାଇଛି। ଏହାସହ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଛି।