ଭୁବନେଶ୍ୱର: ରାଜ୍ୟରେ ଆଉ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସର୍ଭିଲାନ୍ସକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଆଗରୁ ରାଜ୍ୟରେ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଅଧିକ ଚିହ୍ନଟ ହେବା ନେଇ ସରକାରୀ ସ୍ତରରେ କୌଣସି ସୂଚନା ନାହିଁ।
ଗତକାଲି ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ସରକାର ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି ବୋଲି ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ। ସର୍ଭେଲାନ୍ସକୁ ଜୋରଦାର, ଟିକାକରଣକୁ ବ୍ୟାପକ କରାଯିବା, ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି କରାଯିବା, ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ ଦେବା ଓ ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଉପରେ ଆଲୋଚନା କରାଯାଇଥିଲା।
ରାଜ୍ୟରେ ଆଉ ୧୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କ୍ୱାରେଣ୍ଟିନ୍ରୁ ୯୧, ଲୋକାଲ୍ କେସ୍ ୬୪ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୫୩ ହଜାର ୫୦୪କୁ ବୃଦ୍ଧି ହୋଇଛି। ଯାଜପୁର ଜିଲ୍ଲାର ଜଣେ ଆକ୍ରାନ୍ତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୮,୪୪୮କୁ ବୃଦ୍ଧି ହୋଇଛି।