• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ବଢୁଥିବାରୁ ଚଳିତ ସପ୍ତାହରେ ଦିଲ୍ଲୀରେ କରୋନା ଶୀର୍ଷରେ ପହଞ୍ଚିବ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି । ତେବେ ଶୀର୍ଷରେ ପହଞ୍ଚିବା ପରେ ସଂକ୍ରମଣ ହ୍ରାସ ପାଇବ ବୋଲି ସେ କହିଛନ୍ତି । ରବିବାର ୨୨ ହଜାର ୭୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଗତକାଲି ୧୯ ହଜାର ଚିହ୍ନଟ ହୋଇଥିଲେ ।

ଦିଲ୍ଲୀରେ ଏବେ ସ୍ଥିତି ସଂଗୀନ ରହିଛି । ପ୍ରତି ୪ ଜଣରେ ଜଣେ କରୋନା ପଜିଟିଭ୍ ହେଉଥିବା ଜଣାପଡ଼ିଛି । ଗତକାଲି ପଜିଟିଭ୍ ହାର ୨୫ ପ୍ରତିଶତ ରହିଥିଲା । ଗତବର୍ଷ ମେ’ ମାସ ପରେ ପ୍ରଥମଥର ପାଇଁ ଗତକାଲି ପଜିଟିଭ୍‌ ହାର ୨୫ ପ୍ରତିଶତକୁ ଛୁଇଁଛି । ସେହିପରି ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି ବୋଲି ଦିଲ୍ଲୀ ସରକାର କହିଛନ୍ତି । ବିଦେଶରୁ ବିମାନ ଚଳାଚଳ ଥିବାରୁ ଓମିକ୍ରନ ସଂଖ୍ୟା ବଢୁଥିବା ସେ କହିଛନ୍ତି । 

ଦିଲ୍ଲୀରେ ସଂକ୍ରମଣ ବଢୁଥିଲେ ବି ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା କମିଛି । ଦୈନିକ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମାତ୍ର ୨ ହଜାର ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏବେ ବି ୧୨ ହଜାର ବେଡ୍ ଖାଲି ପଡ଼ିଛି । ପୂର୍ବ ଲହରରେ ଦୈନିକ ୨୦ ହଜାର ସଂକ୍ରମିତ ହେଉଥିବାବେଳେ ୧୨ରୁ ୧୩ ହଜାର ହସ୍ପିଟାଲରେ ଭର୍ତ୍ତି ହେଉଥିଲେ ।

ସେପଟେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ଯାଇ କୋଭିଡ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ହସ୍ପିଟାଲର କୋଭିଡ୍ କେୟାର ୟୁନିଟ୍ ବୁଲି ଦେଖିବା ସହ ଅଧିକାରୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଗୁରୁତର ରୋଗୀଙ୍କ ପାଇଁ ବେଡ୍ ବ୍ୟବସ୍ଥା ନେଇ ବୁଝିଛନ୍ତି । 

ସେହିଭଳି ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟର ସମସ୍ତ ବେସରକାରୀ କାର୍ଯ୍ୟାଳୟ, ବାର୍ ଓ ରେଷ୍ଟୁରାଣ୍ଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ଏସବୁକୁ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ୫୦ ପ୍ରତିଶତରେ ଘରୋଇ ଅଫିସ ଓ ରେଷ୍ଟୁରାଣ୍ଟ ଚଲାଇବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଏନେଇ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।

ଜରୁରୀ ସେବାରେ ଲାଗୁଥିବା ଘରୋଇ ସଂସ୍ଥାର ଅଫିସକୁ ଏଥିରୁ ବାଦ୍ ଦିଆଯାଇଛି । ଲୋକଙ୍କ ଦୈନନ୍ଦିନ ସେବାରେ ଆସୁଥିବା ଘରୋଇ ସଂସ୍ଥାର ଅଫିସଗୁଡ଼ିକ କୋଭିଡ୍ ପ୍ରୋଟକଲ୍ ଭିତରେ ଖୋଲିବାକୁ ଅନୁମତି ଦିଆଯାଇଛି । ବାକି ଅନ୍ୟ ସମସ୍ତ ଅଫିସ, ବାର୍ ଓ ରେଷ୍ଟୁରାଣ୍ଟ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନୂଆ ନିୟମାବଳୀରେ ନିର୍ଦ୍ଦେଶ ଦିଆଯାଇଛି । ତେବେ ରେଷ୍ଟୁରାଣ୍ଟଗୁଡ଼ିକ ପାର୍ସଲ ବା ହୋମ୍ ଡେଲିଭରି ଦେଇପାରିବେ ବୋଲି ଏଥିରେ କୁହାଯାଇଛି ।