Advertisment

କୋଭିଡ୍‌ ମୃତ୍ୟୁକୁ ନେଇ ମିଛ କହିଥିଲେ କି ରାଜ୍ୟ ସରକାର?

MCCD ରିପୋର୍ଟ ପରେ କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ।

author-image
Chandan Shishu
Covid death figures of Odisha

Covid death figures of Odisha

ରାଜ୍ୟରେ ମହାମାରୀ ନେଇଛି କେତେ ମୁଣ୍ଡ ? ବାସ୍ତବ ତଥ୍ୟ ଲୁଚାଇ କୋଭିଡ୍ ପରିଚାଳନାରେ ଏକ ନମ୍ବରର ଡିଣ୍ଡିମ ପିଟୁଥିଲେ କି ରାଜ୍ୟ ସରକାର ? ଏବେ ଏହାର ପୋଲ ଖୋଲିଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମେଡିକାଲ ସାର୍ଟିଫିକେସନ୍ ଅଫ୍ କଜ୍ ଅଫ୍ ଡେଥ୍ ବା MCCD- ୨୦୨୦ ରିପୋର୍ଟ। ଏହି ରିପୋର୍ଟ ଅନୁସାରେ, କୋଭିଡ୍ ମହାମାରୀର ପ୍ରଥମ ଲହର ବେଳେ ୨୦୨୦ରେ ଓଡ଼ିଶାରେ ଅତିକମ୍‌ରେ ୮ ହଜାର ୭୧୧ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକି, ୨୦୨୦ରେ ରାଜ୍ୟ ସରକାର ଦର୍ଶାଇଥିବା ୧ ହଜାର ୮୭୬ କୋଭିଡ୍ ମୃତ୍ୟୁ ତୁଳନାରେ ପ୍ରାୟ ସାଢ଼େ ୪ ଗୁଣାରୁ ଅଧିକ।

Advertisment

MCCD ରିପୋର୍ଟ କହୁଛି, ୨୦୨୦ରେ ରାଜ୍ୟର ମୋଟ ୩ ଲକ୍ଷ ୬୨ ହଜାର ୯୮୨ ଜଣଙ୍କର ମୃତ୍ୟୁ ପଞ୍ଜିକରଣ ହୋଇଥିଲା। ସେଥିରୁ ୨.୪ ପ୍ରତିଶତ ଅର୍ଥାତ୍ ୮ ହଜାର ୭୧୧ ଜଣଙ୍କର କୋଡ୍ସ ଫର୍ ସ୍ପେସାଲ ପର୍ପୋଜେସ୍ ବା କୋଭିଡ୍-୧୯ କାରଣରୁ ମୃତ୍ୟୁ ହୋଇଛି। ତେବେ ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟ ସରକାର କୋଭିଡ୍ ତଥ୍ୟ ଲୁଚାଇନାହାନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା କୋଭିଡ୍ ସଂଜ୍ଞା ବଦଳାଯିବା ପରେ ମୃତ୍ୟୁ ସଂଖ୍ୟାରେ ଏମିତି ପରିବର୍ତ୍ତନ ହୋଇଛି।

ଏପଟେ MCCD ରିପୋର୍ଟ ପରେ କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ। ବିଜେପି କହିଛି, କୋଭିଡ୍ ନିୟନ୍ତ୍ରଣରେ ନିଜ ଅପରାଗତାକୁ ଲୁଚାଇବା ସହ ତୁଚ୍ଛା ବାହାବା ନେବାକୁ ମୃତ୍ୟୁ ତଥ୍ୟକୁ ଲୁଚାଇଛନ୍ତି ସରକାର। ସେପଟେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ କୋଭିଡ୍ ସଂକ୍ରାନ୍ତ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଉଭୟଙ୍କୁ ଟାର୍ଗେଟ୍ କରିଛି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।  

Advertisment

କୋଭିଡ୍‌ର ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ଥିଲା ଦ୍ୱିତୀୟ ଲହର। ଶ୍ମଶାନରେ ଲିଭୁ ନ ଥିଲା ଜୁଇ। ତେବେ ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସ୍‌ବୋର୍ଡ ତଥ୍ୟ କହୁଛି, ଆଜି ଯାଏଁ କୋଭିଡ୍ ମହାମାରୀରେ ୯ ହଜାର ୧୨୬ ଲୋକଙ୍କ ଜୀବନ ଯାଇଛି। କେନ୍ଦ୍ର ରିପୋର୍ଟ ଅନୁସାରେ, ଯଦି କେବଳ ୨୦୨୦ରେ ୮ ହଜାର ୭ଶହରୁ ଅଧିକ ଲୋକ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏ ସଂଖ୍ୟା କେତେ ହୋଇଥିବ ତାହା ସ୍ପଷ୍ଟ ଅନୁମେୟ।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

COVID Dashboard Covid19 Report
Advertisment
Advertisment