• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୟ ବଢ଼ାଇଲାଣି କରୋନା । ପୁଣି ପ୍ରଭାବିତ ହେବ କି ଦଶମ ଓ ଦ୍ୱାଦଶ ପରୀକ୍ଷା ? ସଂକ୍ରମଣମୁକ୍ତ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କଲା ଗଣଶିକ୍ଷା ବିଭାଗ । କୋଭିଡ୍ କଟକଣା ଅନୁଯାୟୀ ପରୀକ୍ଷା କରିବାକୁ ହୋଇଛି ନିଷ୍ପତ୍ତି । ପରୀକ୍ଷା କେନ୍ଦ୍ରରେ ଥର୍ମାଲ ସ୍କାନିଂ, ସାନିଟାଇଜ୍ କରି ପରୀକ୍ଷାର୍ଥୀଙ୍କୁ ଭିତରକୁ ଛଡ଼ାଯିବ । ପରୀକ୍ଷା ହଲ୍ ଭିତରେ ସାମାଜିକ ଦୂରତା ରହିବ । ଯଦିଓ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ତଥାପି ଓମିକ୍ରନ୍‌ର ନୂଆ ସବ୍ ଭାରିଆଣ୍ଟ BF.7 ଭୂତାଣୁରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଆଣିବାକୁ ଯାଉଛି । ତେବେ ଶୀତ ଛୁଟି ସରିବା ପରେ ସ୍କୁଲକୁ ମାସ୍କ ପିନ୍ଧି ଆସିବା ସହ ସାମାଜିକ ଦୂରତା ରଖିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଏପଟେ କୋଭିଡ୍‌ର ସମ୍ଭାବ୍ୟ ଚତୁର୍ଥ ଲହର ମୁକାବିଲା ଲାଗି ଦେଶ କେତେ ପ୍ରସ୍ତୁତ, ତାହା ପରିଖିବାକୁ ଆସନ୍ତାକାଲି ଦେଶବ୍ୟାପୀ ହେବ ମକ୍‌ଡ୍ରିଲ୍ । ଏ ଅବସରରେ ହସ୍ପିଟାଲ ଓ ମେଡିକାଲ କଲେଜଗୁଡ଼ିକରେ କୋଭିଡ୍ ମୁକାବିଲା ପାଇଁ ମହଜୁଦ୍ ଥିବା ଆଇସୋଲେସନ୍ ବେଡ୍, ICU, ଅକ୍ସିଜେନ୍, ଟେଷ୍ଟିଂ କିଟ୍, ଔଷଧ, ଭେଣ୍ଟିଲେଟର ନେଇ ତଥ୍ୟ ଦେବେ ଜିଲ୍ଲା ପ୍ରଶାସନ । କେନ୍ଦ୍ର ସରକାରଙ୍କ କୋଭିଡ୍ ପୋର୍ଟାଲରେ ଅପ୍‌ଲୋଡ୍ ହେବ ଏସବୁ ତଥ୍ୟ । ଏପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି, କୋଭିଡ୍ ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଟେଷ୍ଟିଂ ଓ ଟ୍ରିଟ୍‌ମେଣ୍ଟ ପାଇଁ ଆବଶ୍ୟକ ସବୁ ଉପକରଣ ମହଜୁଦ୍ ରଖାଯାଇଛି ।

ରାଜ୍ୟରେ ବୁଷ୍ଟର ଡୋଜ୍ ଟୀକାକରଣ ତ୍ୱରାନ୍ୱିତ ଉଦ୍ଦେଶ୍ୟରେ ଟୀକା ଯୋଗାଇ ଦେବାକୁ ନିକଟରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ରାଜ୍ୟ । ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ମିଳି ନଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଯେତେଶୀଘ୍ର କେନ୍ଦ୍ର ଟୀକା ଯୋଗାଇବ, ରାଜ୍ୟରେ ବୁଷ୍ଟର ଡୋଜ୍ ଟିକାକରଣ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ଏଯାଏଁ ରାଜ୍ୟର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୪୧ ପ୍ରତିଶତ ପ୍ରିକସନ୍ ଡୋଜ୍ ନେଇଛନ୍ତି ।

ଏପଟେ ଆସନ୍ତାକାଲି ଅପରାହ୍ନରେ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରରେ କୋଭିଡ୍ ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ ।