Advertisment

ଦୁଇ ଦିନରେ ଦୁଇଗୁଣା ଦୈନିକ ସଂକ୍ରମଣ, ଦେଶରେ ହଜାରେ ମୁହାଁ ଓମିକ୍ରନ୍ ଆକ୍ରାନ୍ତ

ଏଣେ ଦେଶରେ ବି ହୁ ହୁ ମାଡ଼ି ଚାଲିଛି ଓମିକ୍ରନ। ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ମୁହାଁ ହୋଇଥିବାବେଳେ ଏପଟେ କରୋନାର ଦୈନିକ ପଜିଟିଭ୍ ଗ୍ରାଫ୍ ବି ହଠାତ୍ ଦୁଇ ଦିନରେ ଦୁଇଗୁଣା ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Rising Omicron Cases In Odisha

Rising Omicron Cases In Odisha

ଭୁବନେଶ୍ୱର: ରହୁଛି ରହୁଛି, ଧାଏଁ କରି ରାଜ୍ୟରେ ଡିଆଁ ମାରୁଛି ଓମିକ୍ରନ୍। ଆଜି ପୁଣି ୫ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ୧୪କୁ ବଢ଼ିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଛି ILS। ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିସ୍ତୃତ ଭାବେ ସୂଚନା ଦେଇ କହିଛନ୍ତି- ଏମାନଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା। କତାର, କଙ୍ଗୋ, ୟୁଏଇ ଆଦି ଦେଶରୁ ଫେରିଛନ୍ତି। ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି। ତେବେ ସେ ରାୟପୁର ଓ ହାଇଦ୍ରାବାଦ ଗସ୍ତ କରିଥିଲେ। ସମସ୍ତ ୫ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି, ଜିନମ ସିକ୍ୟୁଏନସିଂ ପାଇଁ ଯାଇଛି। ସମସ୍ତ ଆକ୍ରାନ୍ତମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Advertisment

ସେପଟେ ରାଜ୍ୟରେ ମାସକ ଭିତରେ ପିଲାଙ୍କୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି- ୧୫ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ। ଜାନୁଆରୀ ୧ରୁ ପଞ୍ଜୀକରଣ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୧୪ ଲକ୍ଷ କୋଭାକ୍ସିନ ଡୋଜ୍ ଉପଲବ୍ଧ ଅଛି। ସେହିପରି ଆବଶ୍ୟକ ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯିବା ସହ ପିଲାଙ୍କ ସାଙ୍ଗରେ ଅଭିଭାବକ ଆସିବାକୁ ପରାମର୍ଶ ଦିଆଯାଇଛି।

ଏଣେ ଦେଶରେ ବି ହୁ ହୁ ମାଡ଼ି ଚାଲିଛି ଓମିକ୍ରନ। ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ମୁହାଁ ହୋଇଥିବାବେଳେ ଏପଟେ କରୋନାର ଦୈନିକ ପଜିଟିଭ୍ ଗ୍ରାଫ୍ ବି ହଠାତ୍ ଦୁଇ ଦିନରେ ଦୁଇଗୁଣା ହୋଇଛି। ଗତ ୨୪ ଘଣ୍ଟାରେ ୧୩ ହଜାର ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଅପଡେଟ୍ ଦେଇ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ କହିଛନ୍ତି- ଗତ ସପ୍ତାହରେ ଦେଶରେ ଦୈନିକ ୮ ହଜାର ପଜିଟିଭ ବାହାରୁଥିଲେ, ଏବେ ତାହା ୧୦ ହଜାର ଟପିଛି। ୮ଟି ଜିଲ୍ଲାରେ କେସ୍ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି। ସେଥିମଧ୍ୟରୁ ମିଜୋରାମର ୬, ଅରୁଣାଚଳର ୧ ଓ ପଶ୍ଚିମବଙ୍ଗର ଗୋଟିଏ ଜିଲ୍ଲା ରହିଛି।

Advertisment

ସେହିପରି କୋଭିଡ୍ ସଂକ୍ରମଣର ପୁଣି ଲମ୍ବ ଡିଆଁ ଦେଖି ୮ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ଟେଷ୍ଟିଂ, ହସ୍ପିଟାଲ କ୍ଷମତା, ପ୍ରସ୍ତୁତି ଓ ଟିକାକରଣ ବୃଦ୍ଧି ପାଇଁ କହିଛନ୍ତି। ଏସବୁ ରାଜ୍ୟଗୁଡ଼ିକ ହେଲା ଦିଲ୍ଲୀ, ହରିୟାଣା, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ। ସେପଟେ ମୁମ୍ବାଇରେ ଆଜିଠୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ସେଠାକାର ସରକାର। ହୋଟେଲ୍, ବାର୍, ରିସର୍ଟ ଓ କ୍ଲବ ଆଦିରେ ନୂଆବର୍ଷ ପାଳନ ମନା ହୋଇଛି।

ବଢୁଛି ଓମିକ୍ରନ୍, ବଢୁଛନ୍ତି ଆକ୍ରାନ୍ତ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୫ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ ୮୭ ଅଛନ୍ତି। ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବି କଟକଣା ଧିରେ ଧିରେ କଡ଼ା କରିବାରେ ଲାଗିଛନ୍ତି। ରାଜଧାନୀରେ ପୁଣି ଦୃତ ସଂକ୍ରମଣ ଦେଖି ବିଏମ୍‌ସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ଆସନ୍ତାକାଲିଠୁ ଜାନୁଆରୀ ୨ତାରିଖ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ। ସେହିପରି ଆସନ୍ତା ନୂଆବର୍ଷ ଓ ତା ପରଦିନ କାକଟପୁରର ମା ମଙ୍ଗଳା ମନ୍ଦିରରେ ବି ଦର୍ଶନ ବନ୍ଦ ନିଷ୍ପତ୍ତି ନେଇଛି ପ୍ରଶାସନ।

COVID19 Omicron Variant Omicron Cases In Odisha
Advertisment
Advertisment