• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କରୋନା ବ୍ୟାପିବା ଉପରେ ଲଗାମ୍ ଲଗାଇବ ଚୁଇଙ୍ଗମ୍ । ଆମେରିକୀୟ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ସ୍ୱତନ୍ତ୍ର ଚୁଇଙ୍ଗମ୍‌କୁ ନେଇ ବଢ଼ିଛି ଆଶା । ଏହି ବୈଜ୍ଞାନିକମାନଙ୍କ ଦାବି, ସେମାନେ ଏଭଳି ଏକ ସ୍ୱତନ୍ତ୍ର ଚୁଇଙ୍ଗମ୍‌ ପ୍ରସ୍ତୁତ କରିଛନ୍ତି, ଯାହାକୁ ଚୋବାଇଲେ ପାଟିର ଛେପ ବା ଲାଳ ଦ୍ୱାରା କରୋନା ଭୂତାଣୁ ଅନ୍ୟ ଜଣଙ୍କୁ ବ୍ୟାପିବା ଆଶଙ୍କା କମିଯାଇଥାଏ । ଏହି ଚୁଇଙ୍ଗମ୍‌ରେ ଏକ ଉଦ୍ଭିଦଜାତ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଥାଏ । ଯାହାକି ପାଟିର ଛେପରେ ଥିବା କରୋନା ଭୂତାଣୁ ଗୁଡ଼ିକୁ ନିଷ୍କ୍ରିୟ କରିଦେବ । ଫଳରେ କରୋନା ସଂକ୍ରମଣ ଆଶଙ୍କା ହ୍ରାସ ପାଇବ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଯେତେବେଳେ ଜଣେ କରୋନା ସଂକ୍ରମିତ ଏହି ଚୁଇଙ୍ଗମ୍‌ ଚୋବାଇବେ, ସେତେବେଳେ ତାଙ୍କ ଠାରେ ଭାଇରାଲ୍ ଲୋଡ୍ କମ୍ ହୋଇଯିବ ।

ଆମେରିକା ପେନ୍‌ସିଲଭେନିଆର ବୈଜ୍ଞାନିକ ହେନରୀ ଡାନିଏଲଙ୍କ କହିବା ମୁତାବକ, ସାର୍ସ କୋଭ୍-ଟୁ ଭାଇରସ୍ ବା କରୋନା ଭୂତାଣୁ ମଣିଷର ଲାଳଗ୍ରନ୍ଥିରେ ନିଜର ବଂଶବୃଦ୍ଧି କରିଥାଏ । ତେଣୁ ଯେତେବେଳେ ସଂକ୍ରମିତ ବ୍ୟକ୍ତି କାଶିଥାଏ, ଛିଙ୍କିଥାଏ ବା କଥା କହିଥାଏ, ଛେପ ମାଧ୍ୟମରେ ଭାଇରସ୍ ବାହାରକୁ ଆସି ଅନ୍ୟକୁ ସଂକ୍ରମିତ କରିଥାଏ । ଜର୍ଣ୍ଣାଲ ମଲିକ୍ୟୁଲାର ଥେରାପିରେ ପ୍ରକାଶିତ ରିପୋର୍ଟରେ ମଧ୍ୟ କୁହାଯାଇଛି, ଏହି ଚୁଇଙ୍ଗମ୍‌ ଲାଳରେ ରହୁଥିବା ଭାଇରସ୍‌କୁ ନଷ୍ଟ କରିବାରେ ପ୍ରଭାବଶାଳୀ ହେବ ।

କରୋନା ମହାମାରୀ ପୂର୍ବରୁ ଡାନିଏଲ୍ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ACE2 ପ୍ରୋଟିନ୍ ଉପରେ ଅଧ୍ୟୟନ କରୁଥିଲେ । ତେବେ ACE 2 ଇଂଜେକ୍ସନ ଗମ୍ଭୀର ସଂକ୍ରମିତ ବ୍ୟକ୍ତିଠାରେ ଭାଇରସ୍‌ର ପ୍ରଭାବ ହ୍ରାସ କରିପାରିବ ବୋଲି ଜଣାପଡ଼ିବା ପରେ, ଅନୁସନ୍ଧାନକାରୀ ଟିମ୍ ଗଛରୁ ACE2 ପ୍ରସ୍ତୁତ କରିବା ସହ ଏହାକୁ ଅନ୍ୟ କିଛି ସାମଗ୍ରୀ ସହ ମିଶାଇ ଚୁଇଙ୍ଗମ୍‌ ପ୍ରସ୍ତୁତ କରିଛନ୍ତି । ତେବେ ଏହା କେତେ ସୁରକ୍ଷିତ ଏବଂ କେତେ ପ୍ରଭାବୀ, ତାହା ଜାଣିବା ପାଇଁ କ୍ଲିନିକାଲ୍ ଟ୍ରାଏଲର ଅନୁମତି ପାଇବା ପାଇଁ କାମ କରୁଛନ୍ତି ରିସର୍ଚ୍ଚ ଟିମ୍ ।