• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଟାଲୀରୁ ଫେରିଥିବା ଯାତ୍ରୀଙ୍କୁ କରୋନା । ଇଟାଲୀରୁ ଆସିଥିବା ଏକ ଫ୍ଲାଇଟ୍ ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ୧୨୫ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ବିମାନରେ ୧୭୯ ଜଣ ଯାତ୍ରୀ ଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ଅମୃତସରରେ କ୍ୱାରେଣ୍ଟିନ୍‌ରେ ରଖାଯାଇଥିବା ଅମୃତସର ଏୟାରପୋର୍ଟ ନିର୍ଦ୍ଦେଶକ ବି.କେ. ସେଠ୍ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୯୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏହାକୁ ତୃତୀୟ ଲହର ବୋଲି କୁହାଯାଉଛି ।ତେବେ ଏପରି ସ୍ଥିତିରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଇଟାଲୀରୁ ପଞ୍ଜାବର ଅମୃତସର ଆସିଥିବା ବିମାନରେ କରୋନା ବିସ୍ଫୋରଣ ହୋଇଥିବା ଦେଖାଦେଇଛି । ଇଟାଲୀରୁ ଆସିଥିବା ଏକ ଚାର୍ଟାଡ ବିମାନରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତି ଇଟାଲୀରେ ଟିକା ନେଇଥିଲେ ବୋଲି ଜଣାପଡ଼ିଛି ।

ଦେଶରେ କରୋନା ସ୍ଥିତି ସାଂଘାତିକ ହେଲାଣି । ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ । ଗତକାଲିଠାରୁ ଆଜି ପ୍ରାୟ ଦେଢ଼ଗୁଣା ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୯୦ ହଜାର ୯୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲିଠୁ ଆଜି ୩୨ ହଜାର ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି । ଏହା ସହିତ ଦୈନିକ ପଜିଟିଭିଟି ହାର ୬.୪୩ ପ୍ରତିଶତକୁ ବୃଦ୍ଧି ହୋଇଛି । ଦେଶରେ ଏବେ ଆକ୍ଟିଭ କେସ୍ ୩ ଲକ୍ଷ ଆଡ଼କୁ ଗତି ଗଲାଣି । ଏହା ସହିତ ଦେଶରେ ୨ ହଜାର ୬୩୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରୁ ୭୯୭, ଦିଲ୍ଲୀରୁ ୪୮୫, ରାଜସ୍ଥାନରୁ ୨୩୬, କେରଳରୁ ୨୩୪, କର୍ଣ୍ଣାଟକରୁ ୨୨୬, ଗୁଜରାଟରୁ ୨୦୪ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଏ ପଯର୍ୟନ୍ତ ଦେଶର ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।