• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ୧୦ ତାରିଖରୁ କଟକ ମହାନଗର ( Cuttack Municipal Corporation ) ରେ ପ୍ରିଭେଣ୍ଟିଭ୍ ଡୋଜ୍ (Preventive Dose ) ବା ବୁଷ୍ଟର ଡୋଜ୍ ଦିଆଯିବ । ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇ ସାରିଥିବା ୬୦ ବର୍ଷରୁ ଅଧିକ ଓ ବହୁ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରିଭେଣ୍ଟିଭ୍ ଡୋଜ୍ ଟିକା ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ନିୟମାବଳୀ ପ୍ରସ୍ତୁତ ପରେ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କେଉଁ କେଉଁ ସ୍ଥାନରେ ଟିକା ଦିଆଯିବ ସେନେଇ ଅନୁଧ୍ୟାନ ଚାଲିଛି ବୋଲି କଟକ ମହାନଗର ନିଗମର ଡେପୁଟି କମିଶନର ଅବିନାଶ ରାଉତ କହିଛନ୍ତି ।

ଅନ୍ୟପଟେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଯାବତ୍ ଦେଶରେ ୬୫୩ଜଣ ଓମିକ୍ରନ୍ ( Omicron ) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୬୭ ଜଣଙ୍କ ଠାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଦିଲ୍ଲୀରେ ୧୬୫, କେରଳରେ ୫୭, ତେଲେଙ୍ଗାନାରେ ୫୫ ଓ ଓଡିଶାରେ ୮ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ଆସନ୍ତା ଫେବ୍ରୁଆରୀରେ ଶୀର୍ଷରେ ପହଞ୍ଚି ପାରେ କରୋନାର ତୃତୀୟ ଲହର । ଏନେଇ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାକୁ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ହେଲେ ICMRର ଆକଳନ ଅନୁଯାୟୀ ଯଦି ତୃତୀୟ ଲହର ଆସେ, ତାହେଲେ ଓଡ଼ିଶାକୁ ଖୁବଶୀଘ୍ର ଆସିବ ବୋଲି ସେ କହିଛନ୍ତି । ଏଣୁ ଫେବ୍ରୁଆରୀ ଶେଷ ବେଳକୁ ଶୀର୍ଷରେ ପହଞ୍ଚିବ ବୋଲି ସେ କହିିଛନ୍ତି ।ତେବେ ସଂକ୍ରମଣ ରୋକିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଥିବା ସେ ଜଣାଇଛନ୍ତି ।

ଅନ୍ୟପଟେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଏକ ସଫଳତା । କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନର ଜରୁରୀ ବ୍ୟବହାର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସେଣ୍ଟ୍ରାଲ ଡ୍ରଗ୍ସସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଅନୁମତି ମିଳିଛି । ଏଥିସହ ଆଣ୍ଟି ଭାଇରାଲ ଡ୍ରଗ୍ ମୋଲନୁପିରାଭିରର ଜରୁରୀ ବ୍ୟବହାର ଅନୁମତି ଦିଆଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି ।