• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହୁ ହୁ ବଢୁଥିବା କରୋନା ସଂକ୍ରମଣକୁ ଦେଖି ବଢିଲା କଟକଣା । ଆସନ୍ତା ୧୦ ତାରିଖରୁ ବନ୍ଦ ରହିବ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ । ଏନେଇ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ବିଦେଶରୁ ଆସୁଥିବା ଯାତ୍ରୀ ୭ ଦିନ ହୋମ୍ କ୍ୟାରେଣ୍ଟିନରେ ରହିବେ । ବିମାନବନ୍ଦର ପରେ ରେଳ ଷ୍ଟେସନରେ ବି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିସହିତ ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।

ବୁର୍ଲା ଭିସୁଟ୍‌ରେ ୨୨ ଛାତ୍ରଛାତ୍ରୀ ଓ ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପିଜି ହଷ୍ଟେଲର ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତତ୍ପର ରାଜ୍ୟ ସରକାର । ଆସନ୍ତା ୧୦ ତାରିଖରୁ ବନ୍ଦ ରହିବ ରାଜ୍ୟର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ସହ ସମସ୍ତ ହଷ୍ଟେଲ୍ । ତେବେ ଆରମ୍ଭ ହୋଇଥିବା ସମସ୍ତ ଅଫ୍ ଲାଇନ୍ ପରୀକ୍ଷା ଜାରି ରହିବ । ସେହିପରି ଅନଲାଇନ୍ ଓ ଭର୍ଚୁଆଲ୍ ମୋଡରେ ଶିକ୍ଷାଦାନ ଚାଲିବ ବୋଲି ଆଜି ଜାରି ହୋଇଥିବା ନୂଆ ଗାଇଡଲାଇନ୍‌ରେ କହିଛନ୍ତି ସରକାର । କୌଣସି ସରକାରୀ କିମ୍ବା ବେସରକାରୀ ଶିକ୍ଷାନୁଷ୍ଠାନ ଅଫ୍ଲାଇନ୍‌ରେ ଶିକ୍ଷାଦାନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ତେବେ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ଆବଶ୍ୟକ ମୁତାବକ କାମ କରିବେ । କୋଚିଂ ସେଣ୍ଟରଗୁଡ଼ିକ ମଧ୍ୟ ଅଫ୍ଲାଇନ୍ ବଦଳରେ ଅନ୍ଲାଇନ୍‌ରେ ପାଠ ପଢ଼ାଇବେ । ଅନ୍ୟପକ୍ଷରେ ରିସର୍ଚ୍ଚ ସ୍କଲାର୍ ଓ ଛାତ୍ରଛାତ୍ରୀ ହଷ୍ଟେଲରେ ରହିବାକୁ ଚାହୁଁଥିଲେ ସେମାନଙ୍କୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ । ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ନୂଆ ଗାଇଡଲାଇନ୍‌ ବଳବତ୍ତର ରହିବ ।

ନିଆଁ ଭଳି ମାଡି ଚାଲିଥିବା କରୋନା ସଂକ୍ରମଣରେ ଲଗାମ କଷିବାକୁ ନୂଆ ଗାଇଡ଼ଲାଇନ୍ ଅନୁଯୟୀ ଆଜିଠୁ ଟ୍ୱିନ୍ ସିଟି ସମେତ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏହାସହ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଆହୁରି ଅନେକ କଟକଣା ଲଗାଯାଇଛି ।

 

ସେଗୁଡ଼ିକ ହେଲା ୫୦% କ୍ଷମତାରେ ଚାଲିବ ହୋଟେଲ ଓ ବାର୍ । ରାସ୍ତାକଡ଼ ଦୋକାନ ରାତି ୯ଟା ଯାଏଁ ଖୋଲିବ । ଏକା ସମୟରେ ସର୍ବାଧିକ ୫ ଜଣ ଗ୍ରାହକ ହିଁ ରହିପାରିବେ । ହଜାରେ ଦର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ । ତେବେ ଯାତ୍ରା ମାଲିକ ନିୟମକୁ କଡ଼ାକଡ଼ି ପାଳନ କରିବେ । ମଲ୍ ଓ ବଜାରରେ ଭିଡ ହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ରହିବେ । ନିୟମ ଉଲ୍ଲଂଘନ କଲେ ୭ ଦିନ ଯାଏଁ ଦୋକାନ ବନ୍ଦ କରାଯିବ ।

ସେପଟେ ବିମାନବନ୍ଦର ଦେଇ ଆସୁଥିବା ସବୁ ଯାତ୍ରୀଙ୍କର RTPCR ଟେଷ୍ଟ ଗାଇଡ୍‌ଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ୭୨ ଘଣ୍ଟା ମଧ୍ୟରେ RTPCR ଟେଷ୍ଟ ହୋଇଥିଲେ ଆଉ କରିବାକୁ ପଡ଼ିବ ନାହିଁ । ଅନ୍ୟପକ୍ଷରେ ବିଦେଶରୁ ଫେରୁଥିବା ଯାତ୍ରୀ ୭ ଦିନ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବେ । ରେଳ ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି । BMC ଅଞ୍ଚଳରେ ଦୈନିକ ୧୦ ହଜାର ଟେଷ୍ଟ କରିବାକୁ ଟାର୍ଗେଟ୍ ରଖାଯାଇଛି ।