• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାକୁ ଫେବ୍ରୁଆରୀ ଟେନସନ୍ । ରାଜ୍ୟରେ ସେହି ମାସ ଶେଷ ଆଡ଼କୁ ଶୀର୍ଷ ଛୁଇଁପାରେ କରୋନାର । ସମ୍ଭାବ୍ୟ ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ବିଭାଗ ଏଭଳି ଆକଳନ କରିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଥିବା କହିଛି । ସେପଟେ ୨୦୦୭ ଜାନୁଆରୀ ୧ ପୂର୍ବରୁ ଜନ୍ମିତ ପିଲାମାନେ କିଶୋର ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ବି ସ୍ପଷ୍ଟ କରିଛି ବିଭାଗ । ଆଉ ଏଭଳି ସ୍ଥିତିରେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ୨ ଟିକା କୋର୍ବେଭାକ୍ସ ଓ କୋଭୋଭାକ୍ସକୁ ଅନୁମତି ମିଳିଥିବା ବେଳେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟାରେ ଚେକ୍ ଦେବାକୁ ଦିଲ୍ଲୀ ସରକାର ପୁଣି କଡ଼ା କରିଛନ୍ତି କୋଭିଡ୍ କଟକଣା ସାଙ୍ଗକୁ ନାଇଟ୍‌ କର୍ଫ୍ୟୁ ।

ଘାତକ ଭ୍ୟାରିଆଣ୍ଟ ଓମିକ୍ରନ୍‌ର କ୍ଷୀପ୍ର ସଂକ୍ରମଣ ଡର ହେଉ କି କରୋନାର ଦୈନିକ ତଳ-ଉପର ପଜିଟିଭିଟ୍ ଗ୍ରାଫ୍ । ତା ଭିତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ଆକଳନ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି-ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାକୁ ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ଡେରିରେ ଆସିଥିଲା । ICMR ଅନୁସାରେ ଯଦି ତୃତୀୟ ଲହର ଆସେ ତାହାଲେ ଓଡ଼ିଶାକୁ ଖୁବ୍‌ଶୀଘ୍ର ଆସିବ । ଫେବ୍ରୁଆରୀ ମାସ ଶେଷ ବେଳକୁ ଏହା ଶୀର୍ଷ ଛୁଇଁପାରେ, ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ସେପଟେ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବା ନେଇ ସ୍ପଷ୍ଟ ହେବା ପରେ ୧୫ରୁ ୧୮ ବର୍ଷ ବର୍ଗଙ୍କ ବୟସ ତାରତମ୍ୟ ସମ୍ପର୍କରେ ରହିଥିବା ଦ୍ୱନ୍ଦ୍ୱର ବି ଅବସାନ ଘଟିଛି । ନିଜେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି- ୨୦୦୭ ଜାନୁଆରୀ ୧ ପୂର୍ବରୁ ଜନ୍ମିତ ପିଲାମାନେ କିଶୋର ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହେବେ । ଟିକା ପାଇଁ ଅନଲାଇନ ଓ ଅନସାଇଟ୍ ପଞ୍ଜୀକରଣ କରିପାରିବେ । ପରିସ୍ଥିତି ଅନୁଯାୟୀ କିଶୋରଙ୍କ ଟିକାକରଣ ଲାଗି ସ୍ଥାନ ବଛାଯିବ । ଯେଉଁଠି ସୁବିଧା ହେବ କିଶୋରଙ୍କୁ ଅଲଗା ଟିକାକରଣ କରାଯିବ ନ ହେଲେ ଯେଉଁଠି ଟିକାକରଣ ଚାଲିଛି, ସେଇଠି ଅଲଗା ଲାଇନ କରି ଦିଆଯିବ ।

କିଶୋରଙ୍କ କ୍ଷେତ୍ରରେ ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ୨୮ ଦିନ ବ୍ୟବଧାନ ରହିବ । ଡାକ୍ତରଙ୍କ ସହ ପରାମର୍ଶ କରି ବରିଷ୍ଠ ନାଗରିକ ଟିକା ନେବାକୁ ଆସିବେ । ଡାକ୍ତର ବୁଷ୍ଟର ଡୋଜ ପାଇଁ କହିଥିଲେ ୯ ମାସ ବ୍ୟବଧାନ ଦେଖି ଟିକା ନେଇ ପାରିବେ । ଏପ୍ରିଲ ସୁଦ୍ଧା ୨ୟ ଡୋଜ୍ ନେଇଥିଲେ ଜାନୁଆରୀ ୧୦ରେ ୩ୟ ଡୋଜ୍ ନେଇ ହେବ, ତେବେ କିଏ ତୃତୀୟ ଡୋଜ୍ ନେବେ ସେ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ।

ସେପଟେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ୨ଟି ଟିକାକୁ ମିଳିଛି ଅନୁମତି । କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନର ଜରୁରୀ ବ୍ୟବହାର ପାଇଁ ମିଳିଛି ଅନୁମତି । ଆଣ୍ଟି ଭାଇରାଲ ଡ୍ରଗ୍ ମୋଲନୁପିରାଭିରକୁ CDSCOର ଅନୁମତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସେପଟେ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭ଶହ ମୁହାଁ ହୋଇଥିବା ବେଳେ କେବଳ ଦିଲ୍ଲୀରେ ଦେଢ ଶହ ପାଖାପାଖି ଛୁଇଁଲାଣି । ଏଭଳି ସ୍ଥିତି ଦେଖି ପୁଣି କରୋନା କଟକଣା କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇ ସାରା ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜାରି କରିଛନ୍ତି ସେଠାକାର ସରକାର । ରାତି ୧୦ଟାରୁ ଭୋର୍ ୫ଟା ଯାଏଁ ନାଇଟ କର୍ଫ୍ୟୁ  ଲାଗୁ ନେଇ ଘୋଷଣା ସହ ଦିଲ୍ଲୀ ମେଟ୍ରୋ, ବାର୍ ଓ ରେଷ୍ଟୁରାଷ୍ଟ ୫୦ ପ୍ରତିଶତ କ୍ଷମତାରେ ଚାଲିବାକୁ ନିଷ୍ପତ୍ତି ହୋଇଛି । ତାସହ ସିନେମା ହଲ୍, ସ୍ପା, ଜିମ୍, ଅଡିଟୋରିୟମ, ମଲ୍ଟିପ୍ଲେକ୍ସ ବନ୍ଦ ପାଇଁ ସ୍ଥିର ହୋଇଛି ।