• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ-କପିଳେନ୍ଦ୍ର ପ୍ରଧାନ): ଓଡ଼ିଶାରେ ଓମିକ୍ରନ୍ ଟେନସନ୍‌ରୁ ସାମାନ୍ୟ ଆଶ୍ୱସ୍ତି । ଏଯାଏଁ ରାଜ୍ୟକୁ ପଶିନି କୋଭିଡ୍‌ର ଦ୍ରୁତ ସଂକ୍ରାମକ ମାରାତ୍ମକ ଭ୍ୟାରିଆଣ୍ଟ । ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILSର ସଦ୍ୟତମ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ଆଶ୍ୱସ୍ତ ହୋଇଛି ରାଜ୍ୟ । ILS କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗତ ନଭେମ୍ବର ୨୯ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଟେଷ୍ଟିଂ ଲ୍ୟାବ୍‌ରୁ ୨୪୬ଟି ପଜିଟିଭ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ଆସିଥିଲା । କୌଣସି ଗୋଟିଏ ବି ନମୁନାରେ ଓମିକ୍ରନ୍ ଭୂତାଣୁ ଠାବ ହୋଇନି । ଏଣେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏବେସୁଦ୍ଧା ଆଟ୍ ରିସ୍କ ଦେଶରୁ ୧୨୮୬ ଜଣ ଯାତ୍ରୀ ଓଡ଼ିଶା ଫେରିଛନ୍ତି । ତାମଧ୍ୟରୁ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାକୁ ଆସିଛନ୍ତି ସର୍ବାଧିକ ଲୋକ  ତେବେ ଯେଉଁମାନେ ରାଜ୍ୟକୁ ଆସିଛନ୍ତି, ସେମାନଙ୍କ ପାଖରେ ପହଞ୍ଚିବାକୁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

ଗୋଟିଏ ପଟେ ଓମିକ୍ରନ୍ ଆଶଙ୍କାରୁ ରାଜ୍ୟକୁ ଆଶ୍ୱସ୍ତି ମିଳିଥିଲେ ବି ପୁଣି ଟେନ୍‌ସନ୍‌ ବଢ଼ାଇଲାଣି କ୍ୟାମ୍ପସ କରୋନା ସଂକ୍ରମଣ । ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ ଓ ଯାଜପୁର ପରେ ଗତକାଲି ଭୁବନେଶ୍ୱରର ଦୁଇଟି ସ୍କୁଲକୁ ବ୍ୟାପିଛି କୋଭିଡ୍ ଭୂତାଣୁ । ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନଙ୍କୁ ବି ସଂକ୍ରମଣ କରିଛି । ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଚିନ୍ତାପ୍ରକଟ କରିଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-SCPCR ।

ଶିକ୍ଷା ବିଭାଗର ଗାଇଡ୍‌ଲାଇନ୍ ଅନୁସାରେ ଏବେ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜରେ କ୍ଲାସ କରୁଛନ୍ତି । କିନ୍ତୁ କୋଭିଡ୍‌ର ଓମିକ୍ରନ୍ ପ୍ରଜାତି ଦ୍ୱାରା ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ଜିଲ୍ଲାପାଳମାନେ ସବୁ ସ୍କୁଲ ଓ କଲେଜ ପାଇଁ କରୋନା ଟେଷ୍ଟିଂ ବ୍ୟବସ୍ଥା ନିଶ୍ଚିତ କରାଇବା ସହ କୋଭିଡ୍ ନିୟମ ଅନୁପାଳନକୁ ସୁନିଶ୍ଚିତ କରାଇବାକୁ ଚିଠି ଲେଖିଛନ୍ତି SCPCR ଅଧ୍ୟକ୍ଷା ।

ସେପଟେ ସ୍ୱାସ୍ଥ୍ୟ ବିଭାଗ କହିଛି, ଶିକ୍ଷାନୁଷ୍ଠାନରେ କୋଭିଡ୍ ସଂକ୍ରମଣ ନେଇ ସରକାର ଅବଗତ ଅଛନ୍ତି । ଅଧିକାଂଶ କ୍ଷେତ୍ରରେ ହଷ୍ଟେଲରେ ହିଁ ସଂକ୍ରମଣ ଦେଖିବାକୁ ମିଳୁଛି । ସବୁ ସ୍କୁଲ କ୍ୟାମ୍ପସରେ କ୍ୱାରେଣ୍ଟିନ୍ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ଦିଆଯାଇଛି । ତେବେ ଯଦି କୌଣସି ଛାତ୍ରଛାତ୍ରୀଙ୍କଠାରେ ଥଣ୍ଡା ଓ କାଶ ଭଳି ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ସ୍କୁଲକୁ ଛାଡ଼ନ୍ତୁ ନାହିଁ ଅଭିଭାବକ । ଏସବୁ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ୧୪୭ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ଦୈନିକ ସଂକ୍ରମଣ ପୁଣି ଶହେ ପାର୍ କରିଛି ।