• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଙ୍ଗାଲୋର: କରୋନା ଭାଇରସ୍‌ ପରେ ଏବେ ନୋରୋ ଭାଇରସ୍ କେରଳର ୱାୟାନାଡ଼ରେ ଆତଙ୍କ ସୃଷ୍ଟି କରିପାରେ । ଦୂଷିତ ଜଳ ଏବଂ ଖାଦ୍ୟରୁ ବ୍ୟାପୁଥିବା ଏହି ରୋଗଠାରୁ ଦୂରେଇ ରହିବା ପାଇଁ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକଙ୍କୁ ଏହି ରୋଗ ବିଷୟରେ ଅବଗତ କରାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟର ସବୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜିଲ୍ଲାର ସବୁ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସଚନାନୁଯାୟୀ, ୱାୟାନାଡ ଜିଲ୍ଲାର ଭିଥିରି ନିକଟ ପୁକୋଡେଠାରେ ଏକ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ରହିଛି । ଦୁଇ ସପ୍ତାହ ପୂର୍ବେ ସେଠାକାର ୧୩ ଜଣ ଛାତ୍ରଙ୍କ ନିକଟରେ ଏହି ବିରଳ ନୋରୋ ଭାଇରସ୍‌ ଦେଖାଯାଇଥିଲା ।

ଜର୍ଜଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗର ଏକ ବୈଠକ ବସିଥିଲା । ଏହାପରେ ଜର୍ଜ କହିଛନ୍ତି ଯେ, ବର୍ତ୍ତମାନ ଚିନ୍ତା କରିବାର କିଛି ଆବଶ୍ୟକ ନାହିଁ, କିନ୍ତୁ ଲୋକମାନେ ସତର୍କ ରହିବା ଆବଶ୍ୟକ । ସେ କହିଛନ୍ତି ଯେ ନୋରୋ ଭାଇରସକୁ ରୋକିବା ପାଇଁ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ବ୍ୟବହାର କରିବାକୁ ହେବ । ଏମିତି ଭଲ ଖାଇବା ବି ଆବଶ୍ୟକ । ସେ ଆହୁରି କହିଛନ୍ତି, ‘ଉଚିତ୍‌ ପ୍ରତିରୋଧ ଏବଂ ଚିକିତ୍ସା ଦ୍ୱାରା ଏହି ରୋଗ ଶୀଘ୍ର ଭଲ ହୋଇପାରିବ । ତେଣୁ ସମସ୍ତେ ଏହି ରୋଗ ଏବଂ ଏହାର ଉପଚାର ବିଷୟରେ ଜାଣିବା ଉଚିତ୍ ।

ନୋରୋ ଭାଇରସ୍ କ’ଣ ?

କରୋନା ଭାଇରସ୍‌ ଭଲି ନୋରୋ ଭାଇରସ୍‌ ମଧ୍ୟ ଏକ ସଂକ୍ରାମକ ରୋଗ । ଏହା ଡାଇରିଆ, ବାନ୍ତି ଏବଂ ପେଟ ଯନ୍ତ୍ରଣା ଆଦି ସୃଷ୍ଟି କରିଥାଏ । ଜନସ୍ୱାସ୍ଥ୍ୟ ବିଭାଗର କହିବାନୁଯାୟୀ, ଏହା ସଂକ୍ରମିତ ଲୋକ କିମ୍ବା ଦୂଷିତ ପୃଷ୍ଠଗୁଡ଼ିକ ସହ ସଂସ୍ପର୍ଷରେ ଆସିଲେ ବ୍ୟାପିଥାଏ । ତେବେ ସଂକ୍ରମିତ ଲୋକମାନଙ୍କ ମଧ୍ୟରୁ ସମସ୍ତେ ଅନ୍ୟକୁ ସଂକ୍ରମିତ କରିପାରି ନଥାନ୍ତି । ହାତଗଣତି କେଇ ଜଣ ଅନ୍ୟକୁ ସଂକ୍ରମିତ କରିବାରେ ସକ୍ଷମ ଥାନ୍ତି । ଇଂଲଣ୍ଡର ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ‘ୱିଣ୍ଟର ଭୋମିଟିଂ ବଗ’ କୁହାଯାଇଛି । ଏହା ସାଧାରଣତଃ ଶୀତ ସମୟରେ ଅଧିକ ସକ୍ରିୟ ହୋଇଥାଏ ।

ନୋରୋ ଭାଇରସ୍‌ର ଲକ୍ଷଣ

ସିଡିସି ଦ୍ୱାରା ତାଲିକାଭୁକ୍ତ କରାଯାଇଥିବା ନୋରୋ ଭାଇରସର ଲକ୍ଷଣଗୁଡ଼ିକ ହେଲା ଡାଇରିଆ, ବାନ୍ତି, ପେଟ ଯନ୍ତ୍ରଣା, ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀର ଯନ୍ତ୍ରଣା । କେତେକ କ୍ଷେତ୍ରରେ ଏହି ଜୀବାଣୁ ପେଟ କିମ୍ବା ଅନ୍ତନଳୀରେ ଭୟଙ୍କର ପ୍ରଭାବ ସୃଷ୍ଟି କରିପାରେ ।