• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚସୂତ୍ରୀ ନିୟମ ପାଳନ ପାଇଁ କେନ୍ଦ୍ରର ଚିଠି । କୋଭିଡ ନିୟମ କଡ଼ାକଡ଼ି ପାଳନ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପକ୍ଷରୁ ଚିଠି କରାଯାଇଛି । ଓମିକ୍ରନ ପାଇଁ ଅଧିକ ସତର୍କ ରହିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି ଲେଖିଛନ୍ତି । ପଞ୍ଚସୂତ୍ରୀ ନିୟମ ଯଥା, ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକା ଓ ସତର୍କ ରହିବାକୁ ଚିଠିରେ କହିଛନ୍ତି ଭାଲ୍ଲା ।

ଭିଡ଼ ଏଡ଼ାଇବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ଆବଶ୍ୟକତା ଦେଖି କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ କହିବା ସହିତ ନିୟମ ଖିଲାପକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ବି ପରାମର୍ଶ ଦେଇଛନ୍ତି । ଓମିକ୍ରନ୍ ନେଇ ଲୋକଙ୍କୁ ନଡରାଇ ସଚେତନ କରିବାକୁ କହିଛନ୍ତି ଭାଲ୍ଲା ।

 

ଅନ୍ୟପଟେ ଦେଶରେ ମାଡ଼ି ଚାଲିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଓମିକ୍ରନରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୭୮ରେ ପହଞ୍ଚିଛି । ଦେଶରେ ଦିନକରେ ୬୫୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭ ହଜାର ୧୪୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ସଂଖ୍ୟା ୭୫ ହଜାର ୮୪୧ ରହିଥିବାବେଳେ ୯୮.୪ ପ୍ରତିଶତ ରିକଭରି ରେଟ୍ ରହିଛି ।

ଓମିକ୍ରନ୍ ଭ୍ୟାରିଆଣ୍ଟର ଆତଙ୍କ ଭିତରେ ଆଜିଠୁ ନୂଆଦିଲ୍ଲୀରେ ଲାଗୁ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୫ଟା ଯାଏଁ ଏହି ନାଇଟ୍ କର୍ଫ୍ୟୁ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୦ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ କରୋନାର ପଜିଟିଭିଟି ରେଟ୍ ୦.୫ ପ୍ରତିଶତକୁ ଟପିଛି । କ୍ରମାଗତ ବଢୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି କେଜରିୱାଲ ସରକାର ଆଜିଠୁ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି । କେବଳ ଦିଲ୍ଲୀ ନୁହେଁ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଆସାମ୍, ହରିୟାଣା, ମଧ୍ୟପ୍ରେଦେଶ ଓ ଗୁଜୁରାଟରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ରହିଛି ।