• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ପୁଣି ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ଦୈନିକ ପଜିଟିଭ୍ ସଂଖ୍ୟା ୭ ହଜାର ୨୪୦ ଛୁଇଁଛି । କିଛି ଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କୋଭିଡ୍ ସଂକ୍ରମଣ । ଦେଶରେ ଦୈନିକ ସଂକ୍ରମଣ ୭ ହଜାର ପାର୍ କରିଛି । ୮ ଜଣଙ୍କ ଜୀବନ ନେଇଛି ମହାମାରୀ ।

ମହାରାଷ୍ଟ୍ର, ଦିଲ୍ଲୀ ଏବଂ କେରଳରେ କିନ୍ତୁ ଲମ୍ଫ ମାରିଛି ସଂକ୍ରମଣ । କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୨୭ ଶହ ନୂଆ ରୋଗୀ । ଯାହା ଫଳରେ ଦେଶରେ ଦୈନିକ ସଂକ୍ରମଣ ହାର ଏକା ଥରକେ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଯାହାକୁ ନେଇ ଏବେ ପୁଣି ଥରେ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର । ଡିଜିସିଏ ବିମାନ ଯାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗାଇଡଲାଇନ ଅଣିଛି । ବିମାନ ଯାତ୍ରା ସମୟରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏହାପରେ ଭୁବନେଶ୍ୱର  ବିମାନବନ୍ଦରରେ ମଧ୍ୟ ଯାଞ୍ଚକୁ କଡାକଡି କରାଯାଇଛି । ଏୟାରପୋର୍ଟ ପ୍ରବେଶ ପଥରେ ଯାତ୍ରୀମାନଙ୍କୁ ସୁରକ୍ଷାକର୍ମୀ ସତର୍କ କରାଉଛନ୍ତି ।

ସେପଟେ ରାଜ୍ୟରେ ବି କୋଭିଡ୍ ଅକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ଦୁଇ ଗୁଣ ହୋଇଛି । ଗତକାଲି ୧୫ ଆକ୍ରାନ୍ତ ଚିହ୍ନଟ ପରେ ଆଜି ଏହା ୩୧ରେ ପହଞ୍ଚିଛି । ୧୮ ବର୍ଷରୁ କମ୍ ବର୍ଗରେ ୨ ଜଣ, କ୍ୱାରେଣ୍ଟିନରେ ୧୮ ଓ ଲୋକାଲ କଣ୍ଟାକ୍ଟ ୧୩ ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ ୧୬ ଓ ଖୋର୍ଦ୍ଧାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କଟକର ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ଘରୋଇ କଲେଜର ଛାତ୍ରାବାସରୁ ୧୩ ଜଣ ଛାତ୍ର ପଜିଟିଭ୍ ହୋଇଛନ୍ତି ।

ସେହି ହଷ୍ଟେଲ୍‌ରେ ୨ ଶହ ଅନ୍ତେବାସୀଙ୍କ ମଧ୍ୟରୁ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଜଣେ ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ପରେ ଅନ୍ୟମାନେ ପଜିଟିଭ୍ ଥିବା ଜଣା ପଡିଥିଲା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏକ ଟିମ୍ ସେଠାକୁ ଯାଇ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ କଣ୍ଟେନମେଣ୍ଟର ଆବଶ୍ୟକତା ଅଛି କି ନାହିଁ ଜଣାପଡିବ । ତେବେ ସଂକ୍ରମଣ ବନ୍ଦ ହୋଇନଥିବାରୁ ସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶରେ କୋଭିଡ୍ ଟୀକା କରଣ ତ୍ୱରାନ୍ୱିତ ହୋଇଥିବାରୁ ଅପେକ୍ଷାାକୃତ କମ୍ ରହିଛି ସଂକ୍ରମଣ । ବିଶେଷଜ୍ଞଙ୍କ ମତରେ ଗୋଟିଏ ଦୁଇଟି ସ୍ଥାନରେ ଏଭଳି ସଂଖ୍ୟା ବଢିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଏବଂ କୋଭିଡ୍ ନିୟମ ମାନିଲେ ହିଁ ସମ୍ଭାବ୍ୟ ଚତୁର୍ଥ ଲହରକୁ ଏଡାଇ ଦିଆଯାଇପାରିବ ।