• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ଦୈନିକ କରୋନା ସଂକ୍ରମଣରେ ଆଜି ଲମ୍ବ ଡିଆଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୭୭୫ କରୋନା ଆକ୍ରାନ୍ତ ଚିହ୍ନଟ । ଅନ୍ୟପଟେ ଦେଶରେ ଦିନକରେ ୪୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬କୁ ବୃଦ୍ଧି ପାଇଛି । ଦେଶରେ ଏବେ ଆକ୍ଟିଭ୍ କେସ୍ ୧ ଲକ୍ଷ ୦୪ ହଜାର ୭୮୧ ରହିଥିବା ବେଳେ ଏବେ ସୁଦ୍ଧା ସୁସ୍ଥ ହେଲେଣି ୩ କୋଟି ୪୨ ଲକ୍ଷ ୭୫ ହଜାର ୩୧୨ ।

ଅନ୍ୟପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଏବେ ମୋଟ ୧୪୩୧ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଦ୍ରୁତ ଗତିରେ ଏହି ଭ୍ୟାରିଏଣ୍ଟ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୫୧ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ତାମିଲନାଡୁରେ ୧୧୮, ଗୁଜରାଟରେ ୧୧୫, କେରଳରେ ୧୦୯ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ୨୩ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳକୁ ଓମିକ୍ରନ ବ୍ୟାପି ସାରିଛି ।

ସେହିଭଳି କରୋନା ସଂକ୍ରମଣ ବି ଚିନ୍ତା ବଢାଉଛି । ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ ୩୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ଗୋଟିଏ ଦିନରେ ୫ହଜାରରୁ ଅଧିକ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ଦଶରେ ବଢ଼ିଚାଲିଥିବା କରୋନା ସହ ଓମିକ୍ରନ୍ ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଆବଶ୍ୟକ ଟେଷ୍ଟିଂ ଉପକରଣ କିଣିବା ସହ ଲ୍ୟାବ୍ ବଢ଼ାଇବାକୁ କେନ୍ଦ୍ର ସରକାର କହିଛନ୍ତି । କେସ୍ ବଢ଼ିଲେ ସମୟ ସାପେକ୍ଷ RTPCR ଅପେକ୍ଷା ଆଣ୍ଟିଜେନ୍ ଟେଷ୍ଟ କରାଇବାକୁ ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

ଆଣ୍ଟିଜେନ୍ ଟେଷ୍ଟ ପାଇଁ ଅଧିକ ସରକାରୀ ଓ ଘରୋଇ ହସ୍ପିଟାଲକୁ ଅନୁମତି ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ହସ୍ପିଟାଲ ଗୁଡ଼ିକରେ ଆଣ୍ଟିଜେନ୍ ଟେଷ୍ଟ ବ୍ୟବସ୍ଥା ପାଇଁ କୌଣସି ସ୍ୱୀକୃତିର ଆବଶ୍ୟକ ନାହିଁ । ତେଣୁ ସେଲ୍ଫ ଟେଷ୍ଟ କିଟ୍ ଜରିଆରେ ନିଜସ୍ୱ ପରୀକ୍ଷାକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।