• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅକ୍ଟୋବରରେ ୧୨ରୁ ୧୭ ବର୍ଷର ପିଲାଙ୍କୁ କରାଯିବ ଟିକାକରଣ । 

  • ଏହି ବର୍ଗର ପିଲାଙ୍କ ପାଇଁ ଅକ୍ଟୋବରରେ ଜାଇକୋଭ-ଡି ଭ୍ୟାକ୍ସିନ ଉପଲବ୍ଧ ହେବ ।

  • ସୂଚନା ଦେଇଛନ୍ତି ନିତି ଆୟୋଗର କୋଭିଡ୍ ଓ୍ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ।

ନୂଆଦିଲ୍ଲୀ: ଅକ୍ଟୋବରରେ ଆରମ୍ଭ ହେବ ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକାକରଣ । ଏହି ବର୍ଗର ପିଲାଙ୍କ ପାଇଁ ଅକ୍ଟୋବରରେ ଜାଇକୋଭ-ଡି ଭ୍ୟାକ୍ସିନ ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛନ୍ତି ନିତି ଆୟୋଗର କୋଭିଡ୍ ଓ୍ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡାକ୍ତର ଏନ୍.କେ. ଆରୋରା । ତେବେ ଏହା ପୂର୍ବରୁ ରୋଗାଗ୍ରସ୍ତ ଶିଶୁଙ୍କ ପାଖରେ କେମିତି ଶୀଘ୍ର ପହଞ୍ଚି ହେବ ସେନେଇ ତାଲିକା ଓ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି ।

ଏହାଛଡ଼ା ସ୍କୁଲରେ ଶିକ୍ଷକ, କର୍ମଚାରୀ, ବସ୍ ଡ୍ରାଇଭରଙ୍କୁ ଟିକାକରଣ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।ଏହାଦ୍ୱାରା ପିଲାଙ୍କ ଚାରିପାଖେ ଏକ ସୁରକ୍ଷା ବଳୟ ଭଳି ଏହା କାମ କରିବ । ତେବେ କୋଭିଡ୍ ଯୋଗୁ ପିଲା ବେଶୀ ଗୁରୁତର ହେବେ ନାହଁ ବୋଲି ସେ କହିଛନ୍ତି । ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ସମୟ ଆସିଛି ଓ ସ୍କୁଲ ଖୋଲିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି । ତେବେ ସମସ୍ତ ବୟସ୍କ, ବାପା ମାଆ ଭ୍ୟାକ୍ସିନ ନେବା ଜରୁରୀ ବୋଲି ନିତି ଆୟୋଗର କୋଭିଡ୍ ଓ୍ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ମତ ରଖିଛନ୍ତି ।

ତେବେ ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସବୁ ରାଜ୍ୟକୁ କହିଛନ୍ତି । ଏଇ ମାସରେ ରାଜ୍ୟ ଗୁଡ଼ିକୁ ଅଧିକ ୨ କୋଟି ଡୋଜ୍ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନେକ ରାଜ୍ୟରେ ଏବେ ଧୀରେ ଧୀରେ ସ୍କୁଲ ଖୋଲୁଛି, ତେଣୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ୫୮.୦୭ କୋଟିରୁ ଅଧିକ କରୋନା ଭ୍ୟାକ୍‌ସିନ୍‌ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୩୭,୫୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୫,୧୨,୩୬୬ରେ ପହଞ୍ଚିଛି ।