• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କରୋନା କାଳରେ ଶିଶୁଙ୍କ ପାଇଁ ଭଲ ଖବର । ପିଲାଙ୍କ ପାଇଁ ଆସୁଛି ଶକ୍ତିଶାଳୀ କରୋନା କବଚ । ଦେଶରେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭିଡ୍ ଭ୍ୟାକସିନ୍ କୋଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶେଷଜ୍ଞ କମିଟି । ଭାରତ ବାୟୋଟେକ୍ ପକ୍ଷରୁ କ୍ଲିନିକାଲ ଟ୍ରାଏଲ ସମ୍ପର୍କିତ ସମସ୍ତ ତଥ୍ୟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ CDSCOକୁ ପ୍ରଦାନ କରାଯାଇଛି ।

୧ ହଜାରରୁ ଅଧିକ ପିଲାଙ୍କ ଉପରେ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସରିଛି । ବୟସ୍କଙ୍କ କ୍ଷେତ୍ରରେ କୋଭାକ୍ସିନ୍ ଯେତିକି ଫଳପ୍ରଦ ଥିଲା, ଶିଶୁଙ୍କ ଉପରେ ମଧ୍ୟ ତାହା ଅନୁରୁପ ହାରରେ ଫଳପ୍ରଦ ହେଉଥିବା ଦାବି କରିଛି କମ୍ପାନୀ । ଶିଶୁ ଓ କିଶୋରଙ୍କୁ ଏହି ଟିକାର ଦୁଇଟି ଡୋଜ ମଧ୍ୟରେ ୨୦ ଦିନ ବ୍ୟବଧାନ ରହିବ । ପିଲାଙ୍କଠାରେ ଏହି ଟିକା ପ୍ରୟୋଗ ନେଇ ଏବେ ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା DCGIକୁ ସବଜେଟ୍ ଏକ୍ସପର୍ଟ କମିଟି ପ୍ରସ୍ତାବ ଦେଇଥିବା ବେଳେ DCGIର ଚୂଡାନ୍ତ ଅନୁମତିକୁ ଅପେକ୍ଷା କରାଯାଇଛି ।

ଭାରତ ବାୟୋଟେକର କରୋନା କବଚ ଆସିଲେ ଏହା ବହୁବିଧ ରୋଗରେ ଆକ୍ରାନ୍ତ ଥିବା ପିଲାଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯିବ ଏବଂ ପରେ ଅନ୍ୟମାନଙ୍କୁ ମିଳିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଭାରତର ଟିକା ଟାସ୍କଫୋର୍ସର ମୁଖ୍ୟ ଡର ଏନ୍.କେ ଆରୋରା । ଏପଟେ ଯଦି କୋଭାକ୍ସିନ୍‌କୁ ଅନୁମତି ମିଳେ, ତେବେ ଜାଇଡସ କାଡିଲା ପରେ ଏହା ପିଲାଙ୍କ ପାଇଁ ଦ୍ୱିତୀୟ କୋରନା କବଚ ହେବ । ଏହା ପୂର୍ବରୁ ଗତ ଅଗଷ୍ଟରେ ଜାଇଡସ କାଡିଲା ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାଙ୍କ ପାଇଁ ପ୍ରସ୍ତୁତ ଟିକାର ୩ ଡୋଜ୍ ଜାବ୍‌କୁ ଅନୁମତି ଦେଇଥିଲା । ଏ ଦୁଇଟି ଟିକା ବାଦ୍ ପିଲାଙ୍କ ପାଇଁ ତୃତୀୟ ସମ୍ଭାବ୍ୟ ଟିକା ଭାବେ ସେରମ୍ ଇନଷ୍ଟିଚ୍ୟୁଟର ନୋଭାଭାକ୍ସ ମଧ୍ୟ ରହିଛି । ଯାହାକୁ ୭ରୁ ୧୧ ବର୍ଷ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ ପାଇଁ  ଗତ ମାସରେ ଅନୁମତି ଦେଇଛି DCGI । ତେବେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଏଯାଏଁ WHOର ଅନୁମତି ମିଳିନି । WHO, ଟ୍ରାଏଲ ସମ୍ପର୍କୀତ ଅଧିକ ତଥ୍ୟ ଚାହିଁଥିବାରୁ ସଂସ୍ଥାର ଅନୁମତି ଲାଗି ଆଉ ଗୋଟିଏ ସପ୍ତାହ ଲାଗିବ ବୋଲି ଅନୁମାନ କରାଯାଉଛି ।

ବିଶ୍ୱ ମହାମାରୀ କରୋନା ବିରୋଧରେ ଲଢେଇ ପାଇଁ ସବୁଠୁ ବଡ଼ ଅସ୍ତ୍ର ହୋଇଛି ଟିକା । ଏପଟେ ଭାରତରେ ବିଶ୍ୱର ସର୍ବାଧିକ ସଂଖ୍ୟାରେ ଟିକାକରଣ ହୋଇଛି । ଏବେ ସୁଦ୍ଧା ୯୬ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇ ସାରିଛି । ଆଗକୁ ପିଲାଙ୍କ ଟିକା ଉପଲବ୍ଧ ହେଲେ ଟିକାକରଣ ପ୍ରକ୍ରିୟା ଆହୁରି ଦ୍ରୁତ ହୋଇପାରିବ ।