• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସତ ହେଲା କି ସ୍ୱାସ୍ଥ୍ୟ ବିଭାଗର ଶଙ୍କା ? ରଥଯାତ୍ରା ପାଇଁ ଧାଏଁ କରି ବଢ଼ିଗଲା କି ସଂକ୍ରମଣ ? ଗତକାଲି ତୁଳନାରେ ରାଜ୍ୟରେ ଆଜି ପ୍ରାୟ ୫୦ ପ୍ରତିଶତ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଛି ଚିନ୍ତା । ଗତ କିଛି ଦିନ ହେଲା ସଂକ୍ରମଣର ୫ଶହ ଟ୍ରେଣ୍ଡ ଜାରି ରହିଥିବାବେଳେ ଆଜି ହଠାତ୍ ଲମ୍ବା ଡିଆଁ ମାରି ପହଞ୍ଚିଛି ୭୪୩ରେ ।

ଏଥିସହ ଜଣଙ୍କର ଜୀବନ ବି ଯାଇଛି । ଯାହାକୁ ନେଇ ବଢିଛି ସରକାରଙ୍କ ଟେନସନ, ନିଜେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ପୁଣି ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି ।  ମହାମାରୀ ବିପଦ ଏଯାଏଁ ଟଳି ନାହିଁ, ତେଣୁ ସଂକ୍ରମଣରୁ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେଣେ ରଥଯାତ୍ରା ପରେ ସ୍ଥିତି ଉପରେ ନଜର ରଖିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ । ଲୋକମାନେ ଗାଁକୁ ଫେରୁଥିବାରୁ ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ତର୍ଜମା ଚାଲିଛି । କମ୍ୟୁନିଟିରେ ପଜିଟିଭ କେସ୍ ଅଧିକ ରହିଛି, ତେଣୁ ନିୟମ ମାନିବା ସହ ଟିକା ନେଇନଥିବା ଲୋକ ଶୀଘ୍ର ଭ୍ୟାକ୍ସିନ ନେବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ । ତାସହ ରାଜ୍ୟରେ ସଂକ୍ରମଣର ଏ ଉପର ମୁହାଁ ଗ୍ରାଫ୍ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଭଲ ସ୍ଥିତିକୁ ଆସିବ ବୋଲି ଅନୁମାନ କରାଯାଉଛି ।

ତେବେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ସଂକ୍ରମଣ ବଢ଼ାଇଛି ଟେନସନ । ଖୋର୍ଦ୍ଧା ଜିଲ୍ଲାରୁ ଆଜି ୩୦୩ ଏବଂ କଟକରୁ ୧୧୫ ନୂଆ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଆକ୍ସନ ମୁଡକୁ ଆସିଛି ପ୍ରଶାସନ । ଗତକାଲି ୬୦ଟି ଘରୋଇ ଏବଂ ସରକାରୀ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ମାସ୍କ ଏବଂ ସାମାଜିକ ଦୂରତା କଟକଣା କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଛି ବିଏମସି । ତାସହ ଯୁଦ୍ଧକାଳୀନ ଭିତ୍ତିରେ ୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ ପାଇଁ ନିଷ୍ପତ୍ତି ହୋଇଛି ।

ଏବେ ସୁଦ୍ଧା ୫୪ ପ୍ରତିଶତ ସ୍କୁଲରେ ଟୀକାକରଣ ସରିଥିବା ବେଳେ ୧୫ ଦିନ ଭିତରେ ସମସ୍ତ ସ୍କୁଲରେ ଏହା ସାରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏଣେ କମିଶନରେଟ ପୋଲିସ ପକ୍ଷରୁ ପୁଣି କୋଭିଡ୍ ଏନଫୋର୍ସମେଣ୍ଟ କଡ଼ା କରିବାକୁ ଅଣ୍ଟା ଭିଡ଼ିଲାଣି ।

ତେଣେ କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତିକ୍ରମେ ଜୁଲାଇ ୧୫ରୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍ ଟିକା । ୧୮ରୁ ଅଧିକ ବୟସ ବର୍ଗଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍ । ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ ଏହି ଡୋଜ୍ । ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ କରୋନାର ଡବଲ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍ ନେବା ନିୟମ ଥିଲା । ହେଲେ ଏବେ ଏହାକୁ କମାଇ ୬ମାସ କରାଯାଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଲାଗି ଚାଲିଥିବା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମାଗଣା ବୁଷ୍ଟର ଡୋଜ୍ ଦେବାକୁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।