• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତୃତୀୟ ଲହରରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ପରେ ଚାପରେ ହସ୍ପିଟାଲ କର୍ତ୍ତୃପକ୍ଷ । ଆଉ ଠିକ୍ ଏମିତି ସମୟରେ ସରକାରୀ ହସ୍ପିଟାଲ ଲାଗି ଜାରି ହୋଇଛି କୋଭିଡ୍ ପ୍ରୋଟୋକଲ । ଫୋନ୍ ଯୋଗେ ଡାକ୍ତରୀ ପରାମର୍ଶ ବା ଟେଲିମେଡିସିନ୍ ଉପରେ ଗୁରୁତ୍ୱ ଦିଆଯାଉଛି । ରୋଗୀଙ୍କ ଭଲ ପାଇଁ ଏ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏସବୁ ଭିତରେ ଆଜି ବି ୧୦ ହଜାର ଟପିଛି ଦୈନିକ ସଂକ୍ରମଣ । ଲିଭିଯାଇଛି ୪ ଜୀବନ ଦୀପ । ତେବେ କରୋନାର ଦ୍ରୁତ ସଂକ୍ରାମକ ଭାରିଆଣ୍ଟ ଓମିକ୍ରନ୍ ବାୟୁରେ ୨୦ ମିନିଟ୍‌ରୁ ଅଧିକ ସମୟ ତିଷ୍ଠି ପାରୁ ନ ଥିବା ଖବର ସାମାନ୍ୟ ଆଶ୍ୱସ୍ତି ଆଣିଛି ।

ଡାକ୍ତରଖାନାର ଯେଉଁ କାମ ପାଇଁ ପୂର୍ବରୁ ୩ ଜଣ ଦରକାର ପଡ଼ୁଥିଲେ, ଆଜି ତାହା ଜଣେ କର୍ମଚାରୀରେ ଚାଲିଛି । ଆଉ ସେଇଥିପାଇଁ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ସିଙ୍ଗଲ୍ ୱିଣ୍ଡୋ ଟ୍ରିଟମେଣ୍ଟ ବ୍ୟବସ୍ଥା । ଏହା ଜରିଆରେ ରୋଗୀ ଟିକେଟ କରିବାଠୁ ପରୀକ୍ଷା ନିରୀକ୍ଷା ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଇ ଫେରିବା ଯାଏଁ-ସବୁ ସେବା ଗୋଟିଏ ଜାଗାରେ । ଫଳରେ ରୋଗୀଙ୍କୁ ଆଉ ହସ୍ପିଟାଲ ଭିତରକୁ ପଶିବାକୁ ପଡ଼ୁନି, ଏଥିପାଇଁ ହସ୍ପିଟାଲ କର୍ମଚାରୀଙ୍କ ସଂକ୍ରମଣ ଆଶଙ୍କା ବି କମିଛି ।

ଏସବୁ ଭିତରେ ଗତକାଲି ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜ ଲାଗି କୋଭିଡ୍ ପ୍ରୋଟୋକଲ ଜାରି କରିଛନ୍ତି ସରକାର । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ ସଂକ୍ରମଣ ବଢ଼ୁଛି । ହସ୍ପିଟାଲରେ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ଜାରି ହୋଇଛି ଏଭଳି କଟକଣା । ଅତି ଜରୁରୀ ନ ଥିଲେ ରୋଗୀମାନେ ହସ୍ପିଟାଲ ନ ଆସିବା ଭଲ । ଟେଲି ମେଡିସିନ୍ ସେବାର ସୁଯୋଗ ନେଇ ସେମାନେ ନିଜ ରୋଗର ଉପଚାର କରିପାରିବେ । ହସ୍ପିଟାଲରେ କେବଳ ଜରୁରୀକାଳୀନ ସରଜରୀକୁ ପ୍ରାଥମିକତା ଦିଆଯିବ ।

ଏପଟେ ରାଜ୍ୟରେ ଆଜି ଦ୍ୱିତୀୟ ଦିନ ପାଇଁ ୧୦ ହଜାର ଉପରେ ଦୈନିକ କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୨୭୩ ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୩ ହଜାର ୪୯୬ ଜଣ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧ ହଜାର ୪୯, କଟକରୁ ୮୪୪, ସମ୍ବଲପୁରରୁ ୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଆଉ ୪ ଜଣଙ୍କର ଜୀବନ ନେଇଛି କରୋନା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଏବେ ମୁମ୍ବାଇରେ ପିକ୍‌ରେ ପହଞ୍ଚିଗଲାଣି ତୃତୀୟ ଲହର । ଆଗାମୀ ୧୦-୧୨ ଦିନ ଭିତରେ ଓଡ଼ିଶାରେ ବି ସଂକ୍ରମଣ ପିକ୍ ଛୁଇଁବ । ଷ୍ଟଡି କହୁଛି, ଏବେ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ଅର୍ଥ, ଆଉ ୬୦ରୁ ୯୦ ଓମିକ୍ରନ୍ ଆକ୍ରାନ୍ତ ଅଛନ୍ତି । ଯେଉଁମାନେ ସ୍ୱଳ୍ପ ଲକ୍ଷଣଯୁକ୍ତ ବା ଲକ୍ଷଣହୀନ କିନ୍ତୁ ଟେଷ୍ଟ କରି ନ ଥିବାରୁ ଚିହ୍ନଟ ହୋଇନାହାନ୍ତି ।

ତେବେ ଆଶ୍ୱସ୍ତିର ବିଷୟ, ବାୟୁରେ ୫ ମିନିଟ୍ ରହିବା ପରେ ଓମିକ୍ରନ୍ ଭୁତାଣୁର ସଂକ୍ରମଣ କ୍ଷମତା କମିଯାଉଛି ଓ ୨୦ ମିନିଟ୍ ପରେ ଏହା ନିଷ୍କ୍ରିୟ ହୋଇଯାଉଛି । ତେଣୁ କୋଭିଡ୍ ନିୟମକୁ ମାନିଲେ, ଓମିକ୍ରନ୍‌କୁ ସହଜରେ ମାତ୍ ଦେଇହେବ । ସେପଟେ ଦେଶରେ ୨ ଲକ୍ଷ ୬୦ ହଜାର ପାର୍ କରିଛି ଦୈନିକ ସଂକ୍ରମଣ । ଦିନକ ଭିତରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୬୪ ହଜାର ୨୦୨ ଜଣ ନୂଆ ପଜିଟିଭ । ୩୧୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।