• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯାଇପାରେ ଟିକା । NTAGIର କୋଭିଡ-୧୯ ୱାର୍କିଂ ଗ୍ରୁପ୍ ଚେୟାରମ୍ୟାନ୍‌ ଡ. ଏନ୍.କେ ଆରୋରା ଏନେଇ ସୂଚନା ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ୧୫ରୁ ୧୮ ବର୍ଗଙ୍କୁ ଟିକାକରଣ ସରିଯିବା ନେଇ ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି ।

ସେପଟେ ଦେଶରେ ଏବେ ତଳମୁହାଁ ହୋଇଛି ଦୈନିକ ସଂକ୍ରମଣ । ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଦିନକରେ ୩୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୬ ହଜାର ୪୫୧କୁ ବୃଦ୍ଧି ପାଇଛି ।

ଦେଶରେ ଏବେ ଆକ୍ଟିଭ କେସ୍ ୧୬ ଲକ୍ଷ ୫୬ ହଜାର ୩୪୧ ରହିଥିବାବେଳେ ୩ କୋଟି ୫୨ ଲକ୍ଷ ୩୭ ହଜାର ୪୬୧ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦିଆଯାଇଛି । ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୨୦୯କୁ ବୃଦ୍ଧି ପାଇଛି ।

ଅନ୍ୟପଟେ କୋଭିଡ୍‌ ସଚେତନତା ନେଇ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଓମିକ୍ରନ୍ ହେଉଛି ଏକ କ୍ଷୁଦ୍ର ଭୂତାଣୁ, ଯାହା ବଡ଼ ଆକାରରେ ମାଡୁଛି । ଡେଲଟା ହେଉ କି ଗାମା ହେଉ, କୌଣସି ଭୂତାଣୁ ଏଯାଏଁ ସମାପ୍ତ ହୋଇନି । ଡେଲଟା ସମାପ୍ତ ହୋଇନି, ଡେଲଟା ସ୍ଥାନ ଧିରେ ଧିରେ ଓମିକ୍ରନ ନେଉଛି । ଡେଲଟା ଭୟାବହତା ଆମେ ସମସ୍ତେ ଜାଣିଛୁ, ଡେଲଟା ଏବେ ବି ଅଛି ଏହାକୁ ଆମେ ଭୁଲିବା ନାହିଁ ବୋଲି କହିଛନ୍ତି ଡ. ରାଉତ୍ ।

ସେ ଆହୁରି କହିଛନ୍ତି ଓମିକ୍ରନ ଅଧିକ ସଂକ୍ରାମକ । କିନ୍ତୁ ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯାଉଛି । ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇପଡୁଥିବାରୁ କ୍ଷତି କରିପାରୁନି ଓମିକ୍ରନ୍‌ । କିନ୍ତୁ ଯିଏ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ସେମାନଙ୍କୁ ଓମିକ୍ରନ କ୍ଷତି ଘଟାଇବ । ତେଣୁ ଏଥିପାଇଁ ଆମକୁ ସତର୍କ ରହିବା ବି ଜରୁରୀ ।

ତେବେ ଡେଲଟା ତୁଳନାରେ ଓମିକ୍ରନରେ କ୍ଷତି ପରିମାଣ କମ୍ ହୋଇପାରେ । ଯେଉଁମାନେ ଟିକା ନେଉଛନ୍ତି, ତାଙ୍କ ଉପରେ ଓମିକ୍ରନ୍ ପ୍ରଭାବ କମ୍ ପଡୁଛି । ଶୀଘ୍ର ବ୍ୟାପୁଥିବାରୁ ଶୀଘ୍ର ଦୁର୍ବଳ ହୋଇପାରେ ଓମିକ୍ରନ୍ ଭ୍ୟାରିଆଣ୍ଟ । ମାର୍ଚ୍ଚ ଶେଷ ବେଳକୁ ଓମିକ୍ରନ୍ ସଂକ୍ରମଣ ତଳମୁହାଁ ହେବ ବୋଲି ଆଶା କରାଯାଉଛି ।