• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: କରୋନା କଟକଣାର ଧଜିଆ ଉଡ଼ିଲା । ସବୁ ଭୁଲି ଗଲେ କୋଭିଡ ନିୟମ । କରୋନା ଆମ ଭିତରେ ଏବେ ବି ଅଛି, ଯେମିତି ଏମାନେ ଭୁଲିଗଲେଣି । କାହା ମୁହଁରେ ନା ଅଛି ମାସ୍କ ନା କେହି ମାନିଛନ୍ତି ସାମାଜିକ ଦୂରତା । ଲାଗି ଲାଗି ଛିଡ଼ା ହୋଇଛନ୍ତି, ଖୁନ୍ଦା ଖୁନ୍ଦି ହେଇ ନାଚୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରେଭେନ୍ସ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ । 

ପୁଣି ଅମାନିଆ ହେଲେ ରେଭେନ୍ସା ଛାତ୍ରଛାତ୍ରୀ । ମନା କରିବା ସତ୍ତ୍ୱେ କ୍ୟାମ୍ପସରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୋଭିଡ୍ ନିୟମର ଉଡାଇଛନ୍ତି ଧଜିଆ । ଶହ ଶହ ଛାତ୍ରଛାତ୍ରୀ ଏକାଠି ହୋଇ ନାଚଗୀତ କରିଛନ୍ତି । କରୋନା ନିୟମକୁ ଫୁ’ କରି ପୁଣି ନାଚଗୀତରେ ମସ୍‌ଗୁଲ ହେଲେ ରେଭେନ୍‌ସିଆନ୍‌ ।

ଦୁଇ ଦିନ ତଳେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ଗତକାଲି ବିଶ୍ୱବିଦ୍ୟାଳୟକୁ ନୋଟିସ କରିଥିଲେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହି ଘଟଣାକୁ ନେଇ ଉପୁଜିଥିବା ବିବାଦର ଅନ୍ତ ନହେଉଣୁ ଗତକାଲି ଇଷ୍ଟ ହଷ୍ଟେଲର ଶତବାର୍ଷିକୀ ଉତ୍ସବ ପାଳନବେଳେ ପୁଣି କଟକଣା ଉଲଂଘନ କରିଛନ୍ତି । ଗୋଟିଏ ଘଟଣା ପରେ କଣ ଚେତା ପଶିଲାନି ନା ସବୁ ଜାଣିଶୁଣି ବିଶ୍ୱବିଦ୍ୟାଳୟ ଭିତରେ ଏପରି କାର୍ଯ୍ୟକ୍ରମ କରାଗଲା । ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । ସେପଟେ ଗତକାଲିର ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

ଦୁଇ ଦିନ ପୂର୍ବେ ଓମିକ୍ରନ ଆତଙ୍କ ଭିତରେ ରେଭେନ୍ସାରୁ ଆସିଥିଲା ସାଂଘାତିକ ଚିତ୍ର । ୟୁନିଭରସିଟିର ଖେଳ ପଡ଼ିଆରେ ନାଚ ଗୀତରେ ମସଗୁଲ୍ ଥିଲେ ଛାତ୍ରଛାତ୍ରୀ । ତା ପୁଣି ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପସ୍ଥିତିରେ । ସତେ ଯେମିତି ସମସ୍ତେ କରୋନାକୁ ଭୁଲି ଯାଇଛନ୍ତି । ଆନୁଆଲ ଆଥଲେଟିକ ମିଟ୍ ଅବସରରେ ହୋଇଥିଲା ଏହି କାର୍ଯ୍ୟକ୍ରମ । ବୁଧବାର ଏହି ନାଚଗୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୟୁନିଭରସିଟିର କୁଳପତିଙ୍କ ସହିତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଉପସ୍ଥିତ ଥିଲେ । ସେନେଇ ସିଏମ୍‌ସି ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇଥିଲା ।