Advertisment

ବିସ୍ଫୋରକ ରୂପ ନେବ କି କରୋନା? କଣ କହିଲେ ବିଶେଷଜ୍ଞ, ଜାଣନ୍ତୁ

କୋଭିଡ୍ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନକୁ ଫେରିବା ପରେ ଏବେ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ।

author-image
Chandan Shishu
Covid 19

Covid 19

ରାଜ୍ୟରେ ରାଇଜିଂ ଟ୍ରେଣ୍ଡରେ ମହାମାରୀ କରୋନା। ଘୁ ଘୁ ହୋଇ ମାଡ଼ିଚାଲିଛି ସଂକ୍ରମଣ। ଦୈନିକ ସଂକ୍ରମଣ ସପ୍ତାହକରେ ଦୁଇ ଗୁଣାରୁ ଅଧିକ ହୋଇ ୫୦୦ ଟପିଛି। ସପ୍ତାହକ ତଳେ ଜୁଲାଇ ୨ରେ ରାଜ୍ୟର ଦୈନିକ ସଂକ୍ରମଣ ଥିଲା ୨୩୧। ଆଉ ଆଜି ଏ ସଂଖ୍ୟା ୫୧୨ରେ ପହଞ୍ଚିଲାଣି। ରାଜ୍ୟରେ ଚିହ୍ନଟ ନୂଆ ରୋଗୀଙ୍କ ମଧ୍ୟରୁ ୪୬ ପ୍ରତିଶତ ବା ୨୩୭ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାର। ଏହାପଛକୁ ରହିଛି କଟକ, ଏଠି ୮୯ ନୂଆ ପଜିଟିଭ।  ସେହିପରି ପୁରୀରେ ୨୯ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି।

Advertisment

ଆଜିର ନୂଆ ଦୈନିକ ସଂକ୍ରମଣ ସହ ରାଜ୍ୟରେ ସକ୍ରିୟ କରୋନା ରୋଗୀ ସଂଖ୍ୟା ପହଞ୍ଚିଛି ୨ ହଜାର ୭୯୫ରେ। ସକ୍ରିୟ କରୋନା ରୋଗୀଙ୍କ ମଧ୍ୟରୁ ୪୮ ପ୍ରତିଶତ ବା ୧ ହଜାର ୩୪୫ ଜଣ କେବଳ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ଫଳରେ ସକ୍ରିୟ ରୋଗୀ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ୟେଲୋ ଜୋନକୁ ଆସିଯାଇଛି।  ଏପଟେ ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ଆଧାରରେ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲା ଏବେ ରେଡ୍ ଜୋନ୍‌। ଖୋର୍ଦ୍ଧାରେ ଟେଷ୍ଟ ପଜିଟିଭିଟି ରେଟ୍ ସର୍ବାଧିକ ୧୦.୬ ପ୍ରତିଶତ ଥିଲାବେଳେ ପୁରୀରେ ୮.୧ ପ୍ରତିଶତ ଓ କଟକରେ ୭.୭ ପ୍ରତିଶତ ରହିଛି।

ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ କୋଭିଡ୍ ରାଇଜିଂ ଟ୍ରେଣ୍ଡରେ ଅଛି କିନ୍ତୁ ପୂର୍ବ ଲହରଗୁଡ଼ିକରେ ଯେଉଁଭଳି ବଢ଼ୁଥିଲା, ସେଭଳି ସ୍ଥିତି ନାହିଁ।  ସଂକ୍ରମଣକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସର୍ଭେଲାନ୍ସ ଚାଲିଛି  ଟେଷ୍ଟିଂ ବଢ଼ାଯାଇଛି। ଟିକାକରଣ ବି ତ୍ୱରାନ୍ବିତ ହୋଇଛି  କିନ୍ତୁ ଏବେର ରାଇଜିଂ ଟ୍ରେଣ୍ଡ କିଛିଦିନ ଯାଏଁ ଲାଗିରହିବ।  ତେବେ କେତେଦିନ ରହିବ, ତାହା ଏବେଠୁ ଆକଳନ କରାଯାଇପାରିବ ନାହିଁ।

Advertisment

କୋଭିଡ୍ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନକୁ ଫେରିବା ପରେ ଏବେ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ। ସଂକ୍ରମଣରେ ବ୍ରେକ୍ ଲଗାଇବାକୁ କିଛିଦିନ ତଳୁ ରାଜଧାନୀ ସହରରେ ମାସ୍କ ବାଧ୍ୟତାମୂଳକ ହୋଇଥିଲେ ବି ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳୁଛି। ଏନେଇ ଭୁବନେଶ୍ୱର ମେୟର କହିଛନ୍ତି, ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧିବାକୁ ଲୋକଙ୍କୁ ବାରମ୍ବାର ନିବେଦନ ବି କରାଯାଉଛି। ଲୋକମାନେ ସାମାଜିକ ଦୂରତା ବି ରଖୁନାହାନ୍ତି। ଯଦି ଲୋକମାନେ ଏବେଠୁ ସଚେତନ ନ ହେବେ, ମାସ୍କ ନ ପିନ୍ଧିଲେ ଫାଇନ୍ କଟାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ମେୟର।

ଏପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଅଧିକ ଟେଷ୍ଟ ହେଉଥିବାରୁ ଏବେ ଭୁବନେଶ୍ୱର ଓ କଟକରେ କେସ୍ ଲୋଡ଼ ଅଧିକ ରହୁଛି। ତେବେ ଲୋକମାନଙ୍କୁ କୋଭିଡ୍ ଭୂତାଣୁ ସହ ରହିବା ଶିଖିବାକୁ ହେବ। ଚଳିତ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବେଳେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଜନସମାଗମ ହୋଇଥିଲା।ତେବେ ଏହାଯୋଗୁ କୋଭିଡ୍ ବିସ୍ଫୋରକ ରୂପ ନେଉଛି କି ନାହିଁ, ତାହା ଆଗାମୀ ୧୦-୧୫ ଦିନ ପରେ ସ୍ପଷ୍ଟ ହେବ।

ରିପୋର୍ଟ: ସୌମ୍ୟରଞ୍ଜନ ସାହୁ ଓ କପିଳେନ୍ଦ୍ର ପ୍ରଧାନ

COVID-19 Corona
Advertisment
Advertisment