• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାରାତ୍ମକ ନୁହେଁ କରୋନାର ନୂଆ ଭ୍ୟାରିଆଣ୍ଟ୍ XE । ଏହା ସେଭଳି ଜଟିଳ ଲକ୍ଷଣ ସୃଷ୍ଟି କରୁଥିବା ମଧ୍ୟ ନଜରକୁ ଆସିନାହିଁ । ଯଦିଓ ଭବିଷ୍ୟତରେ ଏହା ଦ୍ୱାରା ଦେଶରେ କିଛି ଲୋକ ସଂକ୍ରମିତ ହୋଇପାରନ୍ତି, ତଥାପି ଏହା ଥରେ କରୋନା ହୋଇସାରିଥିବା ଲୋକଙ୍କୁ କିମ୍ବା ଟିକା ନେଇଥିବା ଲୋକଙ୍କୁ ସଂକ୍ରମିତ କରିବା ଆଶଙ୍କା କମ୍ । ଏହା କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର ।

ଏଥିସହ XE ଭ୍ୟାରିଆଣ୍ଟ୍ ଦେଶରେ ଚତୁର୍ଥ ଲହର ଆଣିବ ନାହିଁ ବୋଲି ସେ ଆଶ୍ୱସ୍ତ କରିଛନ୍ତି । ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରାମକ କୁହାଯାଉଥିବା ଓମିକ୍ରନ୍‌ର BA-2 ଭ୍ୟାରିଆଣ୍ଟ ଠାରୁ XE ଭ୍ୟାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଜାନୁଆରୀ ୧୯ ତାରିଖରେ ଏହା ପ୍ରଥମେ ବ୍ରିଟେନରେ ଦେଖାଦେଇଥିଲା । ଥାଇଲାଣ୍ଡ ଏବଂ ନ୍ୟୁଜିଲାଣ୍ଡରେ ମଧ୍ୟ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ତେବେ ଏହା ରୋଗୀକୁ ଅଧିକ ଗୁରୁତର କରୁନଥିବା ବିଶେଷଜ୍ଞ କହିଛନ୍ତି । XE ଭ୍ୟାରିଆଣ୍ଟରେ ଆକ୍ରାନ୍ତ ରୋଗୀଙ୍କ ଠାରେ ଜ୍ୱର, ଗଳା ଦରଜ, ଥଣ୍ଡା, କଫ ଏବଂ ଗ୍ୟାଷ୍ଟ୍ରିକ୍ ଲକ୍ଷଣ ଦେଖାଦେଇଥାଏ ବୋଲି କୁହାଯାଉଛି ।

ଅନ୍ୟପଟେ ଏହା ଉପରେ ଅଧିକ ଗବେଷଣା ଚାଲିଛି । ଯଦି ନୂଆ ଗବେଷଣା ଏହାକୁ ନିଶ୍ଚିତ କରିବ, ତାହେଲେ XE କରୋନାର ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ଭାବେ ପରିଗଣତି ହେବ ବୋଲି WHO କହିଛି । ବର୍ତ୍ତମାନ ସୁଦ୍ଧା XE ଭାରିଏଣ୍ଟ ବହୁତ କମ ସ୍ଥାନରୁ ଠାବ ହୋଇଛି ।

ସୂଚନା ଅନୁସାରେ, ପ୍ରଥମଥର ପାଇଁ ଏହି କମ୍ବାଇନ୍‌ଡ ଭ୍ୟାରିଆଣ୍ଟକୁ ଜାନୁଆରୀ ୧୯ ତାରିଖରେ ବ୍ରିଟେନରୁ ଠାବ କରାଯାଇଥିଲା । ଏବେ ଯାଏଁ ଏଥିରେ ୬୩୭ ଜଣ ସଂକ୍ରମିତ ଥିବା ନେଇ ରିପୋର୍ଟ ମିଳିଛି । ଏହା ଆଗକୁ ବିସ୍ଫୋରକ ରୂପ ଧାରଣ କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଶଙ୍କା କରାଯାଇଥିଲା ।

ଅନ୍ୟପକ୍ଷେ, ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସବ୍ ଭ୍ୟାରିଆଣ୍ଟ BA.2 ଚିହ୍ନଟ ହୋଇ ସାରିଲାଣି । ଆମେରିକାରେ ଚିହ୍ନଟ ହେଉଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଶରୀରରୁ ଏହି ଭ୍ୟାରିଆଣ୍ଟ ଠାବ ହେଉଛି । XE ହେଉଛି ଓମିକ୍ରନର BA.1 ଓ BA.2 ଭ୍ୟାରିଆଣ୍ଟର କମ୍ବିନେସନ । ଏହାର ଅର୍ଥ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ ମିଳିତ ଭାବେ ଗୋଟିଏ ନୂଆ ରୂପ ଧାରଣ କରିଛନ୍ତି ।ସେପଟେ ମୁମ୍ବାଇରେ ଭାରତର ପ୍ରଥମ XE ଭାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ମୁମ୍ବାଇ ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌ ପକ୍ଷରୁ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦିଆଯାଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ଜିନମ୍ ସିକ୍ୟୁଏନ୍‌ସିଂରୁ ସେଭଳି ପ୍ରମାଣ ନଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂତ୍ରରୁ ସୂଚନା ମିଳିଛି ।