• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୁଷ୍ଟର ଡୋଜ୍ ନମିଳିବାରୁ ହୋହାଲ୍ଲା । ବାଲେଶ୍ୱର ସୁନହଟ ସହରାଞ୍ଚଳ ମେଡିକାଲ୍‌ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଶନିବାର ବହୁ ସଂଖ୍ୟାରେ ଲୋକେ ମେଡିକାଲ୍ ବାହାରେ ଆସି ଅପେକ୍ଷା କରି ରହିଥିଲେ । ଅଫଲାଇନ୍‌ରେ ପଞ୍ଜିକରଣ କରି ଟିକା ଦେବାକୁ ଲୋକେ ଆସିଥିଲେ । ହେଲେ ଟିକା କେବଳ ୨ ଶହ ଡୋଜ୍‌ ଥିବାରୁ ଏହାକୁ ଅନଲାଇନ୍‌ରେ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତିଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଯାହାଫଳରେ ସକାଳୁ ଆସି ଅପେକ୍ଷା କରିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ସେମାନେ କାହିଁ କେତେ ଦୂରରୁ ବୁଷ୍ଟର ଡୋଜ ଟିକା ନେବା ପାଇଁ ଆସିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା । ଲୋକେ ମେଡିକାଲ୍ ଅଧିକାରୀଙ୍କୁ ତାଲା ପକାଇ ରଖିଥିଲେ ।

ସୂଚନାଯୋଗ୍ୟ, ସବୁଠି ୧୮ରୁ ୫୯ ବୟସ ବର୍ଗଙ୍କୁ ଦିଆଯାଉଛି କୋଭିଡ ପ୍ରିକସନ୍ ଡୋଜ୍ । ଗତକାଲିଠୁ କୋଭିଡ ପ୍ରିକସନ୍ ଡୋଜ୍ ଆରମ୍ଭ ହୋଇଛି । ଟିକା ନେବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ଲାଇନ୍ ଲଗାଇଛନ୍ତି ଲୋକେ । ୭୫ ଦିନ ଧରି ଚାଲିବ ଏହି ଅଭିଯାନ । ରାଜ୍ୟରେ ୨ ହଜାର ୩୨୦ ଟିକାକରଣ କେନ୍ଦ୍ରରେ ଚାଲିଛି ପ୍ରିକସନ ଡୋଜ ଟିକାକରଣ । ଏହି ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି । ରାଉରକେଲା ସହରରେ ଆଜି ୫ଟି ସ୍ଥାନରେ ଦିଆଯାଉଛି କରୋନା ବୁଷ୍ଟର ଡୋଜ୍ ।

ଅନ୍ୟପଟେ ରାଜ୍ୟରେ ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟାରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୪୧ ରହିଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୨ ଜଣ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧତ୍କ ୩୬୧, କଟକରୁ ୧୩୫, ସୁନ୍ଦରଗଡ଼ରୁ ୧୧୧ ଏବଂ ସମ୍ବଲପୁରରୁ ୫୮ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୮ ହଜାର ୨୪୦କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ଆକ୍ଟିଭ କେସ୍ ୫ ହଜାର ୩୭୬ ଥିବା ବେଳେ ସୁସ୍ଥ ହେଲେଣି ୧୨ ଲକ୍ଷ ୮୩ ହଜାର ୬୮୩ ଆକ୍ରାନ୍ତ । ଗତକାଲି ୧ ହଜାର ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।